ମୁଜରାଫରପୁର ଆଶ୍ରୟସ୍ଥଳ ମାମଲା: ପୂର୍ବତନ ମନ୍ତ୍ରୀ ମଞ୍ଜୁ ବର୍ମା ନିଖୋଜ

0

ନୂଆଦିଲ୍ଲୀ : ମୁଜାଫରପୁର ଆଶ୍ରୟସ୍ଥଳରେ ନାବାଳିକାଙ୍କୁ ଯୌନ ନିର୍ଯାତନା ମାମଲାର ମୁଖ୍ୟ ଅଭିଯୁକ୍ତ ବ୍ରଜେଶ ଠାକୁର ସହ ସ୍ୱାମୀଙ୍କ ସମ୍ପର୍କକୁ ନେଇ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ମଞ୍ଜୁ ଶର୍ମା ନିଖୋଜ ଅଛନ୍ତି ବୋଲି ବିହାର ସରକାର ବୁଧବାର ସର୍ବୋଚ୍ଚ ଅଦାଲତଙ୍କୁ ଅବଗତ କରିଛନ୍ତି। ମାମଲାର ତଦନ୍ତ ବେଳେ ମଞ୍ଜୁଙ୍କ ସ୍ୱାମୀଙ୍କ ନାମରେ ଥିବା ବାସଭବନରୁ ଗୁଳିଗୋଳା ମିଳିଥିଲେ ମଧ୍ୟ ତାଙ୍କୁ କାହିଁକି ଗିରଫ କରାଯାଇ ନାହିଁ ବୋଲି ସୁପ୍ରିମକୋର୍ଟ ମଙ୍ଗଳବାର ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ମଞ୍ଜୁଙ୍କ ବିଷୟରେ କୌଣସି ସୂଚନା ମିଳୁ ନ ଥିବା ରାଜ୍ୟ ସରକାର ଦର୍ଶାଇବା ନେଇ ସୁପ୍ରିମକୋର୍ଟ ଆଶ୍ଚର୍ଯ୍ୟ ବ୍ୟକ୍ତ କରିଛନ୍ତି। ଜଣେ ପୂର୍ବତନ ମନ୍ତ୍ରୀ କେଉଁଠାରେ ଅଛନ୍ତି ସେ ସମ୍ବନ୍ଧରେ ରାଜ୍ୟ ସରକାରଙ୍କ ନିକଟରେ କୌଣସି ସୂଚନା ନ ଥିବା ଆଶ୍ଚର୍ଯ୍ୟଜନକ। ଯାହା ଜଣାପଡୁଛି ବିହାରରେ କିଛି ଠିକ୍‍ ଚାଲି ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଉଲ୍ଲେଖ ଯେ ବ୍ରଜେଶଙ୍କ ଦ୍ୱାରା ପରିଚାଳିତ ଆଶ୍ରୟସ୍ଥଳକୁ ମଞ୍ଜୁଙ୍କ ସ୍ୱାମୀ ଚନ୍ଦ୍ରଶେଖର ବର୍ମା ନିୟମତି ଭାବେ ଆତଯାତ କରୁଥିଲେ ବୋଲି ଅନ୍ୟ ଜଣେ ଅଭିଯୁକ୍ତଙ୍କ ପତ୍ନୀ ଅଭିଯୋଗ କରିଥିଲେ। ତଦନ୍ତ ବେଳେ ଚନ୍ଦ୍ରଶେଖରଙ୍କ ବାସଭବନରୁ ବହୁ ପରିମାଣର ଗୁଳିଗୋଳା ମିଳିଥିଲା। ବିହାର ପୁଲିସ ଅସ୍ତ୍ରଶସ୍ତ୍ର ଆଇନ ଅଧୀନରେ ସେମାନଙ୍କ ବିରୋଧରେ ଏଫ୍‍ଆଇଆର୍‍ ରୁଜୁ କରିଥିଲା। ଏହାପରେ ମଞ୍ଜୁ ଅଗଷ୍ଟରେ ମନ୍ତ୍ରୀପଦରୁ ଇସ୍ତଫା ଦେଇଥିଲେ। ମାମଲାର ମୁଖ୍ୟ ଅଭିଯୁକ୍ତ ବ୍ରଜେଶକୁ ବିହାର ବାହାରର ଏକ ଜେଲକୁ ସ୍ଥାନାନ୍ତର କରିବାକୁ କୋର୍ଟ ନିର୍ଦେଶ ଦେଇଥିଲେ। ଚନ୍ଦ୍ରଶେଖର ସୋମବାର ବେଗୁସରାଇସ୍ଥିତ ଏକ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ଏହି ଆଶ୍ରୟସ୍ଥଳର ୩୦ରୁ ଊର୍ଦ୍ଧ୍ବ ନାବାଳିକାଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ରହିଛି।

Leave A Reply