ଦେଢ ମାସରେ ୧୮ ଜୀବନ ନେଲାଣି ଅଜଣା ରୋଗ, ସ୍ବାସ୍ଥ୍ୟ ବିଭାଗ ପାଖରେ ନାହିଁ କୌଣସି ସୂଚନା

ନବରଙ୍ଗପୁର : ଅଜଣା ରୋଗରେ ନବରଙ୍ଗପୁର ଜିଲା କୋଷାଗୁମୁଡା ବ୍ଲକ ଅଞ୍ଚଳରେ ଦେଢ ମାସରେ ଗଲାଣି ୧୮ ଜୀବନ କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବିଭାଗ ନିକଟରେ ଏନେଇ କୌଣସି ସୂଚନା ନାହିଁ । କୋଭିଡ୧୯ ସମୟରେ ଏଭଳି ଅସ୍ୱାଭିବିକ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ କୋକୁଆଭୟର ସ୍ଥିତି ସୃଷ୍ଟି ହୋଉଛି ।ସୂଚନାଅନୁସାରେ ନବରଙ୍ଗପୁର ଜିଲା କୋଷାଗୁମୁଡା ବ୍ଲକ ବଡଆଟିଗାଁରେ, କୋଷାଗୁମୁଡ଼ା ବ୍ଲକ ବଡ ଆଟିଗାଁ ପଞ୍ଚାୟତ ସଦରରେ ଚଳିତ ମାସ ୧୫ ତାରିଖ ସୁଦ୍ଧା ମୋଟ ୧୮ ଜଣଙ୍କର ମୃତ୍ୟୁ ଘଟିଥିବା ଗ୍ରାମବାସୀ ମାନେ କହିଛନ୍ତି । କୋଷାଗୁମୁଡା ବ୍ଲକ ଆଟିଗାଁ ରେ ମୋଟ ୭୬୦ ପରିବାର ବସବାସ କରୁଥିବା ବେଳେ, ଲୋକଙ୍କ ସ୍ୱାସ୍ଥ୍ୟପାଇଁ ୨ ଟି ଅଙ୍ଗନବାଡି ସହ ଗୋଟିଏ ଉପ ସ୍ୱାସ୍ଥ୍ୟକେନ୍ଦ୍ର ରହିଛି।

ଗାଁରେ ଗତ ଅଗଷ୍ଟ ୫ ତାରିଖରୁ ବର୍ତ୍ତମାନ ସୁଦ୍ଧା ମୋଟ ୪୨ ଦିନରେ ୩/୪ ଦିନ ବ୍ୟବଧାନରେ ମୋଟ ୧୮ ଜଣ ମୃତ୍ୟୁ ହୋଇଥିବା ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି । ମୃତକ ମାନଙ୍କ ମଧ୍ୟରେ ଏକ ବର୍ଷରୁ କମ ୩ ଜଣ ରହିଥିବା ବେଳେ,୧୫ରୁ ୧୬ ବର୍ଷ ବୟସର ୨ ଜଣ ଯୁବତୀ , ୨୫ରୁ ୩୫ ବର୍ଷ ବୟସର ୭ ଜଣ ଏବଂ ୪୦ରୁ ୫୦ ଏବଂ ପ୍ରାପ୍ତ ବୟସ୍କ ୬ ଜଣ ରହିଛନ୍ତି । ଏହି ୧୮ ଜଣ ମଧ୍ୟରୁ ଅଧିକାଂଶ ଲୋକ ପ୍ରଥମେ ଜ୍ଵର ଏହାପରେ ଝାଡାବାନ୍ତି ହୋଇ ମୃତ୍ୟୁବରଣ କରିଥିବା ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି । ଗତ ୪୨ ଦିନରେ ୧୮ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଲୋକେ ଭୟଭୀତ ଅବସ୍ଥାରେ ଥିବାବେଳେ ଏ ପର୍ଯ୍ୟନ୍ତ ସ୍ଥାନୀୟ ଅଂଚଳକୁ ସ୍ୱାସ୍ଥ୍ୟ ବିଭାଗ ର କୌଣସି କର୍ମଚାରୀ ଆସିନଥିବା ଗ୍ରାମର ସରପଞ୍ଚ ଗୁରୁବାରୁ ମାଝୀ, ସ୍ଥାନୀୟ ଅଞ୍ଚଳର ଡମ୍ବୁରୁ ମାଝୀ ପ୍ରମୁଖ ଅଭିଯୋଗ କରିଛନ୍ତି।

ଏପଟେ କରୋନା ମହାମାରୀ ସମୟରେ ଅଜଣା ରୋଗରେ ୧୮ ଜଣକ ମୃତ୍ୟୁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଗ୍ରାମରେ ଗୋଟିଏ ଉପ-ସ୍ୱାସ୍ଥ୍ୟକେନ୍ଦ୍ର ଥିଲେ ହେଁ କୌଣସି ସ୍ୱାସ୍ଥ୍ୟକର୍ମୀ ନଥିବା ସହ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଦୂରରେ ଥିବା ଯୋଗୁଁ ଲୋକେ ଉତ୍ତମ ସ୍ଵାସ୍ଥ୍ୟସେବା ପାଇ ପାରୁନଥିବା ଗୋଟିଏ କାରଣ ହୋଇଥିବା ବେଳେ, ପଞ୍ଚାୟତକୁ ସ୍ୱାସ୍ଥ୍ୟ କର୍ମୀ ଯାଉନଥିବାରୁ ଦେଢ଼ ମାସ ମଧ୍ୟରେ ୧୮ ଜଣଙ୍କ ମୃତ୍ୟୁ ହୋଇଯିବା ପରେ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ପାଖରେ ଏନେଇ କୌଣସି ଖବର ମଧ୍ୟ ନଥିବା ଜିଲା ସ୍ୱାସ୍ଥ୍ୟ ବିଭାଗ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏନେଇ ନବରଙ୍ଗପୁର ସିଡିଏମଓ ଶୋଭାରାଣୀ ମିଶ୍ରଙ୍କୁ ଯୋଗାଯୋଗ କରିବାରୁ ସେ ଏ ସମ୍ପର୍କରେ କିଛି ଜାଣିନଥିବା କହିଛନ୍ତି, ସେ ତୁରନ୍ତ ବଡ ଆଟିଗାଁ ଗ୍ରାମକୁ ସ୍ୱାସ୍ଥ୍ୟଟିମ ପଠାଇ ସ୍ଥିତି ଅନୁଧ୍ୟାନ କରିବେ ବୋଲି କହିଛନ୍ତି।

ପ୍ରକାଶ ଥାଉଯେ ନବରଙ୍ଗପୁର ଜିଲାରେ ଆବଶ୍ୟକତା ଠାରୁ ବହୁତ ଡାକ୍ତର ପଦବୀ ଖାଲି ପଡିଥିବା ବେଳେ, ଏ ନେଇ ବାରମ୍ବାର ଅଭିଯୋଗ ହେଉଛି। ଏପରି ସ୍ଥଳେ ୧୮ ଜଣଙ୍କ ମୃତ୍ୟୁ ପରେ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ନିକଟରେ ଖବର ନଥିବା, ଜିଲାରେ ସ୍ୱାସ୍ଥ୍ୟବସ୍ଥା କିଭଳି ଭାବରେ ରହିଛି ଏହା ସହଜରେ ଅନୁମାନ କରିହେଉଛି ।

Comments are closed.