ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ଯୋଗୁଁ ବେସରକାରୀ ଡାକ୍ତରଖାନାରେ ମିଳିଲା ମାଗଣା ଚିକିତ୍ସା

ନବରଙ୍ଗପୁର: ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ଯୋଗୁଁ ଭୁବନେଶ୍ୱର ବେସରକାରୀ ଡାକ୍ତର ଖାନାରେ ମାଗଣାରେ ଚିକିତ୍ସା ପାଇପାରିଛନ୍ତି ଜଣେ ମହିଳା ରୋଗୀ ଏବଂ ସରକାରଙ୍କ ଯୋଜନାର ଲାଭ ମିଳିଥିବାରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ରୋଗାକ୍ରାନ୍ତ ମହିଳା ଏବଂ ତାଙ୍କ ସ୍ୱାମୀ। ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ତୁମ୍ବର୍ଲା ପଂଚାୟତର ଗଵର୍ଲା ଗ୍ରାମରେ ବସବାସ କରୁଥିବା ଏକ ରୋଗାକ୍ରାନ୍ତ ମହିଳା ଜଣକ ସରକାରଙ୍କ ସ୍ମାର୍ଟ କାର୍ଡ ବ୍ୟବହାର କରି ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି।

ଗଵର୍ଲା ଗ୍ରାମରେ ବାସ କରୁଥିବା ସଂଜୀବ ନାଗଙ୍କ ସ୍ତ୍ରୀ ବନିତା କେଶରୀ ହରିଜନଙ୍କ ଆଜକୁ ୬/୭ ମାସ ପୂର୍ବେ ଦେହ ଖରାପ ହେବାରୁ ନବରଙ୍ଗପୁର ଏବଂ କୋରାପୁଟ ଡାକ୍ତର ଖାନାରେ ନେଇ ଦେଖାଇବା ପରେ ବନିତାଙ୍କ କିଡ଼ନୀ ଜନିତ ରୋଗ ଜାଣିବା ପରେ ଅଧିକ ଚିକିତ୍ସା ପାଇଁ ବିଶାଖାପାଟଣାକୁ ସ୍ଥାନାନ୍ତର ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। ବନିତାର ସ୍ୱାମୀ ସଂଜୀବ ଧାର ଉଧାର କରି ବିଶାଖାପାଟଣା ଯାଇ ସେଠାରେ ଚିକିତ୍ସା କରାଇଥିଲେ। ବହୁ କଷ୍ଟରେ ଥରେ ଦିଥର ବିଶାଖାପାଟଣା ନେଇ ଚିକିତ୍ସା କରିବା ପରେ ପାଖରେ ଆର୍ଥିକ ସମ୍ଭଳ ନଥିବା ଯୋଗୁଁ ଆଉ ସେ ଘରେ ରୋଗାକ୍ରାନ୍ତ ସ୍ତ୍ରୀର ଚିକିତ୍ସା କରାଇ ପାରିନଥିଲେ, ଧୀରେ ଧୀରେ ସ୍ତ୍ରୀର ସ୍ୱାସ୍ଥ୍ୟ ବିଗିଡ଼ିବା ପରେ ଡାକ୍ତରଙ୍କୁ ବୁଝିବା ପରେ ରୋଗୀକୁ ଡାଇଲସିସ କରିବାପାଇଁ ପରାମର୍ଶ ଦେବାସହ ବାହାର ଡାକ୍ତରଖାନାକୁ ନେବାପାଇଁ କହିଥିଲେ।

ସଂଜୀବ ପୁଣି ଇଆଡୁ ସିଆଡୁ କିଛି ଅର୍ଥ ଯୋଗାଡ଼ କରି ବହୁ କଷ୍ଟରେ ଭୁବନେଶ୍ୱର ସୋମ ମେଡିକାଲକୁ ଗତ ନଭେମ୍ବର ମାସ ୧୩ ତାରିଖରେ ଯାଇଥିଲେ। ସେଠାରେ ୫ ହଜାର ଟଙ୍କା ଅଗ୍ରିମ ଦେଇ ମେଡିକାଲରେ ଭର୍ତି କରି ଚିକିତ୍ସା ଆରମ୍ଭ କରିଥିଲେ। ସେଠାରେ ପ୍ରତି ସପ୍ତାହରେ ଦୁଇଥର ଡାଇଲସିସ କରିବାକୁ ପଡିବା ଶହ ଅଧିକା ଅର୍ଥ ଆବଶ୍ୟକ ପଡିବ ବୋଲି ଜାଣିବା ପରେ ସଂଜୀବ କୌଣସି ଉପାୟ ନ ପାଇ ନବରଙ୍ଗପୁର ସାଂସଦ ରମେଶ ମାଝୀଙ୍କୁ ଯୋଗାଯୋଗ କରି ଅସୁବିଧା ସମ୍ପର୍କରେ କହିଥିଲେ। ସାଂସଦ ଶ୍ରୀ ମାଝୀ ସଂଜୀବଙ୍କ ଚାଉଳ କାର୍ଡ ଅଛିକି ବୋଲି ପଚାରିଥିଲେ ଏବଂ ଚାଉଳ କାର୍ଡ ଓ ଆଧାର କାର୍ଡ ମାଗି ସମ ଡାକ୍ତରଖାନା ସହ ଯୋଗାଯୋଗ କରି ମହିଳା ଜଣଙ୍କ ସ୍ମାର୍ଟ କାର୍ଡରେ ନାଁ ଅନ୍ତର୍ଭୁକ୍ତ ଥିବା କହିଥିଲେ।

ସାଂସଦ କହିବା ପରେ ମେଡିକାଲ କର୍ତ୍ତୃପକ୍ଷ ସଂଗେ ସଂଗେ ସଂଜୀବକୁ ଡାକି ଅଗ୍ରିମ ବାବଦରେ ଦେଇଥିବା ୫ ହଜାର ଟଙ୍କା ଫେରସ୍ତ କରିବା ସହ ମାଗଣାରେ ଚିକିତ୍ସା ସହ ଔଷଧ ପତ୍ର ଦେବା ଆରମ୍ଭ କରିଦେଲେ, ଆଜି ପର୍ଯ୍ୟନ୍ତ ରୋଗୀ ମହିଳାଙ୍କୁ ୫ଟି ଡାଇଲସିସ କରିଥିବା ବେଳେ ବର୍ତମାନ ମଧ୍ୟ ତାଙ୍କର ମାଗଣାରେ ଚିକିତ୍ସା ଚାଲିଥିବା କହିଛନ୍ତି ସଂଜୀବ। ସ୍ମାର୍ଟ କାର୍ଡରେ ଏତେ ଫାଇଦା ସରକାର ଦେଇଥିବା ଏବଂ ସେ କେତେବଡ ବିପତ୍ତିରୁ ତ୍ରାହି ପାଇଛନ୍ତି ବୋଲି ଲୁହଭରା କଣ୍ଠରେ ପ୍ରକାଶ କରିଛନ୍ତି ମହିଳା ବନିତା। ଏଥିସହ ଏହି ଯୋଜନା କରି ଗରିବ ମୁହଁରେ ହସ ଫୁଟାଇଥିବା ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଏବଂ ନବରଙ୍ଗପୁର ସାଂସଦ ଶ୍ରୀ ମାଝୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ସଂଜୀବ ଏବଂ ତାଙ୍କ ପରିବାର ଲୋକ।

Comments are closed.