ଭିଡିଓ ଭାଇରାଲ, ଧାରଣାରତ ଡାକ୍ତରଙ୍କୁ ମୁଣ୍ଡିଆ ମାରି କ୍ଷମା ମାଗିଲେ ସିଡିଏମଓ

ନବରଙ୍ଗପୁର: ଡାକ୍ତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଦୁର୍ବ୍ୟବହାର କରିଥିବା ପ୍ରତିବାଦରେ ଆଜି ଡକ୍ଟର ଜଣଙ୍କ ସିଡିଏମଓ କାର୍ଯ୍ୟାଳୟ ସାମନାରେ ଧାରଣାରେ ବସିଥିବା ବେଳେ ସମାଧାନ ନ ହେଲେ ଧାରଣାରୁ ଉଠିବେ ନାହିଁ ବୋଲି ଡାକ୍ତର ନିଜ ଜିଦରେ ଅଟଳ ଥିବା ଏବେ ଚର୍ଚ୍ଚାର ବିଷୟ ପାଲଟି ଥିବାବେଳେ ଡାକ୍ତରଙ୍କ ସପକ୍ଷରେ ନବରଙ୍ଗପୁର ବିଜେପି ଘଟଣା ସ୍ଥଳରେ ପହଁଚି ସିଡିଏମଓଙ୍କୁ ଜବାବ ତଲବ କରିବା ସହ ସିଡିଏମଓଙ୍କୁ ଉତ୍ତର ରଖିବା ପାଇଁ ଚାପ ପକେଇଥିବା ଜଣାପଡିଥିଲା।

ସୂଚନା ମୁତାବକ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତରଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରି କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡକ୍ଟର ସଚିକାନ୍ତ ଲେଙ୍କା ନିଜ କିଛି ଅଭିଯୋଗ ନେଇ ଗତ ସୋମବାର ଦିନ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡକ୍ଟର ଶୋଭାରଣୀ ମିଶ୍ରଙ୍କୁ ନବରଙ୍ଗପୁର ସ୍ଥିତ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରିଥିଲେ। ଗତ ୫ ବର୍ଷ ଧରି ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚାକିରୀ କରିବା ଦିନ ଠାରୁ ତାଙ୍କୁ କୌଣସି କ୍ୱାଟର ଯୋଗାଇ ଦିଆଯାଉନଥିବା, ତାଙ୍କୁ ବର୍ତ୍ତମାନ ସୁଦ୍ଧା କେବିକେ ଇନସେଣ୍ଟିଭ ପ୍ରଦାନ କରାଯାଉନଥିବା, ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ଚିକିତ୍ସାଧିକାରୀ ଡ଼ଃ ପଣ୍ଡା କୌଣସି ସହଯୋଗ କରୁନଥିବା ସହ ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏକ ଦୁର୍ନୀତିର ଗନ୍ତାଘର ପାଲଟିଯାଇଥିବା ନେଇ ଡକ୍ଟର ସଚିକାନ୍ତ ଲେଙ୍କା ସିଡିଏମଓଙ୍କୁ ସାକ୍ଷାତ କରି ଅଭିଯୋଗ କରିବାକୁ ଆସିଥିଲେ।

ଅଭିଯୋଗ ଶୁଣି ତାହାର ସମାଧାନ କରିବା ବଦଳରେ ସିଡିଏମଓ ଦୁର୍ବ୍ୟବହାର କରିଥିଲେ। ଆଜି ପୁଣି ଡାକ୍ତର ଜଣକ ସିଡିଏମଓଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟିବାକୁ ଯାଇଥିବା ବେଳେ ସିଡିଏମଓ ତାଙ୍କୁ କୁକୁର ତୁଲ୍ୟ ଦୁର୍ବ୍ୟବହାର କରି ଏଠି କାହିଁକି କୁକୁର ଭଳି ଭୋକୁଛ ବୋଲି କହିଥିବା ଡକ୍ଟର ଅଭିଯୋଗ କରିବା ସହ ଦୁର୍ବ୍ୟବହାର ପ୍ରତିବାଦରେ ଡାକ୍ତର ଶ୍ରୀ ଲେଙ୍କା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିଥିଲେ। ସିଡିଏମଓଙ୍କ ଠାରୁ ଜବାବ ଚାହିଁଥିଲେ। ଅପରପକ୍ଷରେ ଦୁର୍ବ୍ୟବହାର ଅଭିଯୋଗକୁ ଖଣ୍ଡନ କରିବା ଏବଂ ଡକ୍ଟର ତାଙ୍କୁ ଓଲଟା ଦୁର୍ବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି ସିଡିଏମଓ। ଯାହାର ପ୍ରମାଣ କାର୍ଯ୍ୟାଳୟରେ ଲାଗିଥିବା ସିସିଟିଭି କ୍ୟାମେରାରେ ରେକର୍ଡ ଥିବା ପ୍ରକାଶ କରିଛନ୍ତି ସିଡିଏମଓ। ଏପଟେ ଏହି ଘଟଣାକୁ ନେଇ ଡାକ୍ତରଙ୍କ ଧାରଣାକୁ ନବରଙ୍ଗପୁର ବିଜେପି ପକ୍ଷରୁ ସମର୍ଥକନ ଜଣାଇ ବିଜେପିର ଏକ ପ୍ରତିନିଧି ଦଳ ଧାରଣା ସ୍ଥଳରେ ପହଂଚି ସିଡିଏମଓଙ୍କ ଜଣେ କର୍ତବ୍ୟରତ ଡାକ୍ତରଙ୍କୁ ଏପରି ବ୍ୟବହାରକୁ ନିନ୍ଦା କରିବା ସହ ସିଡିଏମ ଜବାବ ରଖିବା ପାଇଁ ଦାବି କରିଥିଲେ।

ପରିସ୍ଥିତି ଜଟିଳ ହେବାରୁ ନବରଙ୍ଗପୁର ଜିଲ୍ଲାପାଳ ଏଡ଼ିଏମଓଙ୍କୁ ଘଟଣା ସମ୍ପର୍କରେ ଅନୁଧ୍ୟାନ ପାଇଁ ଘଟଣା ସ୍ଥଳକୁ ଯିବାପାଇଁ ନିର୍ଦେଶ ଦେବାପରେ ଏଡ଼ିଏମ ଭାସ୍କର ରଇତ, ନବରଙ୍ଗପୁର ଥାନା ଅଧିକାରୀ ତାରିକ ହୁସେନ ପ୍ରମୁଖ ଧାରଣା ସ୍ଥଳରେ ପହଂଚିଥିଲେ। ସମସ୍ତଙ୍କ ଉପସ୍ଥିତିରେ ସିଡିଏମଓ ଶ୍ରୀମତୀ ମିଶ୍ର ଧାରଣା ସ୍ଥଳକୁ ଆସି ଧାରଣାରେ ବସିଥିବା ଡାକ୍ତରଙ୍କୁ ହାତ ଟେକି ଜୁହାର କରିବା ସହ ଡାକ୍ତରଙ୍କୁ ମୁଣ୍ଡିଆ ମାରି ମୋର ଭୁଲ ହେଇଗଲା କହିବା ସହ ବିଜେପି କର୍ମୀମାନଙ୍କୁ ମଧ୍ୟ ମୁଣ୍ଡିଆ ମାରିବା ଦେଖିବାକୁ ମିଳିଥିଲା। ଏହାପରେ ଏଡ଼ିଏମ ଡାକ୍ତରଙ୍କ ସହ ଆଲୋଚନା କରି ତାଙ୍କୁ ଧାରଣା ସ୍ଥଳରୁ ଉଠାଈବା ପରେ ଏକ ହାଇଡ୍ରାମାର ଅନ୍ତ ଘଟିଥିଲା। ସିଡିଏମଓଙ୍କ ମୁଣ୍ଡିଆ ମାରିବା ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହେବାରେ ଲାଗିଥିବା ବେଳେ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି।

Comments are closed.