୫୭ ଗ୍ରାମ ସିଡିଏ ଅଧିନକୁ ଯିବା ପ୍ରସଙ୍ଗ, ବିଭିନ୍ନ ସଂଗଠନ ପକ୍ଷରୁ ବିରୋଧ ଜାରି

ଆଠଗଡ଼: ଆଠଗଡ଼ ନିର୍ବାଚନ ମଣ୍ଡଳିର ୫୭ଟି ରାଜସ୍ୱ ଗ୍ରାମ କଟକ ଉନ୍ନୟନ କର୍ତ୍ତୃପକ୍ଷଙ୍କ ପରିସୀମାରେ ମିଶ୍ରଣକୁ ନେଇ ଆଠଗଡ଼ ବିଜେପି ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ନଗର ଉନ୍ନୟନ ବିଭାଗର ସଂପୃକ୍ତ ବିବାଦୀୟ ବିଜ୍ଞପ୍ତି ପ୍ରତ୍ୟାହାର ନହେଲେ ମୁଖ୍ୟମନ୍ତ୍ରୀଙ୍କୁ ଘେରାଉ କରାଯିବ ବୋଲି ଭାରତୀୟ ଜନତା ପାର୍ଟି ପକ୍ଷରୁ ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ଚେତାଇ ଦିଆଯାଇଛି। ଗାନ୍ଧିମାର୍ଗସ୍ଥିତ ଦଳୀୟ କାର୍ଯ୍ୟାଳୟରେ ବରିଷ୍ଠ ବିଜେପି ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବ୍ରଜେନ୍ଦ୍ର ରାୟ ଏହି ସାମ୍ବାଦିକ ସମ୍ମିଳନୀରେ ଅଧ୍ୟକ୍ଷତା କରି ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗ ସ୍ଥାନୀୟ ଜନସାଧାରଣଙ୍କର ଆପତ୍ତି ଅଭିଯୋଗକୁ ଅଣଦେଖା କରି କୌଣସି ଜନଶୁଣାଣୀ ନକରି ଏକ ପାଖିଆ ଭାବେ ଏହି ବିଜ୍ଞପ୍ତି ଜାରି କରିଥିବାରୁ ତୀବ୍ର ବିରୋଧ କରିଥିଲେ।

ବିଜେପି ପକ୍ଷରୁ ପ୍ରଥମ ବିଜ୍ଞପ୍ତି ଗତ ୨୦୨୨ମସିହାରେ ପ୍ରକାଶ ପାଇବା ପରେ ଏପ୍ରିଲ ୩୦ତାରିଖରେ ବିଜେପି ପକ୍ଷରୁ ଏହାକୁ ବିରୋଧ କରି ଏକ ଦାବିପତ୍ର ନଗର ଉନ୍ନୟନ ବିଭାଗ ସଚିବଙ୍କୁ ପ୍ରଦାନ କରାଯାଇଥିଲା। ତେବେ ସେମାନଙ୍କ ଅଭିଯୋଗକୁ ଗ୍ରହଣ କରାଗଲା ନାହିିଁ କିମ୍ବା ଯେଉଁସବୁ ଗ୍ରାମ ସିଡିଏ ପରିସୀମାରେ ଅନ୍ତର୍ଭୁକ୍ତ କରାଗଲା ସଂପୃକ୍ତ ଗ୍ରାମବାସୀଙ୍କର ମତାମତ ନିଆଗଲା ନାହିଁ। ଏହା ଅଗଣତାନ୍ତ୍ରିକ ବୋଲି ଉପସ୍ଥିତ ବିଜେପି ନେତା ରାମନାରାୟଣ ମହାନ୍ତି ପ୍ରକାଶ କରିଥିଲେ। ଏପରିକି ଆଠଗଡ଼ର ଜନସାଧାରଣଙ୍କ ମଧ୍ୟରେ ସନ୍ଦେହ, ଦ୍ୱନ୍ଦ ଓ ଅସନ୍ତୋଷ ଲାଗି ରହିଥିବାବେଳେ ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନିରବତା ଉଦ୍‌‌ବେଗଜନକ, ଲଜ୍ଜାଜନକ ଓ ଦୁଃଖଦାୟକ ବୋଲି ସେମାନେ କ୍ଷୋଭ ପ୍ରକାଶ କରିଥିଲେ। ଆଠଗଡ଼ର ଆରାଧ୍ୟ ପ୍ରଭୁ ଶ୍ରୀ ଧବଳେଶ୍ୱରଙ୍କ ସୁରକ୍ଷା ଏବଂ ଆଠଗଡ଼ବାସୀଙ୍କ ଧାର୍ମିକ ଭାବନାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ବିଜେପି ତାର ସଂଗ୍ରାମ ଜାରି ରଖିବ ବୋଲି ବିଜେପି ନେତା ଦୃଢୋକ୍ତିି ପ୍ରକାଶ କରିଥିଲେ। ସଂପୃକ୍ତ ବିବାଦୀୟ ବିଜ୍ଞପ୍ତିିକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ, ନଚେତ ମୁଖ୍ୟମନ୍ତ୍ରୀଙ୍କୁ ଘେରାଉ କରିବାକୁ ଚେତାଇ ଦେଇଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ରାୟ ଓ ଶ୍ରୀ ମହାନ୍ତିଙ୍କ ସମେତ ବିଚିତ୍ରାନନ୍ଦ ଜେନା, ହେମନ୍ତ କୁମାର ମହାନ୍ତି, ଉମେଶ କୁମାର ସାମଲ, ହେମମଞ୍ଜରୀ ଭଞ୍ଜଦେଓ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.