ପଞ୍ଜାବର ପଠାନକୋଟ ଆକାଶରେ ରହସ୍ୟମୟ ଆଲୋକ

ପଠାନକୋଟ: ଏଠାରେ ଶୁକ୍ରବାର ରାତିରେ ଆକାଶରେ ରହସ୍ୟମୟ ଆଲୋକ ଦେଖିବାକୁ ମିଳିଛି । ଏହା ଦେଖିବା ପରେ ସ୍ଥାନୀୟ ଜନସାଧାରଣ ବିଚଳିତ ହୋଇଯାଇଥିଲେ । ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି ଯେ ସଂଧ୍ୟା ପ୍ରାୟ ୬.୫୦ରେ ଏହା ପାଞ୍ଚ ମିନିଟି ଧରି ଦେଖିବାକୁ ମିଳିଥିଲା । ଉକ୍ତ ଆଲୋକର ଜଣେ ବ୍ୟକ୍ତି ଭିଡିଓ ଚିତ୍ର ଉତ୍ତୋଳନ କରିଥିଲେ । ସେଥିରୁ ଦେଖିବାକୁ ମିଳିଛି ଯେ କେତେକ ଆଲୋକ ଗୋଟିଏ ସରଳ ରେଖାରେ ସଜେଇ ହେବାଭଳି ରହିଛି ଏବଂ ସେଗୁଡିକ ଦପଦପ୍‍ କରୁଥିଲା । ତେବେ ଦେଶରେ ଏଭଳି ଆଲୋକ ପ୍ରଥମ ଥର ଦେଖିବାକୁ ମିଳିନାହିଁ । ସୂଚନା ଅନୁସାରେ ପୂର୍ବରୁ ଚଳିତ ବର୍ଷ ଜୁନ ମାସରେ ଗୁଜରାଟର ଜୁନାଗଡ, ଅପଲେଟା ଏବଂ ସୌରାଷ୍ଟ୍ର ନିକଟବର୍ତ୍ତୀ ଅଞ୍ଚଳରେ ରାତିର ଆକାଶରେ ଅନୁରୂପ ରହସ୍ୟମୟ ଆଲୋକ ଦେଖିବାକୁ ମିଳିଥିଲା । ଗୁଜରାଟର ବିଜ୍ଞନ ଓ ପ୍ରଯୁକ୍ତି ପରିଷଦର ଜଣେ ବୈଜ୍ଞାନିକଙ୍କ କହିବା ଅନୁଯାୟୀ ସମ୍ଭବତଃ କୌଣସି ଉପଗ୍ରହ ନିମ୍ନ ପୃଥିବୀ କକ୍ଷପଥରେ ଗତି କରିବା ସମୟରେ ତାହାକୁ ଜନସାଧାରଣ ଦେଖିବାକୁ ପାଇଛନ୍ତି । ତେବେ ରାଜକୋଟର ଅପଲେଟା ଅଞ୍ଚଳରେ ଆଲୋକ ଦେଖାଯିବା ସହିତ ଜୋର ଶବ୍ଦ ଶୁଭିଥିଲା ଏବଂ ଆକାଶରୁ ଜଳନ୍ତା କିଛି ପଦାର୍ଥ ଖସୁଥିବା ଲକ୍ଷ୍ୟ କରାଯାଇଥିଲା ।

Comments are closed.