ଭୂଦାନ ନେତା କୃଷ୍ଣ ସିଂହ ପାଇବେ ନବକୃଷ୍ଣ ଚୌଧୁରୀ ଜନସେବା ସମ୍ମାନ

ଭୁବନେଶ୍ୱର: ଓଡ଼ିଶାର ବର୍ଷୀୟାନ୍ ଭୂଦାନ ନେତା, ଶିକ୍ଷାବିତ୍, ସମାଜସେବୀ, ବରିଷ୍ଠ କବି ଓ ଲେଖକ କୃଷ୍ଣ ସିଂହଙ୍କୁ ଚଳିତ ବର୍ଷ ପାଇଁ “ନବକୃଷ୍ଣ ଚୌଧୁରୀ ଜନସେବା ସମ୍ମାନ” ପ୍ରଦାନ କରିବାକୁ ମନୋନୀତ କରାଯାଇଛି। ସୋମବାର ଅନଗୁଳସ୍ଥ ବାଜି ରାଉତ ଛାତ୍ରାବାସରେ ଉତ୍କଳ ନବଜୀବନ ମଣ୍ଡଳ, ଅନଗୁଳ ଜିଲା ସାହିତ୍ୟ ସଂସଦ ଓ ବାଜିରାଉତ ଛାତ୍ରାବାସର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେବାକୁ ଥିବା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନବକୃଷ୍ଣ ଚୌଧୁରୀଙ୍କ ଜୟନ୍ତୀ ଉତ୍ସବରେ ଏହି ସମ୍ମାନ ପ୍ରଦାନ କରାଯିବ। ଏହି ଅବସରରେ କୃଷ୍ଣ ସିଂହଙ୍କ ଆତ୍ମଜୀବନୀ “ମୋ ଜୀବନ ମୋ ଉପାସନା” ମଧ୍ୟ ଉନ୍ମୋଚନ ହେବ। ମହାତ୍ମା ଗାନ୍ଧୀ ଓ ବିନୋବା ଭାବେଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବାଲ୍ୟଜୀବନରୁ ଦଳିତ, ନିସ୍ପେସିତ ଓ ଆଦିବାସୀଙ୍କ ଅଧିକାର ନେଇ ସଂଗ୍ରାମ କରିବା ସହ କିଶୋର ଅବସ୍ଥାରେ ଦକ୍ଷିଣ ଓଡ଼ିଶା ବିଶେଷ କରି କୋରାପୁଟରେ ଭୂଦାନ ଓ ସର୍ବୋଦୟ ଆନ୍ଦୋଳନରେ ୧୯୬୦ରୁ ନିଜକୁ ଉତ୍ସର୍ଗ କରି “କୋରାପୁଟ ଗାନ୍ଧୀ” ଭାବେ ସେ ସୁପରିଚିତ।