ଦାରୁ ମନୋନୟନରେ ଅର୍ଥ କାରବାର

0

ପୁରୀ : ଶ୍ରୀଜୀଉଙ୍କ ବ୍ରହ୍ମ ବିଭ୍ରାଟ ଘଟଣାର ଗୁମର ଖୋଲିଛନ୍ତି ମହାରଣା ସେବକ। ନବକଳେବର ପାଇଁ ଦାରୁ ମନୋନୟନରେ ଅର୍ଥ କାରବାର ହୋଇଥିବା ଦେବୀ ସୁଭଦ୍ରାଙ୍କ ରଥର ମୁଖ୍ୟ ବିଶ୍ୱକର୍ମା କୃଷ୍ଣଚନ୍ଦ୍ର ମହାରଣା କହିଛନ୍ତି। ପୋଲା ଦାରୁଯୋଗୁଁ ମହାପ୍ରଭୁଙ୍କ ନୂତନ ବିଗ୍ରହ ନିର୍ମାଣ ବିଳମ୍ବ ହୋଇଥିବା ମଙ୍ଗଳବାର ସେ ଗଣମାଧ୍ୟମକୁ କହିଛନ୍ତି। ତାଙ୍କର ଏପରି ସାଙ୍ଘାତିକ ଅଭିଯୋଗ ଦାରୁ ଚିହ୍ନଟରେ ସ୍ୱଚ୍ଛତା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ନୂତନ ବିଗ୍ରହ ନିର୍ମାଣ ସମୟରେ ଏଥିନେଇ ସେ ଶ୍ରୀମନ୍ଦିର ପ୍ରଶାସନକୁ ଜଣାଇଥିଲେ ମଧ୍ୟ ତାହାକୁ ଗୁରୁତ୍ୱ ଦିଆଯାଇ ନଥିବା କୃଷ୍ଣଚନ୍ଦ୍ର କହିଛନ୍ତି। ଦାରୁଚିହ୍ନଟ ଦୁର୍ନୀତି ସମ୍ପର୍କରେ ମୁହଁ ଖୋଲିବାରୁ ମନ୍ଦିର ପ୍ରଶାସନ ତାଙ୍କୁ ଟାର୍ଗେଟ କରିଥିବା ସେ ପ୍ରତିକ୍ରିୟା ଦେଇଛନ୍ତି। ନୋଟିସ ମିଳିବା ପରେ ସେ ପ୍ରକୃତ ଘଟଣା ଲିଖିତ ଭାବେ ଜଣାଇବେ। ତେଣିକି ଯାହାହେବ ଶ୍ରୀଜଗନ୍ନାଥ ମହାପ୍ରଭୁ ବୁଝିବେ
ବୋଲି ବରିଷ୍ଠ ମହାରଣା ସେବକ କହିଛନ୍ତି। ଦଇତାଙ୍କୁ ଯିଏ ଟଙ୍କା
ଦେଲା ତାଙ୍କ ବାଡିରେ ଥିବା ଗଛ ଦାରୁଭାବେ ଚିହ୍ନଟ କରାଗଲା ବୋଲି ସେ ଜୋରଦେଇ କରିଛନ୍ତି। ଜଗତସିଂହପୁର ଜିଲାରୁ ତିନିତିନିଟି ଦାରୁ ଚିହ୍ନଟ କରାଯିବାକୁ ନେଇ ସେ ସନ୍ଦେହ କରିଛନ୍ତି। ନବକଳେବର ତଥା ବ୍ରହ୍ମ ବିଭ୍ରାଟର ୩ବର୍ଷ ପରେ କୃଷ୍ଣଙ୍କ ଏପରି ବୟାନ ବିବାଦକୁ ଅଧିକ ଘନିଭୂତ କରିଛି। ମନ୍ଦିର ପ୍ରଶାସନର କାରଣ ଦର୍ଶାଅ ନୋଟିସ ସମ୍ପର୍କରେ ପଚାରିବାରୁ ସେ କହିଲେ ମୁଁ ଏପର୍ଯ୍ୟନ୍ତ ନୋଟିସ ପାଇନାହିଁ। ଗତ ନବକଳେବର ପାଇଁ ଦାରୁ ମନୋନୟନରେ ବଡ଼ଧରଣର ଦୁର୍ନୀତି ହୋଇଥିଲା। ଅର୍ଥ ପାଇଁ କେତେକ ଦଇତାପତି ଶାସ୍ତ୍ରୀୟ ବିଧି ବ୍ୟବସ୍ଥା ଉଲ୍ଲଙ୍ଘନ କରିଛନ୍ତି। ଏବେ ଟଙ୍କା ଯେଉଁଠି ଦଇତାପତି ସେଇଠି ବୋଲି କୃଷ୍ଣ କହିଛନ୍ତି। ସେ କହିଲେ ନୂତନ ବିଗ୍ରହ ନିର୍ମାଣ କାର୍ଯ୍ୟରେ କେତେକ ଅନଭିଜ୍ଞ ଓ ଯୁବ ଦଇତାପତି ବାରମ୍ବାର ହସ୍ତକ୍ଷେପ କରିଥିଲେ। ମନ୍ଦିର ପ୍ରଶାସନ ପକ୍ଷରୁ ଯେତିକି ସହଯୋଗ ମିଳିବା କଥା ତାହା ମିଳିନଥିଲା। ପୋଲାକାଠ ଯୋଗୁଁ ପୁଣିଥରେ ବିଗ୍ରହ ନିର୍ମାଣ କରିବାକୁ ପଡିଥିଲା। ଏଥିଯୋଗୁଁ ନୂତନ ବିଗ୍ରହ ନିର୍ମାଣ ବିଳମ୍ବ ହୋଇଥିଲା। ବ୍ରହ୍ମ ସଂସ୍ଥାପନରେ ବିଳମ୍ବ ପାଇଁ କେବଳ ଦଇତାପତିମାନେ ଦାୟୀ ବୋଲି ସେ କହିଛନ୍ତି। ଯିଏ ପ୍ରକୃତ ଦୋଷୀ ପ୍ରଶାସନ ତାଙ୍କୁ ଚିହ୍ନଟ କରି ଦଣ୍ଡ ଦେବାକୁ କୃଷ୍ଣଚନ୍ଦ୍ର ଦାବି କରିଛନ୍ତି। ଦାରୁ ଚିହ୍ନଟ ପ୍ରକ୍ରିୟା ସମ୍ପର୍କରେ ସେ କହିଲେ କାକଟପୁର ମଙ୍ଗଳାଙ୍କ ସ୍ୱପ୍ନାଦେଶ ପାଇ ଦଇତାପତିମାନେ ଦାରୁ ଚିହ୍ନଟ କରିବା ବିଧି ରହିଛି। ଗତ ନବକଳେବର ସମୟରେ ଦଇତାପତିମାନେ ତାହାକୁ ପାଳନ କରିନଥିଲେ। ମନଇଚ୍ଛା ଦାରୁ ଚିହ୍ନଟ କରିବା ସହ ପ୍ରଚାର ପାଇଁ ନିଷ୍ଠାଠାରୁ ଦୂରେଇ ଯାଇଥିଲେ। ଏଥିଯୋଗୁଁ ବ୍ରହ୍ମ ସଂସ୍ଥାପନ ବିଭ୍ରାଟ ଘଟିଥିଲା। ନିଶାର୍ଦ୍ଧରେ ହେବାକୁଥିବା ବ୍ରହ୍ମ ସଂସ୍ଥାପନ ପରଦିନ ଦ୍ୱିପ୍ରହରରେ ହୋଇଥିଲା। ଏଥିପାଇଁ କେବଳ ଦଇତାପତିମାନେ ଦାୟୀ ବୋଲି ସେ କହିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପରିବର୍ତ୍ତେ ଅନ୍ୟମାନଙ୍କୁ କାହିଁକି ନୋଟିସ ଜାରି କରୁଛି ବୋଲି ଶ୍ରୀ ମହାରଣା ପ୍ରଶ୍ନ କରିଛନ୍ତି। ଏ ସମ୍ପର୍କରେ ବରିଷ୍ଠ ଦଇତାପତି ରାମଚନ୍ଦ୍ର ଦାସମହାପାତ୍ରଙ୍କୁ ପଚାରିବାରୁ ସେ କହିଲେ କୃଷ୍ଣଚନ୍ଦ୍ରଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା। ନୂତନ ବିଗ୍ରହ ନିର୍ମାଣ ଅନ୍ୟ ମହାରଣା କରିଥିଲେ। ବ୍ରହ୍ମ ବିଭ୍ରାଟ ପାଇଁ ଦଇତାପତିଙ୍କୁ ଦାୟୀ କରିବା ପାଇଁ କୃଷ୍ଣଚନ୍ଦ୍ରଙ୍କର କି ଅଧିକାର ରହିଛି ବୋଲି ଶ୍ରୀ ଦାସମହାପାତ୍ର ପ୍ରଶ୍ନ କରିଛନ୍ତି।

Comments
Loading...