ନବରଙ୍ଗପୁରରେ ‘ମାଣ୍ଡିଆ ରଥ’ ; ୨୭୮୩ ହେକ୍ଟରରେ ମାଣ୍ଡିଆଚାଷ ଲକ୍ଷ୍ୟ

ନବରଙ୍ଗପୁର : ଜିଲାରେ ମାଣ୍ଡିଆଚାଷକୁ ବ୍ୟାପକ କରିବାପାଇଁ ମାଣ୍ଡିଆ ମିଶନ ଜରିଆରେ ଚାଷୀଙ୍କୁ ସଚେତନତା କରିବା ଉଦ୍ଦେଶ୍ୟରେ ଜିଲା କୃଷି କାର୍ଯ୍ୟାଳୟ ପକ୍ଷରୁ “ମାଣ୍ଡିଆ ରଥ” ଶୁଭାରମ୍ଭ କରାଯାଇଛି। ଜିଲାମୁଖ୍ୟ କୃଷି ଅଧିକାରୀ ବ୍ରଜ କିଶୋର ଲେଙ୍କା ଆନୁଷ୍ଠାନିକ ଭାବେ ମାଣ୍ଡିଆରଥକୁ ସବୁଜ ପତାକା ଦେଖାଇଥିଲେ। ବେସରକାରୀ ଜନକଲ୍ୟାଣ ଅନୁଷ୍ଠାନ ‘ଗୋବିନ୍ଦାଳୟ’ ପକ୍ଷରୁ ଏହି ରଥ ଆଜିଠାରୁ ଆସନ୍ତା ୯ ତାରିଖ ନବରଙ୍ଗପୁର ବ୍ଲକର ୧୩ଟି ଗ୍ରାମ ପଞ୍ଚାୟତର ୬୩ଟି ଗ୍ରାମକୁ ଯାଇ ଚାଷୀ ମାନଙ୍କୁ ସଚେତନତା କରାଇବ। ଏହି ଅବସରରେ ଜିଲା ମୁଖ୍ୟକୃଷି ଅଧିକାରୀ ଶ୍ରୀଲେଙ୍କା ଚଳିତବର୍ଷ ଜିଲାର ୫ଟିବ୍ଳକ ନବରଙ୍ଗପୁର,ପାପଡାହାଣ୍ଡି, କୋଷାଗୁମୁଡା, ଝରିଗାଁ ଓ ଉମରକୋଟରେ ପ୍ରାୟ ୨୭୮୩ ହେକ୍ଟର ଜମିରେ ମାଣ୍ଡିଆ ଚାଷ କରାଯିବାର ଲକ୍ଷ୍ୟଧାର୍ଯ୍ୟ ରହିଥିବା କହିଥିଲେ। ସଘନଚାଷ ପାଇଁ ହେକ୍ଟର ପ୍ରତି ୫ହଜାରଟଙ୍କା ଓ ଧାଡିରୁଆ ଓ ଧାଡିବୁଣା ପାଇଁ ହେକ୍ଟରପ୍ରତି ୨୫୦୦ ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉଛି। ଜଣେ ଚାଷୀ ଅଧଏକରରୁ ୫ଏକର ପର୍ଯ୍ୟନ୍ତ ଚାଷ କରିପାରିବେ। ଜିଲାରେ ପ୍ରାୟ ୬ହଜାର ଚାଷୀ ମାଣ୍ଡିଆଚାଷ କରିବାର ଲକ୍ଷ୍ୟ ରଖାଯାଇଛି। ଢିପଜମିରେ ଏକର ପ୍ରତି ମାଣ୍ଡିଆ ଚାଷରେ ପ୍ରାୟ ୬ହଜାରଟଙ୍କା ଖର୍ଚ୍ଚ ହେଉଥିବାବେଳେ ପ୍ରାୟ ୨୨ହଜାରଟଙ୍କାର ଉତ୍ପାଦନ କରାଯାଉଛି। ଏକର ପ୍ରତି ୧୬ହଜାରଟଙ୍କା ଲାଭ ପାଉଥିବା କହିଥିଲେ। ଯାହାକି ଧାନଚାଷ ଠାରୁ କମଖର୍ଚ୍ଚ କରି ଅଧିକ ଲାଭ ହେଉଥିବା କହିଥିଲେ। ମାଣ୍ଡିଆର ଉପକାରିତା ସଂପର୍କରେ କହିବା ସହ ଜିଲାର ସମସ୍ତ ୫ଟିବ୍ଳକରେ ୫ଟି ମାଣ୍ଡିଆ ରଥ ବାହାରି ଚାଷୀଙ୍କୁ ସଚେତନତା କରିବ ବୋଲି କହିଥିଲେ। ଗୋବିନ୍ଦାଳୟର ଅଧ୍ୟକ୍ଷ ସନ୍‍ମୁଗା ପାତ୍ର ଯୋଗଦେଇ ଗୋବିନ୍ଦାଳୟରେ ବହୁ ସେବା କାର୍ଯ୍ୟ ଚାଷଓ ଚାଷୀ ର ଉନ୍ନତି ପାଇଁ ନିଆଯାଇ ଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ଅବଗତ କରାଇଥିଲେ। ମାଣ୍ଡିଆ ମିଶନର ଜିଲା ସଂଯୋଜକ ମନୋଜ କୁମାର ମାଗଲି, ଗୋବିନ୍ଦାଳୟର ବ୍ଲକ ସଂଯୋଜକ ସୁରେନ୍ଦ୍ର ଜୁଏଡ ସମେତ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

Comments are closed.