ମୌଳିକ ସୁବିଧାରୁ ବଂଚିତ ପ୍ରଶାସନର ପୋଷ୍ୟ ଗ୍ରାମ କାନ୍ଦ୍ରାଗୁଡାର ଗ୍ରାମବାସୀ

ନବରଙ୍ଗପୁର: ନବରଙ୍ଗପୂର ଜିଲାପାଳଙ୍କ ପୋଷ୍ୟ ଗ୍ରାମ କାନ୍ଦ୍ରାଗୁଡ଼ା ଗ୍ରାମରେ ପହଂଚି ପାରିନାହିଁ ମୌଳିକ ସୁବିଧା। ଏପରି ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ। ନବରଙ୍ଗପୂର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ପୂଜାରିଗୁଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗ୍ରାମ କାନ୍ଦ୍ରାଗୁଡାକୁ ନବରଙ୍ଗପୁର ଜିଲ୍ଲାପାଳ ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କରିଥିଲେ। ହେଲେ ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ଏହି ଗ୍ରାମରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନର କିଛି ବି ସୁବିଧା ନଥିବା ବେଳେ ପାନୀୟଜଳର ସମସ୍ୟା ମଧ୍ୟ ଲାଗି ରହିଥିବା ନେଇ ସ୍ଥାନୀୟ ଗ୍ରାମବାସୀ ସ୍ଥାନୀୟ ସରପଞ୍ଚ, ବିଡ଼ିଓଙ୍କୁ ଅଭିଯୋଗ କରିଥିଲେ ହେଁ ଆଜି ପର୍ଯ୍ୟନ୍ତ କେହି ଶୁଣୁନଥିବା କହିଛନ୍ତି।

ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଏହି ଗ୍ରାମଟି ଶିକ୍ଷା କ୍ଷେତ୍ରରେ ବହୁ ନିମ୍ନରେ ଥିବାବେଳେ କୌଣସି ଆଦିବାସୀ ପୁଅ କିମ୍ବା ଝିଅ ଦଶମ ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହଇନାହାଁନ୍ତି। ଗୁରୁତ୍ତ୍ୱପୂର୍ଣ୍ଣ ବିଷୟ ହେଲା ଖ୍ରୀଷ୍ଟିଆନ ସାହିର ଜଣେ ମାତ୍ର ରାଜେନ୍ଦ୍ର ସୁନା ଗଣଶିକ୍ଷକ ଭାବେ ଗ୍ରାମରେ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷା ଦାନ କରୁଛନ୍ତି। ସେ ଗ୍ରାମରେ ଘର ଘର ବୁଲି ପିଲାମାନକୁ ସଚେତନ କରୁଛନ୍ତି। ସେହିପରି ଗ୍ରାମରେ କୌଣସି କାମ ନପାଇ ଆନ୍ଧ୍ର ପ୍ରଦେଶରେ ଦାଦନ ଖଟିବାକୁ ଯାଉଛନ୍ତି। ଗ୍ରାମର ପ୍ରାୟ ୫ ଶହ ମିଟର ଦୁରେଇ ଅଙ୍ଗନ ବାଡ଼ି କେନ୍ଦ୍ର ରହିଛି, ସ୍ୱାସ୍ଥ୍ୟ ସେବା ପାଇଁ ଗ୍ରାମର ଆଶା ଦିଦି ହି ସାହା ଭରସା। କାହାର କଣ ସ୍ୱାସ୍ଥ୍ୟ ଖରାପ ହେଲେ ଆଶାଦିଦି ହିଁ ଔଷଧ ଦେଇଥାନ୍ତି। ଅଧିକ ଚିକିତ୍ସା ପାଇଁ ତେନ୍ତୁଳିଖୁଣ୍ଟି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯିବାକୁ ପଡୁଛି। ଖୁଣ୍ଟିପଦା ଗ୍ରାମରୁ କାନ୍ଦ୍ରାଗୁଡାକୁ ଥିବା ପାଦଚଲା ରାସ୍ତା ନିର୍ମାଣ ପାଇଁ ବି ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ଗ୍ରାମରେ ଆଦିବାସୀ ମହିଳାମାନେ ଗୃପ ଗଠନ କରି ଅଂଚଳଗୁମ୍ମା ବ୍ୟାଙ୍କରୁ ଲୋନ ଆଣି ରୋଜଗାର କରିବାକୁ ଧାନ, କାନ୍ଦୁଲ, ବିରି, କୋଳଥ ଆଦି କ୍ରୟ କରି ବଜାରରେ ବିକ୍ରୟ କରି ଯାହା ଲାଭ କରନ୍ତି ସେଥିରେ ପରିବାର ଚାଲେ। ଗ୍ରାମରେ ୪୦ରୁ ଉର୍ଧ୍ଵ ପରିବାର ବାସ କରୁଥିବା ବେଳେ ସେଥିରୁ ୩୦ ପ୍ରତିଶତ ଲୋକେ ଅତ୍ୟନ୍ତ ଗରିବ ଶ୍ରେଣୀର ଓ ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କୁ ଆବାସ ଯୋଜନାରେ ଘରଟିଏ ମିଳିନାହିଁ। ଏପରି ଅନେକ ମୌଳିକ ସୁବିଧାରୁ ବଂଚିତ ଗ୍ରାମବାସୀ ଗ୍ରାମରେ ଲାଗି ରହିଥିବା ସମସ୍ୟାର ସମାଧାନ ପାଇଁ ଗ୍ରାମର ଭୀମ ଜାନୀ, ଚନ୍ଦରୁ ଜାନୀ, ଚଣ୍ଡାଳ ଜାନୀ, ରଘୁ ଜାନୀ, କୁମର ଜାନୀ, ବଳି ଜାନୀ, ଖି ଜାନୀ ଓ ବିରାଜ କର୍କରା ପ୍ରମୁଖ ଦାବି କରିଛନ୍ତି।

ଏପଟେ ଗ୍ରାମବାସୀଙ୍କ ଅଭିଯୋଗକୁ ନେଇ ତେନ୍ତୁଳୀଖୁଣ୍ଟି ବିଡ଼ିଓ ପଦ୍ମନାବ ତ୍ରିପାଠୀ କହିଛନ୍ତି, ସେ ସେହି ଗ୍ରାମକୁ ଯାଇ ଗ୍ରାମବାସୀଙ୍କ ଦାବି ଅନୁଯାଇ ରାସ୍ତା ପାଇଁ ଏକ୍ସନ ପ୍ଲାନରେ ରାସ୍ତା ରଖିଥିବା ବେଳେ ଅଙ୍ଗନବାଡି ପାଇଁ ଗ୍ରାମରେ ସରକାରୀ ଜାଗା ନଥିବା ଯୋଗୁଁ ଗ୍ରାମ ମୁଣ୍ଡରେ କେନ୍ଦ୍ର ନିର୍ମାଣ କରାଯାଇଛି। ଗାଁ ରେ ଗୋଟିଏ ନଳକୂପ ଥିବା କହିଥିବା ବେଳେ ପାଣିର ବ୍ୟବସ୍ଥା କରାଯିବ ବୋଲି କହିଥିଲେ। ଗ୍ରାମବାସୀ ଗ୍ରାମରେ କମ୍ୟୁନିଟି ଗୃହ ପାଇଁ ପ୍ରସ୍ତାବ ଦେଇଛନ୍ତି ଏବଂ ଆବାସ ଯୋଜନା ପାଇଁ ଲୋକଙ୍କ ନାମ ପଞ୍ଜିକରଣ ହୋଇଛ ଅନୁଦାନ ଆସିଲେ କାର୍ଯ୍ୟକାରୀ ହେବ ବୋଲି କହିଛନ୍ତି।

Comments
Loading...