ଚିକିତ୍ସା ପାଇଁ ଅର୍ଥାଭାବ: ଯୁବକଙ୍କୁ ଆଶାର ସଂଚାର ଯୋଗାଇଲା ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ, ସହଯୋଗର ପ୍ରତିଶୃତି ଦେଲେ ଡାବୁଗାଁ ବିଧାୟକ

ନବରଙ୍ଗପୁର: ଚିକିତ୍ସା ପାଇଁ ଅର୍ଥ ଅଭାବରୁ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଯୁବକଙ୍କୁ ଆଶାର ସଂଚାର ଯୋଗାଇଲା ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ। ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଖଲିଗୁଡ଼ା ଗ୍ରାମରେ ଏକ ଝାଟିମାଟି କୁଡ଼ିଆରେ ବସବାସ କରୁଥିବା ଉଦୟ ହରିଜନଙ୍କ ପରିବାରରେ ସ୍ତ୍ରୀ ଏବଂ ଦୁଇଗୋଟି ପୁଅ ମଧ୍ୟରୁ ବଡ଼ ପୁଅ ହମିଦ ହରିଜନ କିଛିଦିନ ହେବ ବାହାହୋଇ ଥିବାବେଳେ ସାନପୁଅ ସିଦ୍ଧାନ୍ତ ହରିଜନ ବୟସ ୨୦ ବର୍ଷ, କଲେଜରେ +୨ରେ ପାଠ ପଢୁଛି। ସାନ ପୁଅର ପାଠ ପଢ଼ା ଏବଂ ଘର ଚଳାଇବା ପାଇଁ ପିତା ଉଦୟ ଏବଂ ବଡପୁଅ ଦୁହେଁ ବାହାରେ କୁଲି ମଜୁରୀ କରି ଦୁଇ ପଇସା ଆଣିଲେ ଘର ଚାଲିଯାଏ। ସରକାରଙ୍କ ତରଫରୁ ଚାଉଳ ମିଳୁଥିଲେ ହେଁ ଏଯାଏଁ ଆବାସ ଯୋଜନାରେ ଘରଟିଏ ମିଳିପାରିନାହିଁ, ଯଦ୍ୱାରା କି ଝାଟିମାଟି ଘରେ ୫ ପ୍ରାଣୀ କୁଟୁମ୍ବ ଚଳି ଆସୁଥିଲେ।

ଆଜକୁ କିଛିମାସ ତଳେ ହଟାତ ଛୋଟ ପୁଅ ସିଦ୍ଧାନ୍ତର ଶରୀର ଅସୁସ୍ଥ ହୋଇ ପଡ଼ିଥିଲା। ପୁଅର ଚିକିତ୍ସା ପାଇଁ ଅର୍ଥ ଅଭାବରୁ ସରକାରୀ ଡାକ୍ତରଙ୍କୁ ଦେଖେଇବା ପରେ ସେମାନେ ଏହାର ଚିକିତ୍ସା ପାଇଁ ବାହାରକୁ ନେବାପାଇଁ କହିଥିଲେ। ପରିବାର ଲୋକେ ଧାର ଉଧାର କରି କୋରାପୁଟ ସହିଦ ଲକ୍ଷଣ ନାୟକ ମେଡିକାଲ ଏବଂ ପରେ ନବରଙ୍ଗପୁର ଖ୍ରୀଷ୍ଟିଆନ ମେଡିକାଲରେ ଦେଖାଇଥିଲେ ହେଁ ସ୍ୱାସ୍ଥ୍ୟ ଅବସ୍ଥାରେ କୌଣସି ଉନ୍ନତି ଦେଖା ଦେଲାନାହିଁ। ପ୍ରାୟ ଦୁଇମାସରୁ ଉର୍ଦ୍ଧ୍ବ ସମୟ ହେବ ସିଦ୍ଧାନ୍ତ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଅର୍ଥ ଅଭାବରୁ ଶଯ୍ୟାଶାୟୀ ଅବସ୍ଥାରେ ପଡି ରହି ମୃତ୍ୟୁ ସହ ସଂଗ୍ରାମ କରିଆସୁଛନ୍ତି। ପୁଅକୁ ରାଜ୍ୟ ବାହାରକୁ କିମ୍ବା ଭୁବନେଶ୍ୱର ନେଇ କୌଣସି ବଡ଼ ଡାକ୍ତରଖାନାରେ ଚିକିତ୍ସା କରିବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ ହେଁ ହାତରେ ଟଙ୍କା ଅଭାବରୁ ବିଛଣାରେ ପଡିରହିଛି ସିଦ୍ଧାନ୍ତ।

ବର୍ତମାନ ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମାଗଣାରେ ଚିକିତ୍ସା ପାଇଁ ସ୍ମାର୍ଟ କାର୍ଡ ପ୍ରଦାନ କରିବା ପରେ ପୁଅର ଚିକିତ୍ସା ପାଇଁ ପରିବାର ମଧ୍ୟରେ ଆଶାର ସଂଚାର ଦେଖାଦେଇଛି। ଏନେଇ ସିଦ୍ଧାନ୍ତର ପରିବାର ଲୋକେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀଙ୍କୁ ଯାଇ ଦୁଃଖ କହିବା ପରେ ବିଧାୟକ ଶ୍ରୀ ରନ୍ଧାରୀ କାର୍ଡ ବ୍ୟବହାର ସମ୍ପର୍କରେ ବୁଝାଇବା ସହ ରାଜ୍ୟ ବାହାରେ ବିଶାଖାପାଟଣାରେ ପୁଅର ସମସ୍ତ ଚିକିତ୍ସା ମାଗଣାରେ ହୋଇ ପାରିବ ବୋଲି କହିଥିଲେ। ଆବଶ୍ୟକ ପଡିଲେ ମୁଁ ସହଯୋଗ କରିବି ବୋଲି ବିଧାୟକ ପ୍ରତିଶୃତି ଦେଇଛନ୍ତି। ରାଜ୍ୟ ସରକାରଙ୍କ ସ୍ମାର୍ଟ କାର୍ଡ ଯୋଗୁଁ ସିଦ୍ଧାନ୍ତର ଚିକିତ୍ସା କରାଇ ଭଲ କରିଦେବାର ସ୍ବପ୍ନ ଦେଖିଛନ୍ତି ପରିବାର ଲୋକେ।

Comments are closed.