ପାପଡାହାଣ୍ଡି ଶହୀଦ ପୀଠ ପରିସରରେ ଉନ୍ମୋଚନ ହେଲା ୧୦୦ ଫୁଟ ଉଚ୍ଚତାର ଜାତୀୟ ଫ୍ଲାଗ ପୋଷ୍ଟ

ନବରଙ୍ଗପୁର/ପାପଡାହାଣ୍ଡି: ପାପଡାହାଣ୍ଡି ଶହୀଦ ପୀଠ ପରିସରରେ ଉନ୍ମୋଚନ ହେଲା ୧୦୦ ଫୁଟ ଉଚ୍ଚତା ବିଶିଷ୍ଟ ଜାତୀୟ ଫ୍ଲାଗ ପୋଷ୍ଟ, ଉନ୍ମୋଚନ କଲେ ନବରଙ୍ଗପୁର ସାଂସଦ। ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଠାରେ ଥିବା ଶହୀଦ ସ୍ମୃତି ପୀଠ ପରିସରରେ ଏକ ବୃହତମ ଜାତୀୟ ପତାକା ସ୍ଥାପନ କରାଯାଇଥିବା ବେଳେ ଶୁକ୍ରବାର ଏହି ଫ୍ଲାଗପୋଷ୍ଟର ଉନ୍ମୋଚନ ହୋଇଯାଇଛି। ଏହି ଅବସରରେ ବ୍ଲକ ପ୍ରଶାସନ ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପାପଡାହାଣ୍ଡିର ପ୍ରସିଦ୍ଧ ଶହୀଦ ପୀଠରେ ଏକ ବିରାଟ ଜାତୀୟ ପତାକା ସ୍ଥାପନ କରିବା ପାଇ ପୂର୍ବରୁ ପ୍ରତିଶୃତି ଦେଇଥିଲେ ଏବଂ ସେ ପ୍ରତିଶୃତି ପାଳନ କରିବା ସହ ଏଠାରେ ତାଙ୍କ ସାଂସଦ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ବ୍ୟୟରେ ଏହି ଜାତୀୟ ପତାକା ସ୍ଥାପନ ହୋଇପାରିଛି ବୋଲି କହିବା ସହ ଏହା ଜାତୀୟ ସ୍ମାରକୀ ହୋଇ ରହିବ ଏବଂ ଯେଉଁ ଶହୀଦମାନେ ଏଠାରେ ଦେଶପାଇଁ ବଳିଦାନ ଦେଇ ଦେଶକୁ ସ୍ୱାଧୀନ ଆଣିଥିଲେ ତାଙ୍କ ଉଦେଶ୍ୟରେ ଏହା ଉତ୍ସର୍ଗ ହୋଇଛି ବୋଲି ସାଂସଦ ଶ୍ରୀ ମାଝୀ କହିଛନ୍ତି।

ଅନ୍ୟତମ ସମ୍ମାନିତ ଅତିଥି ତଥା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ପାପଡାହାଣ୍ଡି ଠାରେ ବିରାଟ ଜାତୀୟ ପତାକା ଉନ୍ମୋଚନ ହେବା ଫଳରେ ପାପଡାହାଣ୍ଡି ଶହୀଦ ପୀଠର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଛି। ଏହି ଶହୀଦ ପୀଠ ପରିସରକୁ ଆହୁରି ଆକର୍ଷଣ କରିବା ସହ ଏହାର ରାକ୍ଷଣବେକ୍ଷଣ କରାଯିବା ପାଇଁ ପଦକ୍ଷେପ ନିଆଯାଇଥିବା କହିଥିଲେ। ସେହିପରି ନବରଙ୍ଗପୁର ଜିଲ୍ଲାପାଳ ଡଃ. କମଳ ଲୋଚନ ମିଶ୍ର ଯୋଗଦେଇ ୧ ଶହ ଫୁଟ ଉଚ୍ଚରେ ୩୦ ଫୁଟ ଓସାର ଓ ୨୦ ଫୁଟ ଲମ୍ବର ଜାତୀୟ ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ସାମିଲ ହୋଇ ଜିଲ୍ଲାବାସୀଙ୍କ ଦୀର୍ଘ ଦିନର ଆଶା ପୂରଣ ହୋଇପାରିଛି ବୋଲି କହିବା ସହ ପର୍ଯ୍ୟାୟ କ୍ରମେ ଏହି ପାର୍କର ଉନ୍ନତି ଓ ସୌନ୍ଦର୍ଯ୍ୟ କରାଯିବ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନବରଙ୍ଗପୁର ଜିଲ୍ଲା ଶହୀଦ ସ୍ମୃତି କମିଟି ସଭାପତି ମୁନା ତ୍ରିପାଠୀ, ପାପଡାହାଣ୍ଡି ଶହୀଦ ସ୍ମୃତି କମିଟି ସଭାପତି ସୋମନାଥ ବିଶୋଇ, ନବରଙ୍ଗପୁର ଜିଲ୍ଲା ପରିଷଦ ଅଧକ୍ଷା ଭଗବତୀ ଭତରା, ପୂର୍ବତନ ନବରଙ୍ଗପୁର ଜିଲ୍ଲା ପରିଷଦ ଅଧକ୍ଷ ମୋତିରାମ ନାୟକ, ବ୍ଲକ ଉପାଧ୍ୟକ୍ଷ ତ୍ରିନାଥ ପ୍ରଧାନ, ବିଡ଼ିଓ ରଂଜିତା ମଲିକ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.