ନାଟ୍‍-ପିସିଆର ରକ୍ତ ପରୀକ୍ଷା ୩୫୦୦ଙ୍କ ଜୀବନ ବଞ୍ଚାଇଛି 

+ ରାଜ୍ୟରେ ପ୍ରତି ୨୦୦ ୟୁନିଟ୍‍ ରକ୍ତ ମଧ୍ୟରୁ ଗୋଟିଏ ସଂକ୍ରମିତ ; + ଗଞ୍ଜାମରେ ପ୍ରତି ୯୨ ୟୁନିଟରେ ଗୋଟିଏ ସଂକ୍ରମିତ

ଭୁବନେଶ୍ୱର : ରକ୍ତଦାନ ମହାପୂଣ୍ୟ। ସେଥିପାଇଁ ରାଜ୍ୟ ସରକାରଙ୍କ ସମେତ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ସହିତ ଅନେକ ବେସରକାରୀ ସଂସ୍ଥା ଉଦ୍ୟମ ଜାରି ରଖିଛନ୍ତି। ଉଦ୍ଦେଶ୍ୟ ହେଉଛି ରକ୍ତ ଅଭାବରେ ଓଡ଼ିଶାରେ କାହାର ମୃତ୍ୟୁ ନହେଉ। ସାରା ଭାରତରେ ରକ୍ତଦାନରେ ଓଡ଼ିଶାର ସ୍ଥାନ ଦ୍ୱିତୀୟ। ରାଜ୍ୟରେ ପ୍ରତି ଶହେ ଜଣରେ ୭୨ଜଣ ରକ୍ତଦାନ କରି ରକ୍ତ ଅଭାବ ଦୂର କରିବାକୁ ଆଗେଇ ଆସିଥାନ୍ତି। ତଥାପି ଆହୁରି ୨୮% ରକ୍ତ ସଂଗ୍ରହରେ ଆମ ରାଜ୍ୟ ପଛୁଆ ଅଛି। କିନ୍ତୁ ଉତ୍ତମ ଗୁଣବତ୍ତାର ରକ୍ତ ଯୋଗାଣରେ ଓଡ଼ିଶା ଆଗରେ ଅଛି। ରାଜ୍ୟ ସରକାର ଓ ରେଡକ୍ରସ ଦ୍ୱାରା ପରିଚାଳିତ ୫୭ଟି ରକ୍ତ ଭଣ୍ଡାର ମଧ୍ୟରୁ ୫୬ଟି ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ। ରକ୍ତ ସଂଗ୍ରହ ପରେ ମ୍ୟାଲେରିଆ, ସିଫିଲିସ, ଏଚଆଇଭି, ହେପାଟାଇଟିସ ବି ଓ ହେପାଟାଇଟିସ-ସି ପରୀକ୍ଷଣ ପରେ ରୋଗୀମାନଙ୍କୁ ଦିଆଯାଇଥାଏ। ଏହି ପରୀକ୍ଷା ଆଗରୁ ଏଲାଇଜା ପଦ୍ଧତିରେ ହେଉଥିବାବେଳେ ନାଟ୍‍-ପିସିଆର (ନିଉକ୍ଲିକ ଆମ୍ପ୍ଲିଫିକେସନ ଏସିଡ ଟେଷ୍ଟ-ପଲିମର୍ସ ଚେନ୍‍ ରିଆକ୍ସନ) ମାଧ୍ୟମରେ ପ୍ରଥମ କରି ଆମ ରାଜ୍ୟରେ ୨୦୧୬ ମସିହା ଜୁନ ମାସଠାରୁ ୬ଟି ରକ୍ତ ଭଣ୍ଡାରରେ ଏହି ରକ୍ତ ପରୀକ୍ଷା ହୋଇଆସୁଛି। ବ୍ରହ୍ମପୁରସ୍ଥିତ ଏମକେସିଜି ମେଡିକାଲ କଲେଜ ଓ ହସ୍‍ପିଟାଲ, କଟକସ୍ଥିତ ଏସସିବି ମେଡିକାଲ କଲେଜ ଓ ହସ୍‍ପିଟାଲ, ବୁର୍ଲାସ୍ଥିତ ଭିଏସଏସ୍‍ ମେଡିକାଲ କଲେଜ ଓ ହସ୍‍ପିଟାଲ ଏବଂ ଭୁବନେଶ୍ୱର କ୍ୟାପିଟାଲ ହସ୍‍ପିଟାଲରେ ଉନ୍ନତମାନର ନାଟ୍‍-ପିସିଆର ଟେକ୍ନୋଲୋଜି ମାଧ୍ୟମରେ ରକ୍ତରେ ଥିବମା ଏଚଆଇଭି, ହେପାଟାଇଟିସ ବି ଓ ହେପାଟାଇଟିସ ସି ଭୂତାଣୁର ପରୀକ୍ଷଣ ହେଉଛି। କ୍ୟାପିଟାଲ ହସ୍‍ପିଟାଲରେ ଥିବା ନାଟ୍‍-ପିସିଆର ସେଣ୍ଟରକୁ ଭୁବନେଶ୍ୱର ମ୍ୟୁନିସିପାଲିଟି ରକ୍ତ ଭଣ୍ଡାର ଓ କଟକ ଏସସିବି ମେଡିକାଲ ପରିସରରେ ଥିବା ସେଣ୍ଟରରେ ରେଡକ୍ରସ ରକ୍ତ ଭଣ୍ଡାରର ରକ୍ତ ପରୀକ୍ଷା କରିବା ପାଇଁ ବ୍ୟବସ୍ଥା କରାଯାଇଛି।
ଏହି ନାଟ୍‍-ପିସିଆର ପଦ୍ଧତିରେ ଟେଷ୍ଟ କରିବା ପାଇଁ ରାଜ୍ୟ ସରକାର ସୁଇଜରଲ୍ୟାଣ୍ଡ୍‍ର ଏକ କମ୍ପାନୀ ରୋସ୍‍ ଡାଇଗ୍ନୋଷ୍ଟିକ୍ସର ସହାୟତା ନେଉଛନ୍ତି। କମ୍ପାନୀର ଭାରତୀୟ ଶାଖା ରାଜ୍ୟ ସରକାରଙ୍କ ସହଭାଗିତାରେ ଦୀର୍ଘବର୍ଷ ହେଲା ଓଡ଼ିଶା ସମେତ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଜାମ୍ମୁ ଓ କାଶ୍ମୀର ଭଳି ରାଜ୍ୟ ଓ ଦେଶର ଅନେକ ପ୍ରତିଷ୍ଠିତ ସରକାରୀ ଓ ବେସରକାରୀ ହସ୍‍ପିଟାଲର ରକ୍ତ ଭଣ୍ଡାରରେ ସେବା ଯୋଗାଇ ଆସୁଛି। ଜଣାଯାଇଛି ଯେ ରାଜ୍ୟରେ ପ୍ରତି ୨ଶହ ୟୁନିଟ ରକ୍ତ ପରୀକ୍ଷାରେ ଗୋଟିଏ ୟୁନିଟ ସଂକ୍ରମିତ (ଏଚଆଇଭି ବା ହେପାଟାଇଟିସ ବି ଅଥବା ହେପାଟାଇଟିସ ସି) ରକ୍ତ ବାହାରୁଛି। ସେଥିମଧ୍ୟରୁ ଗଞ୍ଜାମ ଜିଲାରେ ସର୍ବାଧିକ ପ୍ରତି ୯୨ ୟୁନିଟ ରକ୍ତରେ ଗୋଟିଏ ସଂକ୍ରମିତ ୟୁନିଟ ରକ୍ତ ବାହାରୁଛି। ଗଞ୍ଜାମ ଜିଲାରେ ଏମ୍‍କେସିଜି ମେଡିକାଲ କଲେଜ ଓ ହସ୍‍ପିଟାଲରେ ପ୍ରାୟ ୧୨୦୦୦୦ ୟୁନିଟ ରକ୍ତ ପରୀକ୍ଷା ହୋଇଥିବାବେଳେ ୧୨୬୪ଟି ସଂକ୍ରମିତ ୟୁନିଟି ରକ୍ତ ଚିହ୍ନଟ କରଯାଇଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପୂର୍ବରୁ କେବଳ ଏଲାଇଜା ପଦ୍ଧତିରେ ପରୀକ୍ଷା ହେବାପରେ ରକ୍ତ ବ୍ୟବହୃତ ହେଉଥିଲା, ଏହାପରେ ନାଟ୍‍ ପଦ୍ଧତିରେ ପରୀକ୍ଷା ହେବାଯୋଗୁଁ ଆହୁରି ଏତେ ଲୋକଙ୍କୁ ମାରାତ୍ମକ ସଂକ୍ରମଣରୁ ରକ୍ଷା କରାଯାଇପାରୁଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୬,୫୦,୦୦ (ଛଅ ଲକ୍ଷ ପଚାଶ ହଜାର)ରୁ ଅଧିକ ୟୁନିଟ ରକ୍ତ ପରୀକ୍ଷା କରି ୩୫୦୦ ଏଚଆଇଭି, ହେପାଟାଇଟିସ ବି ଓ ହେପାଟାଇଟିସ ସି ଭଳି ରକ୍ତ ଚିହ୍ନଟ କରି ନଷ୍ଟ କରିଦିଆଯାଇଛି। ଫଳରେ ଏହା ଏହି ୩୫୦୦ ଲୋକଙ୍କୁ ନୂଆ ଜୀବନ ପ୍ରଦାନ ସଦୃଶ ହୋଇଛି।
ରାଜ୍ୟ ସରକାରଙ୍କ ଅଧୀନରେ ଥିବା ୫୭ଟି ରକ୍ତ ଭଣ୍ଡାର ମଧ୍ୟରୁ ମାତ୍ର ୬ଟି ରକ୍ତ ଭଣ୍ଡାରରୁ ଏହି ୬,୫୦,୦୦୦ ୟୁନିଟ ରକ୍ତ ଗତ ୫ ବର୍ଷରେ ନାଟ୍‍ ପଦ୍ଧତିରେ ପରୀକ୍ଷା କରାଯାଇଛି। ରାଜ୍ୟରେ ପ୍ରତିବର୍ଷ ସମସ୍ତ ରକ୍ତ ଭଣ୍ଡାର ଦ୍ୱାରା ପ୍ରାୟ ୪,୫୦,୦୦୦ ୟୁନିଟ ରକ୍ତ ସଂଗ୍ରହ କରାଯାଉଛି। ଏଥିମଧ୍ୟରୁ ମାତ୍ର ୧,୫୦,୦୦୦ ୟୁନିଟ ରକ୍ତ ନାଟ୍‍ ପଦ୍ଧତିରେ ପରୀକ୍ଷା ହେଉଛି। ବାକି ପ୍ରାୟ ୩,୦୦,୦୦୦ ୟୁନିଟ ରକ୍ତ ନାଟ୍‍ ପଦ୍ଧତିରେ ପରୀକ୍ଷା ହେଉନାହିଁ। ପ୍ରତି ୨୦୦ ୟୁନିଟ ରକ୍ତରେ ଗୋଟିଏ ସଂକ୍ରମିତ ବାହାରୁଥିବାବେଳେ ଏବେ ୧୫ଲକ୍ଷ ୟୁନିଟ ରକ୍ତରୁ କେତେ ୟୁନିଟ ରକ୍ତ ସଂକ୍ରମିତ ଚିହ୍ନଟ ନହୋଇ ବ୍ୟବହାର ହୋଇଯାଇଥିବ, ତାହା ଚିନ୍ତାଜନକ। ସେଥିପାଇଁ ନାଟ୍‍ ପରୀକ୍ଷା ରାଜ୍ୟର ବାକି ୫୧ଟି ରକ୍ତ ଭଣ୍ଡାରରେ କରିବାକୁ ସାଧାରଣରେ ଦାବି ହେଉଛି।
ଏହି ବ୍ୟବସ୍ଥାର ଗୁରୁତ୍ୱ ବାବଦରେ କ୍ୟାପିଟାଲ ହସ୍‍ପିଟାଲ ରକ୍ତ ଭଣ୍ଡାରର ନିର୍ଦ୍ଦେଶକ ଡାକ୍ତର ଦେବାଶିଷ ମିଶ୍ର କୁହନ୍ତି, ନାଟ୍‍-ପିସିଆର ସାରା ବିଶ୍ୱର ଏକ ଅତ୍ୟାଧୁନିକ ବିଶ୍ୱସନୀୟ ପଦ୍ଧତି। ଆମେରିକା, ୟୁରୋପ ଭଳି ସ୍ୱାସ୍ଥ୍ୟକ୍ଷେତ୍ରରେ ଅନେକ ବିକଶିତ ଦେଶ ଏହାକୁ ବ୍ୟବହାର କରୁଛନ୍ତି। ରାଜ୍ୟ ସରକାରଙ୍କୁ ସାଧୁବାଦ ଯେ ସେ ଏଭଳି ବ୍ୟବସ୍ଥା ଆମ ରାଜ୍ୟରେ ଚାଲୁ କରିଛନ୍ତି। ଆମେ ଅଧିକରୁ ଅଧିକ ଲୋକଙ୍କୁ ସୁରକ୍ଷା ଦେବାକୁ ଯେତେ ଅଧିକ ରକ୍ତ ଭଣ୍ଡାରରେ ଏହି ବ୍ୟବସ୍ଥା କରିପାରିବା ରାଜ୍ୟବାସୀଙ୍କ ପାଇଁ ସେତେ ଉପକାର ହେବ ଏବଂ ଅନେକ ଦୁର୍ମୂଲ୍ୟ ଜୀବନ ଅମେ ରକ୍ଷା କରିପାରିବା। ସେହିପରି କଳିଙ୍ଗ ହସ୍‍ପିଟାଲ ରକ୍ତ ଭଣ୍ଡାରର ମୁଖ୍ୟ ଡାକ୍ତର ବି ଡି ଶତପଥୀ ମଧ୍ୟ ସମାନ ମତ ପୋଷଣ କରିଛନ୍ତି।

Comments
Loading...