କରୋନା ନେଲା ଜୀବନ; ଚାଲିଗଲେ ନବରଙ୍ଗପୁରର ପ୍ରିୟ ନବସାର୍‍

ନବରଙ୍ଗପୁର: ନବରଙ୍ଗପୁରର ସୁପରିଚିତ ବହୁମୁଖୀ ପ୍ରତିଭାର ଅଧିକାରୀ, ବରିଷ୍ଠ ଶିକ୍ଷାବିତ୍‍, ଶିକ୍ଷା ପ୍ରଶାସକ, ନାଟ୍ୟ ନିର୍ଦ୍ଦେଶକ, ନାଟ୍ୟକାର, ମଞ୍ଚକଳାକାର, ଟେଲି ଅଭିନେତା, ସାହିତ୍ୟ ଓ ସଂସ୍କୃତିକ୍ଷେତ୍ରରେ ଅମଳିନ ବ୍ୟକ୍ତିତ୍ୱ ସମସ୍ତଙ୍କର ପ୍ରିୟ ନବସାର୍‍ ଆଉ ନାହାନ୍ତି। ସେ ଚିକିତ୍ସାଧୀନ ଅବସ୍ଥାରେ ବିଶଖାପାଟଣାର ଏକ ଘରୋଇ ହସ୍ପିଟାଲରେ ଗୁରୁବାର ରାତ୍ରିରେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତିି। ମୃତ୍ୟୁବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ସେ କିଛି ବର୍ଷ ପୂର୍ବରୁ ହୃଦଅସ୍ତ୍ରୋପଚାର କରି ସୁସ୍ଥଥିଲେ। ତେବେ ହଠାତ କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଅଚାନକ ଖରାପ ହେବାରୁ ତାଙ୍କୁ ବିଶାଖାପାଟଣାକୁ ନିଆଯାଇଥିଲା।

ନବରଙ୍ଗପୁର ସହରରେ ଜନ୍ମିତ ନବକିଶୋର ପଣ୍ଡା ପ୍ରଥମେ ଶିକ୍ଷକତା ଆରମ୍ଭ କରି ଜିଲାର ବିଭିନ୍ନ ହାଇସ୍କୁଲରେ ଶିକ୍ଷକ ଥିଲେ। ଏହାପରେ ସେ ବିଭିନ୍ନ ବ୍ଳକରେ ସ୍କୁଲ ଏସଆଇ ଭାବେ କାର୍ଯ୍ୟକରିଥିଲେ। ପରେ ସେ ନବରଙ୍ଗପୁର ଡେପୁଟି ଡିଆଇ ଭାବେ ଯୋଗଦେଇଥିଲୋ ଏହାପରେ ସେ ଜୟପୁର ସ୍କୁଲ ସିଆଇ ଅଫିସରେ ବିତ୍ତ ଅଧିକାରୀ ଭାବେ କାମ କରିଥିଲେ। ପରେ ସେ ପଦୋନ୍ନତି ପାଇ ନବରଙ୍ଗପୁରରେ ଜିଲା ଶିକ୍ଷା ଅଧିକାରୀ ଭାବେ କାର୍ଯ୍ୟକରି ଅବସର ଗ୍ରହଣ କରିଥିଲୋ ସେ ଜଣେ ଅତି ସରଳ ବ୍ୟକ୍ତିତ୍ୱର ଅଧିକାରୀ ରହିବା ସହ ଛାତ୍ରବତ୍ସଳ ଶିକ୍ଷକଥିଲେ। ଶିକ୍ଷା ପ୍ରଶାସକ ଭାବେ ବହୁ ସୁନାମ ଅର୍ଜନ କରିଥିଲେ। ସେ “ସମାଜ”ର ନିୟମିତ ପାଠକ ଥିଲେ। ଏହ ସହିତ ସେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ, ଧାର୍ମିକ ଓ ସେବା ଅନୁଷ୍ଠାନରେ ଜଡିତ ଥିଲେ। ସେ ଜଣେ ବିଶିଷ୍ଟ କଳାକାର ଥିଲେ। ସେ ‘ବଣ୍ଡା ଜନଜାତି’ ଟେଲିଫିଲ୍ମରେ ମୁଖ୍ୟଚରିତ୍ରରେ ଅଭିନୟ କରି ସମଗ୍ର ରାଜ୍ୟରେ ଚର୍ଚ୍ଚିତ ହୋଇଥିଲେ। ଏହାଛଡା ବହୁ ମଞ୍ଚନାଟକରେ ସେ ଅଭିନୟ କରି ସୁନାମ ଆଣିଥିଲେ। ସେ କରୋନାର ସଚେତନତା କରିବା ସହ ନିଜେ ମାସ୍କ ତିଆରି କରି ଶତାଧିକ ଲୋକଙ୍କୁ ବାଣ୍ଟିଥିଲେ। ସେ ପ୍ରଚାର ପ୍ରସାର ବିମୁଖ ଥିଲେ ହେଁ ଏହି ଖବର କେବଳ “ସମାଜ”ରେ ପ୍ରକାଶ ପାଇଥିଲା। ତେବେ କରୋନାକୁ ନେଇ ଜନସଚେତନ କରୁଥିବା ନବସାର ନିଜେ ଆକ୍ରାନ୍ତ ହେବେ ବୋଲି କେହି ଭାବି ନଥିଲେ। ତାଙ୍କର ଅକାଳ ବିୟୋଗରେ ସହରରେ ଶୋକର ଛାୟା ଖେଳିଯାଇଛିା ସେ ପୂର୍ବତନ ଚଳଚିତ୍ର ଅଭିନେତା ଶ୍ରୀରାମ ପଣ୍ଡାଙ୍କର ବଡ ଭାଇ ହୋଇଥିବାବେଳେ ତାଙ୍କର ପତ୍ନୀ ସମେତ ଗୋଟିଏ ପୁଅ, ବୋହୁ ଓ ଦୁଇ ଝିଅ ଜ୍ୱାଇଁ ଓ ନାତିନାତୁଣୀ ରହିଛନ୍ତି। ମୃତ୍ୟୁ ଖବର ଶୁଣିବା ପରେ ସହରର ବହୁବୁଦ୍ଧିଜୀବୀ, ରାଜନୈତିକ ନେତା, ଆଇନଜୀବୀ, ସାମ୍ବାଦିକ, ସମାଜିକ କର୍ମକର୍ତ୍ତାମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି। ରାଜ୍ୟସଭା ସାଂସଦ ମୁନ୍ନା ଖାନ୍‍, ପ୍ରଦେଶ କଂଗ୍ରେସ ସଭାପତି ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ପୂର୍ବତନ ସାଂସଦ ଇଂ.ବଳଭଦ୍ର ମାଝୀ, ନିଗମାନନ୍ଦ ଆଶ୍ରମର ସଭାପତି ନାରାୟଣ ପଣ୍ଡା, କବି ବିଜୟ କୁମାର ଚୈାଧୂରୀ, ବିଜେଡିନେତା ପ୍ରହଲ୍ଲାଦ ତ୍ରିପାଠୀ, ଜିଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ, ଜିଲା ବିଜେପି ସଭାପତି ଜଗଦିଶ ଚନ୍ଦ୍ର ବିଷୋୟୀ, ବିଜେପି ନେତା ଗୈାରୀଶଙ୍କର ମାଝୀ,ଜିଲା ସାମ୍ବାଦିକ ସଂଘ ସଭାପତି ବାଙ୍କ ବିହାରୀ ବିଷୋୟୀ, ନବରଙ୍ଗପୁର ବଣିକ ସଂଘ ସଭାପତି ସୁଶୀଲ ଜୈନ, ଆଇନଜୀବୀ ରାମପ୍ରସାଦ ପାତ୍ର, ଜିଲା ପ୍ରାଥମିକ ଶିକ୍ଷକ ସଂଘ ସମ୍ପାଦକ ରମଣୀ ରଞନ ତ୍ରିପାଠୀ ପ୍ରମୂଖ ଶୋକ ପ୍ରକାଶ କରିବା ସହ ନବରଙ୍ଗପୁର ଜଣେ ବହୁମୁଖୀ ପ୍ରତିଭାଙ୍କୁ ହରାଇଲା ଯାହାକି ଅପୂରଣୀୟ କ୍ଷତି ବୋଲି ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି।

 

Comments are closed.