ସଂରକ୍ଷଣ ତାଲିକାରେ ଅନୁସୂଚିତ ଜାତିଙ୍କୁ ଉପେକ୍ଷା ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରେ ସଂରକ୍ଷଣ ତାଲିକାରେ ଅନୁସୂଚିତ ଜାତିଙ୍କୁ ଉପେକ୍ଷା କରାଯାଇଥିବା ପ୍ରତିବାଦ କରି ଅନୁସୂଚିତ ଜାତି ମହାସଂଘ ତରଫରୁ ନବରଙ୍ଗପୁର ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଚନ୍ଦାହାଣ୍ଡି ବ୍ଲକରେ ପ୍ରକାଶିତ ପଞ୍ଚାୟତ ନିର୍ବାଚନ ନିମନ୍ତେ ପ୍ରକାଶିତ ଚିଠା ତାଲିକାରେ ଚନ୍ଦା ହାଣ୍ଡି ବ୍ଲକରେ ସଂପୂର୍ଣ୍ଣ ଭାବେ ଅନୁସୂଚିତ ଜାତି ବର୍ଗ ଜନସାଧାରଣଙ୍କ ଉପେକ୍ଷା କରାଯାଇଥିବା ନେଇ ଆଜି ଅନୁସୂଚିତ ଜାତି ମହାସଂଘ ଓ ପାନା ବେଡା ଗଣ୍ଡା ସମାଜ ତରଫରୁ ନବରଙ୍ଗପୁର ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ ଦାଖଲ କରାଯାଇଛି।

୧୯୯୭ରୁ ଆଜି ପର୍ଯ୍ୟନ୍ତ ଅନୁସୂଚିତ ଜାତି ବର୍ଗଙ୍କ ନିମନ୍ତେ ସଂରକ୍ଷିତ ହୋଇ ନ ଥିବାବେଳେ ପୁଣି ଥରେ ଜୋନ ୧ ଆସନ ଜନଜାତି ବର୍ଗଙ୍କ ନିମନ୍ତେ ସଂରକ୍ଷିତ ହୋଇଛି। ସେହିଭଳି ଜୋନ୍ ଦୁଇ ଆସନରେ କେବେ ମଧ୍ୟ ଅନୁସୂଚିତ ଜାତିଙ୍କ ନିମନ୍ତେ ସଂରକ୍ଷିତ ହୋଇ ନ ଥିବା ବେଳେ ଏଥର ପୁଣି ପଛୁଆ ବର୍ଗ ମହିଳାଙ୍କ ନିମନ୍ତେ ସଂରକ୍ଷିତ ହୋଇଛି। ସେହିଭଳି ଏହି ବ୍ଲକର ମୋଟ ୧୩ ସମିତି ସଭ୍ୟ ଆସନ ଅନ୍ୟ ବର୍ଗଙ୍କ ନିମନ୍ତେ ସଂରକ୍ଷିତ ହୋଇଥିବା ବେଳେ ମାତ୍ର ଗୋଟିଏ ଆସନ ଅନୁସୂଚିତ ବର୍ଗ ମହିଳାଙ୍କ ଲାଗି ସଂରକ୍ଷିତ ହୋଇଛି। ଏହାକୁ ବିରୋଧ କରି ଆଜି ଏସସି ମହାସଂଘ ଓ ଗଣ୍ଡା ସମାଜ ତରଫରୁ ଅଭିଯୋଗ ଦାଖଲ କରାଯାଇଛି। ଜିଲ୍ଲାପାଳ ଅନୁପସ୍ଥିତି ଥିବାରୁ ଏସସି ନେତାମାନେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତଙ୍କୁ ଭେଟି ଚନ୍ଦାହାଣ୍ଡି ବ୍ଲକର ଅନ୍ୟୁନ ଗୋଟିଏ ଜିଲ୍ଲା ପରିଷଦ ଆସନ ଓ ତିନିଟି ସମିତି ସଭ୍ୟ ଆସନ ଅନୁସୂଚିତ ଜାତି ବର୍ଗଙ୍କ ନିମନ୍ତେ ସଂରକ୍ଷିତ ରଖିବାକୁ ଦାବି କରିଛନ୍ତି। ଏହି ଦାବି ପ୍ରଦାନ ସମୟରେ ଦଳିତ ଅଧିକାର ମଞ୍ଚର ରାଜ୍ୟ ସାଧାରଣ ସମ୍ପାଦକ କ୍ଷେମ ରାଜ୍ ବାଘ, ଗଣ୍ଡା ସମାଜ ସଭାପତି ନରେଶ୍ୱର୍ ବେଶ୍ରା, ଜଗବନ୍ଧୁ ନିଆଲ, ସନ୍ତୋଷ ଟାକ୍ରୀ, ମଳୟ ସୁନା, ହରିଶ୍ଚନ୍ଦ୍ର ସୁନା ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.