ନବରଙ୍ଗପୁରରେ ଥମୁନି କରୋନା, କୋଭିଡ୍‍ ଡାକ୍ତରଖାନା ପାଇଁ ଦାବି

ନବରଙ୍ଗପୁର: ଦକ୍ଷିଣ ଓଡିଶା ଭିତରୁ ନବରଙ୍ଗପୁର ଜିଲାରେ ସର୍ବାଧିକ କରୋନାରେ ଆକ୍ରାନ୍ତ ମୋଟ ସଂଖ୍ୟା ୨୧୪୬ରେ ପହଞ୍ଚିଛି। ଦିନକୁ ଦିନ ଏହା ବୃଦ୍ଧି ପାଉଥିବା ବେଳେ ରବିବାର ଗୋଟିଏ ଦିନରେ ସର୍ବାଧିକ ୩୧୮ ଜଣ ଆକ୍ରାନ୍ତ ହୋଇଛନ୍ତି।ସେଥି ମଧ୍ୟରୁ ୬୨ ଜଣ ନବରଙ୍ଗପୁର କୋଭିଡ ଡାକ୍ତରଖାନାରେ ଚିକତ୍ସିତ ହେଉଛନ୍ତି। ମୋଟ ୧୮୦୨ ଜଣ ନିଜ ଘରେ ଏକାନ୍ତବାସରେ ରହିଛନ୍ତି। ଅନ୍ୟମାନେ ଜିଲା ବାହାର କୋଭିଡ ଡାକ୍ତରଖାନାରେ ଚିକତ୍ସିତ ହେଉଛନ୍ତି। ତେବେ ୨୦୦ରୁ ଅଧିକ ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣାଯାଇଥିଲେ ହେଁ ସରକାରୀ ଭାବେ କୈାଣସି ତଥ୍ୟ ଦିଆଯାଇନି।

ଆଜି ଜିଲାରେ ସବୁଠାରୁ ଅଧିକ ୩୧୮ ଜଣ ଆକ୍ରାନ୍ତ ହେବା ନେଇ ସମସ୍ତଙ୍କୁ ଚିନ୍ତା ବଢାଇଥିବା ବେଳେ ଚନ୍ଦାହାଣ୍ଡି ବ୍ଳକରେ ସର୍ବାଧିକ ୯୬ ଜଣ ଆକ୍ରାନ୍ତ ହୋଇଛନ୍ତି। ରାଇଘର ବ୍ଳକରେ ୭୨ ଜଣ, ଝରିଗାଁ ବ୍ଳକରେ ୨୯ ଜଣ, ଉମରକୋଟ ବ୍ଳକରେ ୩୭ ଜଣ, ଉମରକୋଟ ପୈାରାଞ୍ଚଳରେ ୧୫ ଜଣ, ନବରଙ୍ଗପୁର ପୈାରାଞ୍ଚଳରେ ୯ ଜଣ, ନବରଙ୍ଗପୁର ବ୍ଳକରେ ୭ ଜଣ, ଡାବୁଗାଁ ବ୍ଲକରେ ୨ ଜଣ, ପାପଡାହାଣ୍ଡିବ୍ଳକରେ ୭ ଜଣ, କୋଷାଗୁମୁଡା ବ୍ଳକରେ ୨ ଜଣ, ତେନ୍ତୁଳିଖୁଣ୍ଟି ବ୍ଳକରେ ୩୬ ଜଣ ଓ ନନ୍ଦାହାଣ୍ଡି ବ୍ଳକରେ ୬ ଜଣ ଆକ୍ରାନ୍ତ ହୋଇଛନ୍ତି।

ଉମରକୋଟ ସହରର ୧୫ ଜଣ ମଧ୍ୟରୁ କେନାଲ ସାହି, ମେନରୋଡ, ଦରଗାଗୁଡା, ଡିଏନକେ, ଗୁଲିପାଟଣା, କୁଷୁମ ଗୁଡା, ନୂଆଗୁଡା, ରୟାଲ ସାହି, ୱର୍ଡ ନମ୍ବର-୨, ୪,୧୨ ଓ ୧୦ ଏବଂ ଭାଲୁଗୁଡାରେ ଆକାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ନବରଙ୍ଗପୁର ସହରରେରେ ୯ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଧୋବା ସାହି, ଦାରୁବନ୍ଧ ସାହି, ମହମା ନଗର, ଆକ୍ସିସ ବ୍ୟାଙ୍କ ପାଖ, ଚାଉଁରିଆ ଗୁଡା, ୱାର୍ଡ ନମ୍ବର ୩, ୱାର୍ଡ ନମ୍ବର ୧୨, ଆସାମ କଳୋନୀ ଓ ଗାନ୍ଧିନଗରରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ତେବେ ଛତିଶଗଡ ରାଜ୍ୟର ସୀମାନ୍ତ ଜିଲାର ଚନ୍ଦାହାଣ୍ଡି ବ୍ଳକ, ଝରିଗାଁ ବ୍ଲକ, ରାଇଘର ବ୍ଲକ, ଉମରକୋଟ ବ୍ଲକ ଓ ଉମରକୋଟ ପୌରାଞ୍ଚଳରେ ଦିନକୁ ଦିନ ପ୍ରବଳ ଗତିରେ କୋରାନା ଆକ୍ରାନ୍ତ ବୃଦ୍ଧି ପାଉଛି। ଏହି ଅଞ୍ଚଳରେ ପ୍ରାୟ ୧୨୦୦ରୁ ଅଧିକ ଆକ୍ରାନ୍ତ ହୋଇ ସାରିଥିବା ବେଳେ ଏହି ଅଞ୍ଚଳରୁ ନବରଙ୍ଗପୁର ବହୁ ଦୂର ପଡୁଛି। ତେଣୁ ଏହି ଅଞ୍ଚଳର ଗୁରୁତର ଆକ୍ରାନ୍ତ ରୋଗୀଙ୍କୁ ଜରୁରୀକାଳନୀ ଚିକିତ୍ସା ପାଇଁ ଉମରକୋଟ ଠାରେ କୋଭିଡ ଡାକ୍ତରଖାନା ପ୍ରତିଷ୍ଠା କରିବାକୁ ଅଞ୍ଚଳବାସୀ ଦୃଢଦାବି କରିଛନ୍ତି। ଜିଲାରେ ନବରଙ୍ଗପୁରରେ ହିଁ କେବଳ ଗୋଟିଏ କୋଭିଡ ଡାକ୍ତରଖାନା ରହିଥିବା ବେଳେ ଉମରକୋଟରେ ଆଉ ଏକ କୋଭିଡ ଡାକ୍ତରଖାନା ପ୍ରତିଷ୍ଠାର ଆବଶ୍ୟକତା ଦେଖାଦେଇଛି। ରାଜ୍ୟ ସରକାର ତଥା ଜିଲା ପ୍ରଶାସନ କରୋନା ଆକ୍ରାନ୍ତର ଭୟାବହତାକୁ ଦୃଷ୍ଟିରେ ରଖି ଏଥିପ୍ରତି ପଦକ୍ଷେପ ନେବାକୁ ଦାବି ହେଉଛି।

Comments are closed.