ଗିରଫ ଯନ୍ତ୍ରୀଙ୍କୁ ନେବାବେଳେ ଭିଜିଲାନ୍ସ ଗାଡିକୁ ଅଟକାଇଲେ ସ୍ଥାନୀୟ ଲୋକେ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ କନିଷ୍ଠ ଯନ୍ତ୍ରୀ ବୀଣାପାଣି ବେହେରାଙ୍କ ବାସଭବନରେ ମଙ୍ଗଳବାର ଅପରାହ୍ନରେ ଭିଜିଲାନ୍ସ ଟିମ୍‌ ଅତର୍କିତ ଚଢ଼ଉ କରିଥିଲେ। ନବରଂଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ଅନ୍ତର୍ଗତ ମୁଦୁଲିଗୁଡ଼ା ଗାଁରର ମନଧର ଦିସାରିଙ୍କ ଲିଖିତ ରିପୋର୍ଟ ଆଧାରରେ କୋରାପୁଟ ଭିଜିଲାନ୍ସ ଏନେଇ ଏକ ମାମଲା ରୁଜୁ କରିଛି। ଶ୍ରୀ ଦିସାରି ତାଙ୍କ ଅଭିଯୋାଗରେ ଦର୍ଶାଇଛନ୍ତି ଯେ, କାର୍ତ୍ତିଆଗୁଡ଼ାରୁ ମୁଦୁଲିଗୁଡ଼ା ରାସ୍ତା ନିର୍ମାଣ ଏବଂ ଏକ ଗାର୍ଡୱାଲ କାମ ପାଇଁ ଶ୍ରୀମତୀ ବେହେରା ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଜବାବରେ ୧ ଲକ୍ଷ ୨୫ ହଜାରର ଟଙ୍କାର ବିଲ ପାସ୍‌ କରିବାକୁ କହିଥିଲେ। ଏବାଦରେ ଶ୍ରୀ ଦିସାରି ଭିଜିଲାନ୍ସ ବିଭାଗକୁୁ ସୂଚନା ଦେବା ପରେ ଚଢ଼ଉ ପାଇଁ ଯୋଜନା କରାଯାଇଥିଲା।

ଆଜି ଅପରାହ୍‌ଣ ୪ଟା ୪୫ରେ ଭିଜିଲାନ୍ସ ବିଭାଗ ସରକାରୀ କ୍ବାର୍ଟରରେ ଅତର୍କିତ ଚଢ଼ଉ କରି ଯନ୍ତ୍ରୀଙ୍କ ଶୟନ କକ୍ଷରୁ ୨୦ ହଜାର ଲାଞ୍ଚ ଟଙ୍କା ଜବତ କରିଥିଲା। ଭିଜିଲାନ୍ସ ଟିମ ନିଜ ଗାଡ଼ିରେ ଯନ୍ତ୍ରୀଙ୍କୁ ନବରଙ୍ଗପୁର ନେବା ସମୟରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା। ସ୍ଥାନୀୟ ଲୋକେ ଯନ୍ତ୍ରୀଙ୍କ ଗିରଫ ପ୍ରତିବାଦରେ ଭିଜିଲାନ୍ସ ଗାଡିକୁ ଅବରୋଧ କରିଥିଲେ ଏବଂ ମହିଳା ଯନ୍ତ୍ରୀଙ୍କୁ ଜାଣିଶୁଣି ଫସାଇ ଦିଆଯାଇଥିବା ପ୍ରତିବାଦ କରି ଯନ୍ତ୍ରୀଙ୍କୁ ମୁକ୍ତ କରିବାକୁ ଦାବି କରିଥିଲେ। ଶେଷରେ ପୁଲିସ ପହଂଚିବା ପରେ ଗାଡିକୁ ଛାଡିଥିଲେ ସ୍ଥାନୀୟ ଲୋକେ।

Comments are closed.