ନବରଙ୍ଗପୁର ମହାବିଦ୍ୟାଳୟରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

ନବରଙ୍ଗପୁର: ନବରଙ୍ଗପୁର ମହାବିଦ୍ୟାଳୟ ପରିସରରେ ଜାତୀୟ ସେବା ସଂସ୍ଥା ଓ ନେହୁରୁ ଯୁବ କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି। ଏଥିନିମନ୍ତେ ଆୟୋଜିତ ସଚେତନତା ସଭାକୁ ଉଦଘାଟନ କରି ଅଧକ୍ଷ ଡ଼ଃ. ବିନୋଦ ଚନ୍ଦ୍ର ନାୟକ ସ୍ବେଚ୍ଛାସେବୀଙ୍କୁ ନିଜ ଘର ଓ ପରିବେଶ ସ୍ୱଚ୍ଛ ରଖିବା ପାଇଁ ପରାମର୍ଶ ଦେଇଥିଲେ। ଅନ୍ୟତମ ଅତିଥି ଭାବରେ ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ ଯୋଗ ଦେଇ ‘ସ୍ୱଚ୍ଛତା ହିଁ ସୁସ୍ଥତା‘ ବିଷୟକୁ ଅବତାରଣା କରିଥିଲେ।

ସେହିପରି ନେହୁରୁ ଯୁବ କେନ୍ଦ୍ରର ଜିଲ୍ଳା ଯୁବ ଅଧିକାରୀ ବି. ରମେଶ ସ୍ୱଚ୍ଛତା ନିମନ୍ତେ ସମଗ୍ର ଜିଲ୍ଳାରେ ମାସ ସାରା କରାଯାଇଥିବା କାର୍ୟ୍ୟକ୍ରମ ଗୁଡିକର ତଥ୍ୟ ପ୍ରଦାନ କରିବା ସହ ସ୍ୱଚ୍ଛତାକୁ ଏକ ନିରବଛିନ୍ନ ପ୍ରକ୍ରିୟା ଭାବେ ଯୁବ ସମାଜ କାର୍ୟ୍ୟ କରି ସମାଜ ସେବାରେ ବ୍ରତୀ ହେବାପାଇଁ ଆହ୍ୱାନ ଦେଇଥିଲେ। ଜିଲ୍ଲା ଯୁବ ରେଡ଼କ୍ରସ ଜିଲ୍ଲା ସମ୍ପାଦକ ଡ଼ଃ ଭାସ୍କର ନାଥ ବିଶ୍ୱାଳ କ୍ଲିନ ଇଣ୍ଡିଆ କାର୍ୟ୍ୟକ୍ରମର ରୂପରେଖ ଓ ମାସ ସାରା ବିଭିନ୍ନ ସମୟର କାର୍ୟ୍ୟ ଉପରେ ତଥ୍ୟ ସମ୍ବଳିତ ବୃତ୍ତଚିତ୍ର ଉପସ୍ଥାପନ କରିଥିଲେ। ଜାତୀୟ ସେବା ସଂସ୍ଥାର ଜିଲ୍ଲା ସଂଯୋଜକ ଅଧ୍ୟାପକ ଦିଲ୍ଲୀପ କୁମାର ହୋତା ଯୋଗଦେଇ ସ୍ୱଚ୍ଛତା ଓ ସୁସ୍ଥତାରେ ଜାତୀୟ ସେବା ସଂସ୍ଥାର ଭୂମିକା ବିଷୟରେ ଆଲୋଚନା କରିବା ସହ ସ୍ବେଚ୍ଛାସେବୀଙ୍କୁ ନିଜ ବ୍ୟକ୍ତିତ୍ୱର ବିକାଶ ସହ ପରିବେଶକୁ ସ୍ୱଚ୍ଛ ରଖିବା ପାଇଁ ଏହି ସଂସ୍ଥାରେ କାର୍ୟ୍ୟ କରିବାକୁ ଆହ୍ୱାନ କରିଥିଲେ।

ସମଗ୍ର କାର୍ୟ୍ୟାଶାଳାକୁ ସଂଯୋଜନା କରିଥିଲେ କାର୍ୟ୍ୟକ୍ରମ ଅଧିକାରୀ ଅଧ୍ୟାପକ ଶମ୍ଭୁ ପ୍ରସାଦ ହୋତା। ଏଥିରେ କାର୍ୟ୍ୟକ୍ରମ ଅଧିକାରୀ ଅଧ୍ୟାପକ ଜାହାଙ୍ଗିର ମହମ୍ମଦ, ଅଧ୍ୟାପିକା ମାନସୀ ମହାପାତ୍ର, ପ୍ରାଧ୍ୟାପକ ଡ଼ଃ ନୀଳାଚଳ ମିଶ୍ର, ଜିତେନ୍ଦ୍ର ରଥ, ଡି. ଗୋବିନ୍ଦା ରାଓ, ଅଶ୍ୱିନୀ ବେହେରା ନିଜ ନିଜ ମତ ବ୍ୟକ୍ତ କରିଥିଲେ। ଏହି କାର୍ୟ୍ୟକ୍ରମର ଦ୍ଵିତୀୟ ପର୍ୟ୍ୟାୟରେ କଲେଜ ପରିସରକୁ ସଫେଇ କରାଯିବା ସହ କଲେଜ ପରିସରକୁ ପ୍ଲାଷ୍ଟିକ ମୁକ୍ତ ପରିବେଶ ସୃଷ୍ଟି କରିବାର ସଂକଳ୍ପ ନିଆଯାଇଥିଲା। ସ୍ବେଚ୍ଛାସେବୀଙ୍କୁ ନିଜ ଘର ପ୍ରଥମେ ସଫା କରି ପରେ ପରେ ସମାଜ ସେବାକୁ ଆଗେଇ ନେବାକୁ ଜିଲ୍ଲା ସଂଯୋଜକ ଶ୍ରୀ ହୋତା ଆହ୍ୱାନ ଦେଇଥିଲେ। କାର୍ୟ୍ୟଶାଳାରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଯୋଗ ଦେଇଥିଲେ। ନେହୁରୁ ଯୁବ କେନ୍ଦ୍ର ସହ ଜିଲ୍ଳା ଜାତୀୟ ସେବା ସଂସ୍ଥା ମିଳିତ ଭାବେ ଆଗାମୀ ଦିନରେ ଅନେକ କାର୍ୟ୍ୟକ୍ରମ ହାତକୁ ନେବା ପାଇଁ ଘୋଷଣା କରାଯାଇଥିଲା।

Comments are closed.