ରାଷ୍ଟ୍ରୀୟ ସମାଜସେବୀ ପରିଷଦର ବୈଠକ

ନବରଙ୍ଗପୁର: ସମାଜରେ ଘଟୁଥିବା ନାରୀ ନିର୍ଯ୍ୟାତନା, ବାଲ୍ୟ ବିବାହ, ପାରିବାରିକ ବିଶୃଙ୍ଖଳା, ଜାତିଗତ କଟକଣା ଓ ପାରମ୍ପରିକ ଅନ୍ଧବିଶ୍ୱାସ ସମସ୍ତକୁ ବହୁ ପଛକୁ ଠେଲି ଦେଇଛି । ଏକ ସୁସ୍ଥ ପରିବାର, ନୀତିନିଷ୍ଠ ବ୍ୟକ୍ତିତ୍ଵ, ଆଦର୍ଶ ଗ୍ରାମ ଓ ଭ୍ରାତୃଭାବ ଆଧାରର ଦେଶ ଗଠନ ଆମର ଲକ୍ଷ୍ୟ । ସମସ୍ତେ ସମାନ ଅଧିକାର, ବଞ୍ଚିବାର ସଫଳତା ନେଇ ନିର୍ଯାତନା ବିହିନ ସଂସାର ଗଢି ଆଗାମୀ ପିଢିକୁ ଆଦର୍ଶ ଓ ନୈତିକତାର ମୂଲ୍ୟବୋଧ ସମ୍ପର୍କରେ ପ୍ରେରଣା ଦିଅନ୍ତୁ । ସାରା ଦେଶ, ସାରା ରାଜ୍ୟ ପାରସ୍ପରିକ ସହବନ୍ଧ ନେଇ ଅଗ୍ରସର ହେବାକୁ ରାଷ୍ଟ୍ରୀୟ ସମାଜସେବୀ ପରିଷଦର ରାଜ୍ୟ ମହିଳା ସଭାନେତ୍ରୀ ପ୍ରିୟମ୍ଵଦା ନାୟକ ଆହ୍ୱାନ କରିଛନ୍ତି । ବେସାହାରା ଗରୀବ ଅସହାୟା ମହିଳା, ନିର୍ଯାତିତା, ନିପୀଡିତା ନାରୀ, ନାବାଳକ, ଅସହାୟ ବୃଦ୍ଧ, ଗରୀବ ଲୋକ ନିଜ ଅଧିକାରରୁ ବଞ୍ଚିତ ହେଉଥିଲେ ଏହି ଅନୁଷ୍ଠାନ ବିନା ମୂଲ୍ୟରେ ସେମାନଙ୍କ ସକାଶେ ୨୪ଘଣ୍ଟା ସେବା ସହଯୋଗ କରୁଛି ତା ସହ ସ୍ଵାସ୍ଥ୍ୟ ସେବା ରକ୍ତଦାନ ମହତ କାର୍ଯ୍ୟ ସକାଶେ ମଧ୍ୟ ଏହା ପ୍ରମୁଖ ଭୂମିକା ନିଭାଇ ଆସିଛି ।

ଶ୍ରୀରାମକୃଷ୍ଣ ତପୋବନ ଆଶ୍ରମ ମଧ୍ୟରେ ଅନୁଷ୍ଠିତ ଏହି ବେସରକାରୀ ସେବାମୂଳକ ଅନୁଷ୍ଠାନର ପ୍ରଥମ ସାଂଗଠନିକ ବୈଠକରେ ସଭାନେତ୍ରୀ ଅନୁଷ୍ଠାନର ଆଭିମୁଖ୍ୟ, ସମାଜରେ ଏହାର ପ୍ରଭାବ, ସହଯୋଗ ଓ ଜନସଚେତନତା ନେଇ ବୁଝାଇ ଥିଲେ । କୃଷ୍ଣଚନ୍ଦ୍ର ବେହେରାଙ୍କ ଆବାହକତ୍ଵରେ ଅନୁଷ୍ଠିତ ଏହି ପ୍ରଥମ ବୈଠକରେ ଅନୁଷ୍ଠାନର ରାଜ୍ୟ ସମ୍ପାଦିକା ସୁସ୍ମିତା ମହାନ୍ତି ଅନୁଷ୍ଠାନର ସଫଳତା ଓ ଯୁବମାନସରେ ଏହାର ସୁପ୍ରଭାବ ନେଇ ଆଲୋକପାତ କରିଥିଲେ । ନବରଙ୍ଗପୁର ପରି ଅନୁନ୍ନତ ଅଞ୍ଚଳରେ ଶିକ୍ଷା ସ୍ବାବଲମ୍ଵନଶୀଳତା ସହ ସାମାଜିକ କୁପ୍ରଥା ବିରୋଧରେ ଲଢି ସମସ୍ତଙ୍କୁ ନ୍ୟାୟ ପ୍ରଦାନ ପୂର୍ବକ ଉନ୍ନତ ପରିବେଶ ଗଢିବା ଲକ୍ଷ୍ୟ ନେଇ ଅନୁଷ୍ଠାନ କାମ କରିବ ।

ସମାଜର ସବୁ ବର୍ଗର ଲୋକ ଭାଇଚାରା ରୋପି ଶୋଷଣ ଓ ଅତ୍ୟାଚାର ମୁକ୍ତ ହୋଇ ବଞ୍ଚିବାର ଅଧିକାର ପାଇବାକୁ ଏ ଅନୁଷ୍ଠାନ ତିଆରି।ଅଞ୍ଚଳ, ଜିଲ୍ଲା ଓ ରାଜ୍ୟ ମଧ୍ୟରେ କାର୍ମିକ ଦୂରତା ହ୍ରାସ ପାଇ ପ୍ରତ୍ୟେକ ଲୋକ ନ୍ୟାୟ, ସେବା,ବିଚାର, ଶିକ୍ଷା,ସଂସ୍କାର ଓ ଆର୍ଥିକ ସୁବିଧା ଲାଭ ଏହାର ଲକ୍ଷ୍ୟ ବୋଲି କୁହାଯାଇଥିଲ। । ଏହି ବୈଠକରେ ସମାଜସେବୀ ସର୍ବେଶ୍ଵର ତ୍ରିପାଠୀ, ସୁଧୀର ପାତ୍ର, ଜଗନ୍ନାଥ ବେହେରା, ବବିତା ସାହୁ, ତରୁଣ କୁମାର, ମୋହନ ଚରଣ ପଟ୍ଟନାୟକ, ତୁଳାରାମ ସୁନା, ପ୍ରେମାନନ୍ଦ ବିଷୟୀ ପ୍ରମୁଖ ଉପସ୍ଥିତ ଥିଲେ । ସର୍କିଟ ହାଉସରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ପରିଷଦର ସେବାକାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ ଓ ଗଣମାଧ୍ୟମର ସହଯୋଗ କାମନା କରିଥିଲେ ।

Comments are closed.