ସମ୍ଭାବ୍ୟ ଲଘୁଚାପ ପାଇଁ ନବରଙ୍ଗପୁର ଜିଲ୍ଲାପାଳଙ୍କ ଜରୁରୀ ବୈଠକ

ନବରଙ୍ଗପୁର : ଭାରତୀୟ ପାଣିପାଗ ବିଭାଗ ଦ୍ଵାରା ପୂର୍ବାନୁମାନ ସଂକେତ ଅନୁଯାୟୀ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ଦାନା ବାନ୍ଧୁଛି, ଫଳରେ ଆସନ୍ତା ୧୯ ରୁ ୨୧ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟ ଶାସନ ସଚିବଙ୍କ ନିର୍ଦେଶକ୍ରମେ ଆଜି ସ୍ଥାନୀୟ ମିଶନ ଶକ୍ତି ସଭା ଗୃହ ନବରଙ୍ଗପୁର ଠାରେ ଜିଲ୍ଲାପାଳ ଡକ୍ତର ଅଜିତ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଆସନ୍ତା ୧୯ ତାରିଖରେ ନବରଙ୍ଗପୁର ଜିଲ୍ଲାର ଉପର ମୁଣ୍ଡରେ ଥିବା ଜିଲ୍ଲା କଳାହାଣ୍ଡି, କୋରାପୁଟ ଜିଲ୍ଲାର ଦଶମନ୍ତପୁର ଏବଂ ରାୟଗଡା ଜିଲ୍ଲାର କାଶୀପୁର ଅଂଚଳରେ ପ୍ରବଳ ରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ହେତୁ ନବରଙ୍ଗପୁର ଜିଲ୍ଲା ଇନ୍ଦ୍ରାବତୀ ଜଳ ଭଣ୍ଡାର ଜଳସ୍ତର ବଢିବାର ଆଶଙ୍କା ଥିବା ହେତୁ ଏହାର ପ୍ରଭାବ ନବରଙ୍ଗପୁର ଜିଲ୍ଲାର ତଳିଆ ଅଞ୍ଚଳ ମାନଙ୍କରେ ରହୁଥିବା ଲୋକମାନଙ୍କୁ ସତର୍କ କରାଇ ଆଗୁଆ ପଦକ୍ଷେପ ନେବା ପାଇଁ ଏକ କମିଟି ଗଠନ କରାଯାଇ ସ୍ଥିତି ନିରୀକ୍ଷଣ କରିବା ପାଇଁ ଜିଲ୍ଲାପାଳ ନିର୍ଦେଶ ଦେବା ସହ ଇନ୍ଦ୍ରାବତୀ ଜଳପ୍ରପାତ ମୁଖ୍ୟନିର୍ମାଣ ଯନ୍ତ୍ରୀ ଗଗନ ବିହାରୀ ସାହୁଙ୍କୁ ସମ୍ଭାବ୍ୟ ସ୍ଥିତି ଉପରେ ନଜର ରଖିବା ସହ ସଜାଗ ରହିବାକୁ ପରାମର୍ଶ ଦେଇଥିଲେ । ସେହିପରି ଜିଲ୍ଲାର ୪ଟି ବ୍ଲକ ନବରଙ୍ଗପୁର, ନନ୍ଦାହାଣ୍ଡି, କୋଡୀଙ୍ଗା ଏବଂ ତେନ୍ତୁଳୀଖୁଣ୍ଟିର ତହସିଲଦାର ଏବଂ କର୍ମଚାରୀମାନେ ସଜାଗ ରହି ସ୍ଥିତି ଉପରେ ନଜର ରଖିବା ସହ ଏହି ସମୟରେ ସଦରମହକୁମା ଛାଡି ବାହାରକୁ ନ ଯିବା ପାଇଁ ନିର୍ଦେଶ ଦେଇଥିଲେ । ସମ୍ଭାବ୍ୟ ବର୍ଷାକୁ ଆଖି ଆଗରେ ରଖି ନବରଙ୍ଗପୁର ସହରର ନାଳ ନର୍ଦ୍ଦମା ଗୁଡିକ ସଫା ରଖି ଡ୍ରେନେଜ ବ୍ୟବସ୍ଥା ଦେଖିବାକୁ କହିଥିଲେ ଏବଂ ଆଜିଠାରୁ ତଳିଆ ଅଂଚଳ କ୍ଷେତ୍ର ପରିଦର୍ଶନ କରି ସ୍ଥିତି ନିରୀକ୍ଷଣ କରି ଲୋକଙ୍କୁ ସତର୍କ କରାଇ ସୂଚନା ପ୍ରଦାନ କରିବାକୁ କହିବା ସହ ଜିଲ୍ଲା ଜରୁରୀ କାଳୀନ ନିୟନ୍ତ୍ରଣ କକ୍ଷର ଫୋନ ନମ୍ବର ୭୦୭୭୪୫୦୦୭୭ ଜାରି କରିଥିବା ବେଳେ ନବରଙ୍ଗପୁର ଏସପି ନିତିନ କୁଶଲକର ଯୋଗ ଦେଇ ଲୋକଙ୍କୁ ସତର୍କ ରହିବା ସହ ପୁଲିସ କଂଟ୍ରୋଲ ରୁମର ଜରୁରୀକାଳୀନ ନମ୍ବର ୮୨୮୦୬୮୯୮୦୮ ଜାରି କରି ଜରୁରୀ ସମୟରେ କଲ କରିବାକୁ କହିଥିଲେ । ଆଜିର ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ନବରଙ୍ଗପୁର ଉପ-ଜିଲ୍ଲାପାଳ ଭାସ୍କର ରଇତ, ନବରଙ୍ଗପୁର ଅତିରିକ୍ତ ତହସିଲଦାର ଗୀତା ମୁର୍ମୁ, ତହସିଲଦାର ନନ୍ଦାହାଣ୍ଡି ଏ ସ୍ନେହଲତା, ତେନ୍ତୁଳୀଖୁଣ୍ଟି ତହସିଲଦାର  ପ୍ରଦୀପ କୁମାର କର, କୋଡ଼ିଂଗା ତହସିଲଦାର ସହଦେବ କୁଟୁରୁକା, ଏମ ଆଇ ନିର୍ବାହୀ ଯନ୍ତ୍ରୀ  ସୁରେଶ ଚନ୍ଦ୍ର ପ୍ରଧାନ, ଏସ୍ଡ଼ିପିଓ ପାପଡାହାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.