ସତର୍କ, ସହରରେ ବୁଲୁଛନ୍ତି କରୋନା ଆକ୍ରାନ୍ତ

ନବରଙ୍ଗପୁର: ନବରଙ୍ଗପୁର ଜିଲାରେ କରୋନା ପରିସ୍ଥିତିରେ ସୁଧାର ଆସୁନଥିବା ବେଳେ ସୋମବାର ୩୦୬ ଜଣ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଚନ୍ଦାହାଣ୍ଡି ବ୍ଳକରେ ୫୯ ଜଣ ଆକ୍ରାନ୍ତ ହୋଇଥିବା ବେଳେ ରାଇଘର ବ୍ଳକରେ ୪୪ ଜଣ, ଝରିଗାଁ ବ୍ଳକରେ ୩୭ ଜଣ, ଉମରକୋଟ ବ୍ଳକରେ ୬୨ ଜଣ, ଉମରକୋଟ ପୈାରାଞ୍ଚଳରେ ୧୯ ଜଣ, ନବରଙ୍ଗପୁର ପୈାରାଞ୍ଚଳରେ ୯, ନବରଙ୍ଗପୁର ବ୍ଳକରେ ୬ ଜଣ, ଡାବୁଗାଁ ବ୍ଲକରେ ୧୨ ଜଣ, ପାପଡାହାଣ୍ଡି ବ୍ଳକରେ ୨୧ ଜଣ, କୋଷାଗୁମୁଡା ବ୍ଳକରେ ୧୧ ଜଣ ଓ ତେନ୍ତୁଳିଖୁଣ୍ଟି ବ୍ଳକରେ ୧୬ ଜଣ ଓ ନନ୍ଦାହାଣ୍ଡି ବ୍ଳକରେ ୧୦ଜଣ ଆକ୍ରାନ୍ତ ହୋଇଛନ୍ତି। ତେବେ ଦିନକୁ ଦିନ କରୋନା ଆକ୍ରାନ୍ତ ବୃଦ୍ଧି ପାଇବା ସମସ୍ତଙ୍କୁ ଚିନ୍ତା ବଢାଇ ଦେଇଛି।

ସୋମବାର ଦୈନିକ ବଜାରରେ ବହୁ ଭିଡ ପରିଲକ୍ଷିତ ହୋଇଥିଲା। ଲୋକମାନେ ସାମାଜିକ ଦୂରତାକୁ ଭୃକ୍ଷେପ ନକରି ଜିନିଷ ପତ୍ର ଓ ପନିପରିବା କିଣୁଥିବା ଦେଖିବାକୁ ମିଳିଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ର କଥା ହେଲା କେତେକ କରୋନା ଆକ୍ରାନ୍ତ ନବରଙ୍ଗପୁର ସହରରେ ବୁଲିଥିବା ଅଭିଯୋଗ ହୋଇଛି। ଏହି ଅମାନିଆ ଯୁବକମାନେ ବାଇକରେ ବୁଲୁଥିବା ବେଳେ କେତେକ ବଜାରକୁ ଯାଇ ବିଭିନ୍ନ ଦୋକାନରୁ ଜିନିଷପତ୍ର କିଣି ନେଇଥିବା କୁହାଯାଉଛି। ଫଳରେ ଏହା ଅଗାମୀ ଦିନରେ ଏହା କରୋନା ସଂକ୍ରମଣରେ ଅଧିକ ଜଟିଳ ପରିସ୍ଥିତି ହେବା ସମ୍ଭାବନା ଦେଖାଦେଇଛି। ଆକ୍ରାନ୍ତମାନେ ଘରେ ବସି ବସି ବିରକ୍ତ ହୋଇ ବାହାରକୁ ବୁଲି ବାହାରିବା ସମସ୍ତଙ୍କର ପାଇଁ ବିପଦପୂର୍ଣ୍ଣ ହୋଇଛି। ଏହି ଅମାନିଆଙ୍କର ବେଲଗାମ ଯୋଗୁଁ ଭଲ ଲୋକ ମଧ୍ୟ ଆକ୍ରାନ୍ତ ହେବାର ଆଶଙ୍କା ଦେଖା ଦେଇଛି।

Comments are closed.