ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସାମ୍ବାଦିକ ୟୁନିୟନ ସଭାପତିଙ୍କୁ ଧନ୍ୟବାଦ ଜଣାଇଲେ ନବରଙ୍ଗପୁର ଜିଲ୍ଲା ସାମ୍ବାଦିକ ୟୁନିୟନ

ନବରଙ୍ଗପୁର : ସାମ୍ବାଦିକଙ୍କୁ ମିଳିଲା ସମ୍ମୁଖ ଯୋଦ୍ଧା ମାନ୍ୟତା । ସାମ୍ବାଦିକଙ୍କୁ ମହାମାରୀର ସମ୍ମୁଖ ଯୋଦ୍ଧା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଆଜି ଲକଡାଉନ ଘୋଷଣା ହୋଇଥିବା ବେଳେ କୋଭିଡ ଯୁଦ୍ଧରେ ନିୟୋଜିତ ସାମ୍ବାଦିକଙ୍କ ଦାବି ଶେଷରେ ପୂରଣ ହୋଇଛି ।
ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପରେ ୬୯୪୪ ଜଣ ସାମ୍ବାଦିକ ଉପକୃତ ହୋଇପାରିବେ । ସମ୍ମୁଖ ଯୋଦ୍ଧା ଘୋଷଣା ଅବସରରେ ସାମ୍ବାଦିକ ମାନଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ । ସଂକ୍ରମଣ ଭୟ ଭିତରେ ସାମ୍ବାଦିକମାନେ ରାଜ୍ୟକୁ ଅନବରତ ସେବା ଯୋଗାଉଥିବା ବେଳେ ପୂର୍ବରୁ ଡାକ୍ତର , ସ୍ବାସ୍ଥ୍ୟକର୍ମୀ , ସଫେଇ କର୍ମୀ ମାନଙ୍କୁ ସମ୍ମୁଖ ଯୋଦ୍ଧା ଘୋଷଣା କରାଯାଇଥିଲା । ସାମ୍ବାଦିକଙ୍କୁ ମଧ୍ୟ ସମୁଖ ଯୋଦ୍ଧା ଘୋଷଣା କରାଯାଉ ବୋଲି ବିଭିନ୍ନ ସମୟରେ ଦାବି କରାଯାଇଥିଲା । ସରକାରଙ୍କ ଏହି ନିଷ୍ପତିକୁ ନବରଙ୍ଗପୁର ଜିଲ୍ଲା ସାମ୍ବାଦିକ ୟୁନିୟନ (ଓୟୁଜେ ) ସ୍ୱାଗତ ଜଣାଇବା ସହ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇଛନ୍ତି ।  ଏଥିସହ ବାରମ୍ବାର ଦାବି କୁ ସରକାର ପାଖରେ ଉପସ୍ଥାପନା କରିଥିବା ରାଜ୍ୟ ସାମ୍ବାଦିକ ୟୁନିଅନ (ଓୟୁଜେ ) ସଭାପତି ପ୍ରସନ୍ନ ମହାନ୍ତିଙ୍କୁ ନବରଙ୍ଗପୁର ଶାଖା ତରଫରୁ ଧନ୍ୟବାଦ ଜଣାଇଥିବା ନବରଙ୍ଗପୁର ଜିଲ୍ଲା ସାମ୍ବାଦିକ ୟୁନିୟନ ସଭାପତି ସୁଶାନ୍ତ କୁମାର ବେହେରା ସୂଚନା ଦେଇଛନ୍ତି |

Comments are closed.