ନବରଙ୍ଗପୁରରେ ବିରଳ ପ୍ରଜାତିର ୯୫ଟି ଜୀବନ୍ତ କଇଁଛ ଉଦ୍ଧାର

ନବରଙ୍ଗପୁର : ବନବିଭାଗ ପକ୍ଷରୁ ବିରଳପ୍ରଜାତିର ୯୫ଟି ଜୀବନ୍ତ କଇଁଛ ଉଦ୍ଧାର କରାଯାଇଛି। ରବିବାର ସନ୍ଧ୍ୟା ପ୍ରାୟ ୫ଟା ବେଳେ କଳାହାଣ୍ଡି ଜିଲାରୁ ପାପଡାହାଣ୍ଡି ବ୍ଳକ ଅନ୍ତର୍ଗତ ମୈଦଲପୁର ୨୬ନମ୍ବର ଜାତୀୟ ରାଜପଥ ଦେଇ ଜଣେ ବ୍ୟକ୍ତି ବାଇକରେ ଅଖାଭିତରେ ରଖି ଏହିକଇଁଛ ଗୁଡିକୁ ଆଣୁଥିବାବେଳେ କୌଣସି ସୂତ୍ରରୁ ଖବର ପାଇ ବନବିଭାଗ କର୍ମଚାରୀ ବାଇକକୁ ଅଟକାଇ ଥିଲେ। ଅଖା ଖୋଲି ୯୫ଟି ବଡ ଓ ଛୋଟ ଜୀବନ୍ତ କଇଁଛ ଦେଖୁଥିବାବେଳେ ଏହାର ସୁଯୋଗ ନେଇ ବାଇକ ଚାଳକ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ବନବିଭାଗ ପକ୍ଷରୁ ବାଇକକୁ ଜବତ କରାଯାଇଛି। ସମସ୍ତ କଇଁଛକୁ ମୈଦଲପୁର ବନବିଭାଗ କାର୍ଯ୍ୟାଳୟରେ ରଖାଯାଇଥିବା ଜଣାପଡିଛି। ଏସଂପର୍କରେ ଡିଏଫଓ ମଗର ଧନାଜୀ ରାଓସୋଙ୍କୁ ପଚାରିବାରୁ ସୋମବାର ଦିନ ସମସ୍ତ କଇଁଛର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ସୁରକ୍ଷିତ ସ୍ଥାନରେ ଛଡାଯିବ। ବାଇକ ନମ୍ବର ଆଧାରରେ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରାଯିବ ବୋଲି କହିଥିଲେ। ତେବେ ଏତେ ପରିମାଣର କଇଁଛ କେଉଁଠାରୁ ଆସୁଥିଲା ଓ କେଉଁଠାକୁ କେଉଁ ଉଦ୍ଦେଶ୍ୟରେ ଯାଉଥିଲା ତାହା ଜଣାପଡିନାହିଁ। 

Comments are closed.