ଗୋପାଳସ୍ବାମୀ ବିସିସିଆଇର ନିର୍ବାଚନ ଅଧିକାରୀ ନିଯୁକ୍ତ

ମୁମ୍ବଇ : ଭାରତର ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ଏନ୍‌. ଗୋପାଳସ୍ବାମୀ ଆସନ୍ତା ବିସିସିଆଇ ନିର୍ବାଚନ ଲାଗି ନିର୍ବାଚନ ଅଧିକାରୀ ନିଯୁକ୍ତ ହୋଇଛନ୍ତି। ବିସିସିଆଇର ସାଧାରଣ ପରିଷଦ ବୈଠକ ସହ କର୍ମକର୍ତ୍ତା ନିର୍ବାଚନ ଅକ୍ଟୋବର ୨୨ରେ ଅନୁଷ୍ଠିତ ହେବ। ଏନ୍‌. ଗୋପାଳସ୍ବାମୀ ଏହି ନିର୍ବାଚନ ପରିଚାଳନା କରିବାର ଦାୟିତ୍ବ ପାଇଛନ୍ତି। ଶୁକ୍ରବାର ବିସିସିଆଇ ପକ୍ଷରୁ ପ୍ରେସ୍ ବିବୃତିରେ କୁହାଯାଇଛି ଯେ ଭାରତୀୟ ନିର୍ବାଚନ କମିଶନଙ୍କ ପରାମର୍ଶରେ ସୁପ୍ରିମକୋର୍ଟ ନିଯୁକ୍ତ ପ୍ରଶାସକ କମିଟି (ସିଓଏ) ଭାରତର ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ଏନ୍‌. ଗୋପାଳସ୍ବାମୀଙ୍କୁ ବିସିସିଆଇର ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତି ଦେଇଛନ୍ତି। ସେ ବିସିସିଆଇର ନିର୍ବାଚନ ସହ ଇଣ୍ଡିଆନ୍ କ୍ରିକେଟର୍ସ ଆସୋସିଏସନ୍‌ର ମଧ୍ୟ ନିର୍ବାଚନ ପରିଚାଳନା କରିବେ। ଗୋପାଳସ୍ବାମୀ ମୁମ୍ବଇସ୍ଥିତ ବିସିସିଆଇର ମୁଖ୍ୟାଳୟରୁ ତାଙ୍କ କାର୍ଯ୍ୟକରିବେ। ଗତମାସରେ ସିଓଏ ଘୋଷଣା କରିଥିଲେ ​‌େ​‌ଯ ସୁପ୍ରିମକୋର୍ଟ ନିଯୁକ୍ତ ଲୋଧା କମିଶନ୍‌ଙ୍କ ସୁପାରିସ ଅନୁସାରେ ବିସିସିଆଇର ନୂତନ ସମ୍ବିଧାନ ଭିତ୍ତିରେ ବିସିସିଆଇର ନିର୍ବାଚନ ଅକ୍ଟୋବର ୨୨ରେ ଅନୁଷ୍ଠିତ ହେବ। ଏହାପୂର୍ବରୁ ବିସିସିଆଇ ଅନୁବନ୍ଧିତ ସସସ୍ତ ରାଜ୍ୟ କ୍ରିକେଟ ଆସୋସିଏସନ୍‌ମାନଙ୍କର ମଧ୍ୟ ନିର୍ବାଚନ କରାଯିବ। ସେପ୍ଟେମ୍ବର ୧୪ ସୁଦ୍ଧା ରାଜ୍ୟ କ୍ରିକେଟ ଆସୋସିଏସନ୍‌ମାନଙ୍କ ନିର୍ବାଚନ ସାରିବାକୁ ସିଓଏ ନିର୍ଦେଶ ଦେଇଛନ୍ତି। ସମସ୍ତ ରାଜ୍ୟ କ୍ରିକେଟ ଆସୋସିଏସନ୍‌ର ପ୍ରତିନିଧିମାନଙ୍କୁ ନେଇ ବିସିସିଆଇର କାଉନ୍‌ସିଲ ଗଠନ କରାଯିବ। ଏହି ସଦସ୍ୟମାନଙ୍କୁ ନେଇ ବାର୍ଷିକ ସାଧାରଣ ପରିଷଦ ବୈଠକ ବା ଏଜିଏମ୍‌ ଅନୁଷ୍ଠିତ ହେବ; ଯେଉଁଥିରେ ବିସିସିଆଇ କର୍ମକର୍ତ୍ତା ନିର୍ବାଚନ ହେବ। ଶୁକ୍ରବାର ମୁମ୍ବଇରେ ସିଓଏର ବୈଠକରେ ବିସିସିଆଇ ନିର୍ବାଚନ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା।

Comments are closed.