ନବରଙ୍ଗପୁର ମସଜିଦ୍‍ର ତାଲାଭାଙ୍ଗି ହୁଣ୍ଡିରୁ ଟଙ୍କା ଚୋରି

ନବରଙ୍ଗପୁର: ନବରଙ୍ଗପୁର ମସଜିଦ୍‍ରେ ଦିନବେଳେ ଚୋରି ହୋଇଛି। ବିଭିନ୍ନ ହୁଣ୍ଡି ଭାଙ୍ଗି ପ୍ରାୟ ୬୦ ହଜାରଟଙ୍କା ଚୋରି ହୋଇଥିବା ମସଜିଦ୍‍ କମିଟି ପକ୍ଷରୁ ସୂଚନା ମିଳିଛି। ଚୋରି ସଂପର୍କରେ ନବରଙ୍ଗପୁର ଥାନାରେ ଅଭିଯୋଗ ପରେ ଥାନା ଅଧିକାରୀ ତାରିକ ଅହମ୍ମଦ, ଏସଆଇ ରାଧାକାନ୍ତ ବାରିକ, ଏଏସଆଇ ଅଶୋକ କୁମାର ଦେଓ ପ୍ରମୁଖ ପହଁଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ନିକଟରେ ଥିବା ବିଭିନ୍ନ ଦୋକାନରେ ସିସିଟିଭି ଯାଞ୍ଚ କରାଯାଉଛି। ନବରଙ୍ଗପୁର ମସଜିଦ ନୂତନ ଭାବେ ନିର୍ମାଣ କାର୍ଯ୍ୟ ଚାଲିଛି। ନିକଟରେ ଲାଗିଥିବା ଏକ ହଲ ଠାରେ ମସଜିଦର ରୀତିନୀତି ଚାଲିଛି। ରବିବାର ମୈାଲାନା ଅଫତାର ହାନ୍‍ସାରୀ ଓ ଅବଦୁଲ କାଦରି ମସଜିଦରେ ଥିଲେ। ଅପରାହ୍ନ ୧.୧୫ ପରେ ଦୁହେଁ ଖାଇବାକୁ ଯାଇ ଅପରାହ୍ନ ୪ଟାରେ ମସଜିଦକୁ ଫେରିଥିଲେ। ମଧ୍ୟାହ୍ନ ୨ଟାରୁ ୪ ମଧ୍ୟରେ ସହରରେ ବର୍ଷା ମଧ୍ୟ ହୋଇଥିଲା। ମୈାଲାନା ଫେରିବା ପରେ ଜଣାପଡ଼ିଥିଲାଯେ ହୁଣ୍ଡି ଭାଙ୍ଗିଛନ୍ତି ଓ ସେ ରହିବା କଠୋରୀର ଦାନ ଡବା ମାନଙ୍କରେ ରହିଥିବା ଟଙ୍କାକୁ ତାଡି ନେଇଯାଇଛନ୍ତି। ଯେଉଁ ହଲରେ ମସଜିଦ୍‍ ଚାଲୁଛି ସେଠାକାର କବାଟର ତାଲା ତାଡି ଭିତରକୁ ପ୍ରବେଶ କରି ଆଲମାରି ମାନଙ୍କୁ ଖୋଲି ଧର୍ମଗ୍ରନ୍ଥ ଗୁଡିକ ଫିଙ୍ଗି ଦେଇଛନ୍ତି। ନୂତନ ମସଜିଦ ନିର୍ମାଣ ପାଇଁ, ବାର୍ଷିକ ପର୍ବ ପାଳନ ପାଇଁ ବିଭିନ୍ନ ଦାନ ହୁଣ୍ଡି ରହିଥିଲା। ସେଗୁଡିକ ଭାଙ୍ଗି ଚୋରୀ ହୋଇଛି। ଏନେଇ ନବରଙ୍ଗପୁର ଥାନାରେ ଅଭିଯୋଗ ପରେ ପୁଲିସ ତନାଘନା ତଦନ୍ତ ଚଳାଇଛି।

Comments are closed.