ନବରଙ୍ଗପୁର ସହରରେ କରୋନାର କରାଳରୂପ, ୧୦ ଦିନରେ ୨୨୧ ଆକ୍ରାନ୍ତ

୩ ଜଣଙ୍କର ନେଲାଣି ପ୍ରାଣ

ନବରଙ୍ଗପୁର: ନବରଙ୍ଗପୁର ସହରରେ କରାଳ ଆଡକୁ ଅଗ୍ରସର ହେଉଛି ମହାମାରୀ କରୋନା। ଗତ ୧୦ ଦିନ ମଧ୍ୟରେ ନବରଙ୍ଗପୁର ସହରରେ ୨୧୧ ଜଣ ମହମାରୀ କରୋନା ଆକ୍ରାନ୍ତ ହୋଇଥିବାବେଳେ କିଛିଦିନ ମଧ୍ୟରେ ୩ଜଣଙ୍କର ଜୀବନ ନେଇ ସାରିଲାଣି। ଏହା ସମସ୍ତ ସହରବାସୀଙ୍କ ଚିନ୍ତା ବଢାଇଛି। ସହରର ପ୍ରାୟ ସମସ୍ତବର୍ଗର ଲୋକ କରୋନାରେ ଆକ୍ରାନ୍ତ ହୋଇ ସାରିଲେଣି। ସହରରେ ରହୁଥିବା ଲୋକପ୍ରତିନିଧି, ସରକାରୀ ଅଧିକାରୀ, କର୍ମଚାରୀ, ଯନ୍ତ୍ରୀ, ଶିକ୍ଷକ, ଅଧ୍ୟାପକ, ବ୍ୟବସାୟୀ, ପୁଲିସ, ଡ୍ରାଇଭର, ଶ୍ରମିକ, ସାମ୍ବାଦିକ ସମେତ ବୃଦ୍ଧବୃଦ୍ଧା, ଯୁବକ ଯୁବତୀ, ବାଳକ ବାଳିକାମାନେ ମଧ୍ୟ ଆକ୍ରାନ୍ତ ହୋଇସାଣିଲେଣି। କେତେକ ସରକାରୀ କାର୍ଯ୍ୟାଳୟର ଏକାଧିକ କର୍ମଚାରୀ ଆକ୍ରାନ୍ତ ହୋଇଛନ୍ତି। କେତେକ ପରିବାରର ସଂପୂର୍ଣ୍ଣ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇସାରିଛନ୍ତି। ତଥାପି ମଧ୍ୟ ସହରରେ ଦୈନିକ ବଜାର, ମାଛମାଂସ ଦୋକାନ ଓ ବିଭିନ୍ନ ବ୍ୟବସାୟରେ ଅଯଥା ଭିଡ ରହୁଥିବାବେଳେ ସାମାଜିକ ଦୂରତା ବଜାୟ ରହୁନି। କରୋନା ବୃଦ୍ଧିକୁ ଦୃଷ୍ଟିରେ ରଖି ନବରଙ୍ଗପୁର ବଣିକ ସଂଘ ପକ୍ଷରୁ ଅପରାହ୍ନ ୨ଟାପରେ ଦୋକାନ ବଜାର ଓ ବ୍ୟବସାୟୀକ ଅନୁଷ୍ଠାନ ବନ୍ଦ କରାଯାଇଛି। ଏପରିକିି ଯାନବାହନ ଚଳାଚଳା ମଧ୍ୟ ନିୟନ୍ତ୍ରିତ କରାଯାଇଛି। ଲୋକମାନେ କରୋନାକୁ ନେଇ ଭୟକରୁଥିଲେ ମଧ୍ୟ କେତେକ ବ୍ୟକ୍ତିବିଶେଷ ଖାମଖିଆଲି ଭାବେ ଗ୍ରହଣ କରୁଥିବା ଜଣାଯାଇଛି। ଅମାନିଆମାନେ ବେଖାତିର କରୁଥିବାବେଳେ ଏଥିପ୍ରତି ପୁଲିସ ସଜାଗ ରହିବାର ଆବଶ୍ୟକତା ଦେଖାଦେଇଛି। ସୂଚନା ଅନୁସାରେ ଗତ ୧ ତାରିଖ ରେ ସହରର ୧୧ଜଣ କରୋନା ଆକ୍ରାନ୍ତ ହୋଇଥିବାବେଳେ ୨ ତାରିଖ ରେ ୨୨ ଜଣ, ୩ ତାରିଖରେ ୨୪ ଜଣ, ୪ ତାରିଖ ଦିନ ୨୯ ଜଣ ୫ ତାରିଖ ଦିନ ୧୧ଜଣ, ୬ ତାରିଖ ଦିନ ୧୫ଜଣ , ୭ ତାରିଖ ଦିନ ୧୫ଜଣ, ମଙ୍ଗଳବାର ୮ ତାରିଖ ଦିନ ୨୨ଜଣ, ୯ ତାରିଖ ଦିନ ୪୧ ଜଣ ଓ ଆଜି ୧୦ତାରିଖ ସହରର ୩୧ ଜଣ ଆକ୍ରାନ୍ତ ହୋଇଛନ୍ତି। ସହରର ପ୍ରାୟ ସମସ୍ତ ସାହି ଓ ଅଞ୍ଚଳକୁ କରୋନା ଛୁଇଁ ସାରିଛି। ତେବେ ଆରମ୍ଭରୁ କ୍ୱାରେନ୍‍ଟାଇନ ଜୋନ୍‍ ଓ ବଫେର ଜୋନ୍‍ ସଠିକ ଭାବେ ପାଳନ କରାଯାଉନଥିବା ଓ ଏହାକୁ ଲୋକମାନେ ମାନୁନଥିବା କାରଣରୁ ଏହି ଅଞ୍ଚଳରୁ ଲୋକମାନେ ଦୈନିକ ବଜାର ଓ ଦୋକାନକୁ ଯାଇ ସଉଦା କିଣିବାକୁ ଦେଖିବାକୁ ମିଳୁଛି। ଫଳରେ ସଂକ୍ରମଣ ଅଧିକ ବୃଦ୍ଧିପାଉଥିବା ଅନୁମାନ କରାଯାଉଛି। ଏହା ଛଡା କରୋନା ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ପାଇଁ ଆସୁଥିବା ଥଣ୍ଡା,କାଶ ଓ ଜ୍ୱର ହେଉଥିବା ବ୍ୟକ୍ତିବିଶେଷ ଲମ୍ବା ଲାଇନରେ ରହୁଥିବାବେଳେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ପାଳନ କରାଯାଉନାହିଁ। ଏଠାରେ ଲୋକଙ୍କର ନାମ ତାଲିକା ଲେଖା ସରିବା ପରେ ପରୀକ୍ଷା ଆରମ୍ଭ କରାଯାଉଥିବାରୁ ଅଯଥାରେ ଲୋକମାନେ ଘଣ୍ଟାଘଣ୍ଟା ଧରି ଅପେକ୍ଷା କରୁଛନ୍ତି। ଫଳରେ ଏଠାରେ ପିଜିଟିଭ ଲୋକ ମଧ୍ୟ ଖୋଲାଖୋଲି ମାସ୍କ ଖୋଲି ବୁଲୁଥିବାରୁ ଏଠାକୁ ଯାଇଥିବା ଭଲ ଲୋକ ମଧ୍ୟ ଆକ୍ରାନ୍ତ ହେଉଥିବା ଗୁରୁତର ଅଭିଯୋଗ କରାଯାଇଛି। ତେବେ ଜନସଚେତନ ନହେଲେ ପ୍ରଶାସନ ଓ ପୁଲିସ କେତେ ଜଣଙ୍କୁ ଓ କାହାକୁ ଜଗିବ ତାହା ଚିନ୍ତାର କରିବାର ବେଳ ହୋଇଛି। ସହରର ପାର୍ଶ୍ବ ଅଞ୍ଚଳ ମାଝୀଗୁଡା, ମିର୍ଗାନୀଗୁଡା , ରଙ୍ଗମାଟିଗୁଡା,ଡାଇଭଟା, ପ୍ରଭୂତି ଅଞ୍ଚଳରେ ମଧ୍ୟ କରୋନା ଆକ୍ରାନ୍ତ ଆରମ୍ଭ ହୋଇଛି। ତେଣୁ ଜିଲା ପ୍ରଶାସନ ପକ୍ଷରୁ ବିନା କାରଣରେ ବାହାରକୁ ନବାହରିବାକୁ ବାରମ୍ବାର ଦିଆଯାଉଥିବା ପରାମର୍ଶକୁ ପାଳନ ସହ କୋଭିଡ ଗାଇଡଲାଇନ କଡାକଡି ପାଳନ ଉପରେ ଗୁରୁତ୍ୱ ଦେବାକୁ ଜରୁରୀ ହୋଇ ପଡିଛି।

Comments are closed.