ଦୂରଦ୍ରଷ୍ଟା ନବକୃଷ୍ଣ ଚୌଧୁରୀ

ସେ ଥିଲେ ଅସାଧାରଣ ଭାବରେ ସାଧାରଣ

ନବକୃଷ୍ଣ ଚୌଧୁରୀ ଥିଲେ ଜଣେ ବିସ୍ମୟକର ବ୍ୟକ୍ତି। ଗାନ୍ଧିଜୀଙ୍କ ଆହ୍ୱାନରେ ଯେଉଁ ହଜାରହଜାର ଯୁବକ ପାଠପଢ଼ା ଛାଡ଼ି ଦେଶର ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ, ସେମାନଙ୍କ ମଧ୍ୟରେ ସେ ଥିଲେ ଅନ୍ୟତମ। ଗାନ୍ଧିଜୀଙ୍କ ବିଚାରକୁ ବୁଝିବା ସହିତ ନିଜକୁ ସେହି ଢଙ୍ଗରେ ଗଢ଼ିଥିଲେ। ବେଶ୍‍ ଆଭିଜାତ୍ୟ ପରିବାରରେ ଜନ୍ମ ହୋଇଥିଲେ ବି ସେ ଦାରିଦ୍ର୍ୟକୁ ସ୍ୱଇଚ୍ଛାରେ ଗ୍ରହଣ କରି ନେଇଥିଲେ; ଆଉ ବେଶଭୂଷା କଥାବାର୍ତ୍ତା ସବୁ ଦିଗରୁ ସେ ଥିଲେ ଅସାଧାରଣ ଭାବରେ ସାଧାରଣ। ସେ ମୁଖ୍ୟମନ୍ତ୍ରୀ ଥିଲାବେଳେ ବି ଏ ଦିଗରେ କିଛି ପରିବର୍ତ୍ତନ ଦେଖିବାକୁ ମିଳି ନ ଥିଲା। ଗାନ୍ଧିଜୀ ପ୍ରତ୍ୟେକ କାମର ଉପାଦେୟତା ଲାଗି ଯେଉଁ କଷଟି ପଥରରେ ପରଖିବା କଥା କହୁଥିଲେ ତାକୁ ସେ ସାରା ଜୀବନ କାର୍ଯ୍ୟରେ ପ୍ରୟୋଗ କରିଥିଲେ।

ଭାରତବର୍ଷର ସମାଜବାଦୀ ଆନ୍ଦୋଳନର ଆଦ୍ୟସ୍ରଷ୍ଟା ଗୋଷ୍ଠୀର ସେ ଥିଲେ ଅନ୍ୟତମ। ତାଙ୍କର ନେତୃତ୍ୱରେ ଓଡ଼ିଶାରେ ରାଜା ଜମିଦାର ବିରୋଧୀ ଆନ୍ଦୋଳନ ବ୍ୟାପକ ହୋଇଥିଲା। ୧୯୪୨ ଭାରତଛାଡ଼ ଆନ୍ଦୋଳନର ସେ ଥିଲେ ଓଡ଼ିଶାର ସବୁଠାରୁ ଅଗ୍ରଣୀ ନେତା। ସେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେଲା ପରେ ଜମିଦାରୀ ଉଚ୍ଛେଦ କାମଟି ତାଙ୍କ ପାଇଁ ବଡ଼ ଆହ୍ୱାନ ଥିଲା। କାରଣ ସେତେବେଳକୁ ଭାରତବର୍ଷର ସମ୍ବିଧାନ ଗୃହୀତ ହୋଇଯାଇଥିଲା, ଯହିଁରେ କୌଣସି ବ୍ୟକ୍ତିର କିଛି ସମ୍ପତ୍ତି ସରକାର ନେଲେ ସେଥିପାଇଁ କ୍ଷତିପୂରଣର ବ୍ୟବସ୍ଥା ରହିଥିଲା। ଏହି କ୍ଷେତ୍ରରେ ଜମିଦାରମାନଙ୍କ ଆୟକୁ ବିଚାରକୁ ନିଆଯାଇ କ୍ଷତିପୂରଣ ଧାର୍ଯ୍ୟହେବା କଥା। ଓଡ଼ିଶାର ସେତେବେଳର ଆୟ ବିଚାରରୁ ସେତିକି କ୍ଷତିପୂରଣ ଦେବା ପାଇଁ ରାଜ୍ୟ ସରକାରଙ୍କ ଶକ୍ତି ନ ଥିଲା। ନବକୃଷ୍ଣ ଚୌଧୁରୀ ଏ ସମୟରେ ବିଧାନସଭାରେ ଏକ କୃଷି ଆୟକର ବିଧେୟକ ଆଣିଥିଲେ। ବଡ଼ ଚାଷୀ ଓ ଜମିଦାରମାନେ ବି ସେ କର ଦେବା କଥା। ଜମିଦାରମାନେ ନିଜ ଜମିଦାରୀ ମଧ୍ୟରେ ବନ୍ୟା ନିରୋଧକ ବନ୍ଧବାଡ଼ କରିବା ଆଦି ନାନା ଉନ୍ନୟନମୂଳକ କାମ କରିବାରେ ବହୁ ଅର୍ଥ ବ୍ୟୟ କରୁଥିଲେ ବୋଲି ଦର୍ଶାଇ ସେମାନଙ୍କ ନିଟ୍‍ ଆୟ ବହୁତ କ’ମ କରି ଦର୍ଶାଇଲେ। ଏହା ବିଧାନସଭା ବିବରଣୀରେ ଲିପିବଦ୍ଧ ହୋଇଗଲା। ଏଣୁ ଜମିଦାରୀ ଉଚ୍ଛେଦ ଆଇନ୍‍ ଆସିବା ବେଳେ ସରକାରଙ୍କୁ ଅପେକ୍ଷାକୃତ କ’ମ କ୍ଷତିପୂରଣ ଦେବାକୁ ହେଲା।

ପୂରାପୂରି ସାଧାରଣ ସରଳ ମଣିଷଟିଏ ଭଳି ଦେଖାଯାଉଥିବା ନବକୃଷ୍ଣ ଚୌଧୁରୀ ଶାସନ ଚଳାଇବାରେ ଏପରି ବହୁ କାର୍ଯ୍ୟ କରିଛନ୍ତି। ପଠନ ବ୍ୟତୀତ ଚେସ ଖେଳରେ ତାଙ୍କର ଖୁବ ଆଗ୍ରହ ଥିଲା। ନବକୃଷ୍ଣ ଚୌଧୁରୀଙ୍କ ଦକ୍ଷତା ସମସ୍ତଙ୍କୁ ବିସ୍ମିତ କରେ। ସେ ଥିଲେ ଗୋଷ୍ଠୀବିବାଦରୁ ଊର୍ଦ୍ଧ୍ବରେ। ଏଣୁ ପ୍ରଶାସନକୁ ନୂଆ ଢଙ୍ଗରେ ନେବାଲାଗି ତାଙ୍କୁ ଚିନ୍ତା କରିବାକୁ ବହୁତ ସମୟ ମିଳୁଥିଲା। ଜମିଦାରୀ ଉଚ୍ଛେଦ ପରେ ଅସଲ ଚାଷୀ ତା’ର ପରିଶ୍ରମ ଲବ୍‍ଧ ପ୍ରାପ୍ୟ ପାଉ, ଏହା ତାଙ୍କର ଏକାନ୍ତ ଇଚ୍ଛା ଥିଲା। ଏଣୁ ସେ ପ୍ରଜାର ସ୍ୱାର୍ଥରକ୍ଷା ପାଇଁ ଯେଉଁ ଆଇନ କରାଇଲେ ତାହା ଥିଲା ଯୁଗାନ୍ତକାରୀ, କିନ୍ତୁ କେତେକ କାରଣରୁ ତାହା କାର୍ଯ୍ୟକାରୀ ହୋଇପାରିଲା ନାହିଁ।

ବିଦେଶୀ ଶାସନ କାଳରେ ଶାସକମାନଙ୍କ ଭାଷାରେ ସରକାର ଚାଲିଥିଲା। ନବକୃଷ୍ଣ ଚୌଧୁରୀଙ୍କ ଅମଳରେ ଲୋକଙ୍କ ଭାଷାରେ ଶାସନ ଚାଲିବା ଲାଗି ଆଇନ ହେଲା। ସେତେବେଳକୁ କେବଳ ବିହାରରେ ହିଁ ସ୍ଥାନୀୟ ଲୋକଙ୍କ ଭାଷାରେ ସରକାର ଚାଲିବା ଲାଗି ଆଇନ ହୋଇଥିଲା। ଓଡ଼ିଆରେ ଟାଇପ ରାଇଟର ନ ଥିବାରୁ ସରକାରୀ କର୍ମଚାରୀମାନେ ଏଭଳି ପଦକ୍ଷେପକୁ ବିରୋଧ କରୁଥିଲେ ହେଁ ନବବାବୁ ଏ ଦିଗରେ ଦୃଢ଼ ପଦକ୍ଷେପ ନେଇଥିଲେ। ଏହାଛଡ଼ା ଶାସନର ବିକେନ୍ଦ୍ରୀକରଣ ଲାଗି ତାଙ୍କ ସମୟରେ ଯେଉଁ ସବୁ ଆଇନ ପ୍ରଣୟନ ହୋଇଥିଲା, ତାହା ଥିଲା ଭାରତବର୍ଷରେ ଅଭିନବ ପଦକ୍ଷେପ। ତାଙ୍କ ଅମଳରେ ସମ୍ପୂର୍ଣ୍ଣ ନିଶାନିବାରଣ ଆଇନ ପାରିତ ହୋଇ ରାଷ୍ଟ୍ରପତିଙ୍କ ସମ୍ମତି ଲାଭ କରିଥିଲା। ପରବର୍ତ୍ତୀ ଶାସକଙ୍କ ସମୟରେ ଅନେକ ଆଇନ ଅକାମୀ ହୋଇଗଲା।

ତାଙ୍କ ବିରୋଧରେ ଅଭିଯୋଗ ହୁଏ ଯେ ସେ କାହିଁକି ଇସ୍ତଫା ଦେଇ ଚାଲିଗଲେ। ସେତ ଓଡ଼ିଶାରେ ସମାଜବାଦୀ ଚିନ୍ତାଧାରା ଓ କାର୍ଯ୍ୟର ଭାଗୀରଥି ଥିଲେ; ଯଦି କଂଗ୍ରେସ ଛାଡ଼ିଲେ, ସମାଜବାଦୀ ଦଳରେ କାହିଁକି ଯୋଗ ଦେଲେ ନାହିଁ ? ଏକଥା ବିଚାର କରିବାକୁ ଗଲେ ଗତ ୮୦ ବର୍ଷର ଭାରତବର୍ଷର ରାଜନୀତିର ପରିବର୍ତ୍ତନକୁ ପର୍ଯ୍ୟାଲୋଚନା କରିବାକୁ ହେବ। ସାମ୍ୟବାଦୀମାନଙ୍କର ବିଚ୍ଛେଦ ନବକୃଷ୍ଣ ଚୌଧୁରୀଙ୍କୁ ଗଭୀର ଦୁଃଖ ଦେଇଥିଲା। ନବକୃଷ୍ଣ ଚୌଧୁରୀ ଓ ଆଚାର୍ଯ୍ୟ କୃପାଳିନୀଙ୍କ ଭଳି ଆଦର୍ଶବାଦୀ ନେତା କଂଗ୍ରେସ ଦଳ ଯଦି ଛାଡ଼ି ନଥା’ନ୍ତେ ତେବେ ଇତିହାସ ଭିନ୍ନ ପ୍ରକାରେ ଲେଖାଯାଇଥା’ନ୍ତା।
ଏବେ ସମାଜବାଦ କଥା ଶୁଣିବାକୁ ମିଳୁନାହିଁ; କୁହାଯାଉଛି ସାମାଜିକ ନ୍ୟାୟ ମିଳିବା ଦରକାର। ସମାଜବାଦ ତ ଦୂରର କଥା, ଗଣତନ୍ତ୍ର ମଧ୍ୟ ଆଜି ସାମନ୍ତ ଓ ପୁଞ୍ଜିପତିଙ୍କ କବ୍‍ଜାରେ। ସଂସଦ ଓ ବହୁ ରାଜ୍ୟରେ ଦୃଢ଼ ବିରୋଧୀଦଳ ନାହାନ୍ତି। ଗଣତନ୍ତ୍ରର ଅନ୍ୟ ସ୍ତମ୍ଭ ମଧ୍ୟ ଜନସ୍ୱାର୍ଥ ରକ୍ଷା ପାଇଁ ଦୃଢ଼ ପଦକ୍ଷେପ ନେଇପାରୁନାହାନ୍ତି। ଏଭଳି ପରିସ୍ଥିତିରେ ଜୟପ୍ରକାଶ ନାରାୟଣ, ନବକୃଷ୍ଣ ଚୌଧୁରୀଙ୍କ ଭଳି ନେତୃତ୍ୱର ଅଭାବ ଅନୁଭୂତ ହେଉଛି।

ପଦ୍ମଚରଣ ନାୟକ(ସଭାପତି, ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ)

Comments are closed.