ଜିଲ୍ଲାପାଳଙ୍କୁ ଭେଟିଲେ କ୍ଷୁଦ୍ରଗ୍ରହ ଆବିଷ୍କାର କରିଥିବା ବନିତା

ନବରଙ୍ଗପୁର: ନବରଙ୍ଗପୁର ସହର ଗାଦବାଗୁଡାର ଝିଅ ବନିତା ଦାଶ କିଛି ଦିନ ପୂର୍ବେ କ୍ଷୁଦ୍ର ଗ୍ରହ ଆବିଷ୍କାର କରି ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିବା ସହ ନିଜ ଜନ୍ମମାଟି ନବରଙ୍ଗପୁରର ଗୈାରବ ଆଣିଛନ୍ତି। ମଧ୍ୟପ୍ରଦେଶର ଅମରକଣ୍ଟକର ଜବାହର ନବୋଦୟ ବିଦ୍ୟାଳୟରେ ସେ ଏକାଦଶ ଶ୍ରେଣୀର ଛାତ୍ରୀ। ସେ ଗାଦବାଗୁଡାର ଗୋପାଳକୃଷ୍ଣ ମହାପାତ୍ରଙ୍କର ନାତୁଣୀ ହୋଇଥିବା ବେଳେ ଅଧ୍ୟାପକ ବନବିହାରୀ ଦାଶଙ୍କର ସୁକନ୍ୟା ଅଟନ୍ତି। ସଂପ୍ରତି ସେ ପୂଜାଛୁଟିରେ ଘରକୁ ଆସିଥିବାରୁ ବୁଧବାର ଦିନ ନବରଙ୍ଗପୁର ଜିଲ୍ଲାପାଳ ଡଃ.ଅଜିତ୍‍ କୁମାର ମିଶ୍ରଙ୍କୁ ସୈାଜନ୍ୟମୂଳକ ସାକ୍ଷାତ କରିଥିଲେ।

ଜିଲ୍ଲାପାଳ ଡଃ.ମିଶ୍ର ବନିତାଙ୍କୁ ଅଭିନନ୍ଦନ ଜଣାଇବା ସହ ଭବିଷ୍ୟତରେ ଜଣେ ବୈଜ୍ଞାନିକ ହୋଇ ଦେଶସେବା କରିବାକୁ ପରାମର୍ଶ ଦେଇଥିଲେ। ଭାରତ ସରକାରଙ୍କର ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତାଙ୍କର ନିମନ୍ତ୍ରଣ କ୍ରମେ ବନିତା ନୂଆଦିଲ୍ଲୀ ଯାତ୍ରା କରି ବିଭିନ୍ନ ଗବେଷଣା ପ୍ରତିଷ୍ଠାନର କାର୍ଯ୍ୟପ୍ରଣାଳୀ ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି।

Comments are closed.