ମୁସ୍‍ଲିମ୍‍ ଝିଅର ଲାଳନପାଳନ ଓ ବିବାହ କରାଇ ଉଦାହରଣ ସାଜିଲେ ହିନ୍ଦୁ ପରିବାର

0

ଗୁଜୁରାଟ : ଗୁଜୁରାଟ ସ୍ଥିତ ଭେରାବଲରେ ଏକ ହିନ୍ଦୁ ପରିବାର ଜାତି-ଧର୍ମରୁ ଉପରକୁ ଯାଇ ମଣିଷପଣିଆର ପ୍ରମାଣ ଦେଇଛନ୍ତି। ଏକ ମୁସ୍‍ଲିମ୍‍ ଝିଅକୁ ଲାଲନପାଳନ କରିବା ସହ ଯଥା ରୀତିରେ ତା’ର ବିବାହ କରାଇ ସମସ୍ତଙ୍କ ପାଇଁ ଉଦାହରଣ ସାଜିଛନ୍ତି।
ଭେରାବଲରେ ବାସ କରୁଥିବା କମରୁଦ୍ଦିନ୍‍ ଶେଖ୍‍ଙ୍କ ପତ୍ନୀଙ୍କର ହଠାତ୍‍ ମୃତ୍ୟୁ ହୋଇ ଯାଇଥିଲା। କମରୁଦ୍ଦିନ ପେଷାରେ ଜଣେ ଟ୍ରକ ଚାଳକ। ପତ୍ନୀଙ୍କ ମୃତ୍ୟୁ ସମୟରେ ତାଙ୍କ ଝିଅ ସବ୍‍ନମ୍‍ ମାତ୍ର ୫ ବର୍ଷର ହୋଇଥିଲା। ପତ୍ନୀଙ୍କର ଏଭଳି ଅଚାନକ ମୃତ୍ୟୁ ପରେ କମରୁଦ୍ଦିନ ଭାଙ୍ଗି ପଡ଼ିଥିଲେ। ଏକୁଟିଆ ଝିଅର ଳାଳନପାଳନ କିପରି କରିବେ ସେ ନେଇ ଚିନ୍ତାରେ ଥିଲେ। ଏହି ସମୟରେ କମରୁଦ୍ଦିନଙ୍କର ଜଣେ ବନ୍ଧୁ ମେରାମନ ଜୋରା ଦେବଦୂତ ସାଜି ତାଙ୍କ ଜୀବନରେ ଆସିଲେ। ମେରାମନ ମଧ୍ୟ ଜଣେ ଟ୍ରକ୍‍ ଚାଳକ ଅଟନ୍ତି। କମରୁଦ୍ଦିନଙ୍କ ପତ୍ନୀଙ୍କ ମୃତ୍ୟୁ ପରେ ମେରାମନଙ୍କ ପରିବାର ସବ୍‍ନମ୍‍ଙ୍କର ଲାଳନପାଳନ କରିଥିଲେ। ସବ୍‍ନମ୍‍ ମେରାମନଙ୍କ ଘରେ ଅର୍ଥାତ୍‍ ଏକ ହିନ୍ଦୁ ପରିବାରର ତତ୍ତ୍ୱାବଧାନରେ ବଡ଼ ହୋଇଥିଲେ। ହେଲେ ସବ୍‍ନମ୍‍ଙ୍କୁ ହିନ୍ଦୁ ଧର୍ମ ଆପଣେଇବାକୁ କୌଣସି ବାଧ୍ୟବାଧକତା କରାଯାଇ ନଥିଲା। ତାଙ୍କୁ ନିଜ ଇଚ୍ଛା ଅନୁସାରେ ବଞ୍ଚିବାର ସମ୍ପୂର୍ଣ୍ଣ ସ୍ୱାଧୀନତା ଦିଆ ଯାଇଥିଲା। ସବ୍‍ନମ୍‍ଙ୍କୁ ୧୪ ବର୍ଷ ବୟସ ହୋଇଥିବା ସମୟରେ ତାଙ୍କ ବାପା କମରୁଦ୍ଦିନ ସହର ଛାଡ଼ି ପଳାଇଥିଲେ ଓ ଆଉ ଫେରି ନଥିଲେ। ବର୍ତ୍ତମାନ ବାପାଙ୍କ ଯିବାର ୬ ବର୍ଷ ପରେ ମେରାମନଙ୍କ ପରିବାର ଯଥା ରୀତି ଅନୁସାରେ ସବ୍‍ନମ୍‍ଙ୍କର ବିବାହ କରାଇଛନ୍ତି। ଆଶ୍ଚର୍ଯ୍ୟର ବିଷୟ ସବ୍‍ନମ୍‍ଙ୍କ ବିବାହ ଉଭୟ ହିନ୍ଦୁ ଓ ମୁସ୍‍ଲିମ୍‍ ଦୁଇ ଧର୍ମର ପ୍ରଥା ଅନୁସାରେ କରାଯାଇଥିଲା। ଏକ ସାକ୍ଷାତକାରରେ ଜୋରା କହିଥିଲେ, ଆମେ ସବ୍‍ନମ୍‍କୁ ତା’ର ଧର୍ମ ଓ ଭାଷା ଚୟନ ପାଇଁ ସମ୍ପୂର୍ଣ୍ଣ ସ୍ୱାଧୀନତା ଦେଇଛୁ। ସେ କୋରାନ୍‍ ଓ ନମାଜ୍‍ ପଢିବା ସହିତ ହିନ୍ଦୁ ଧର୍ମର ସମସ୍ତ ପର୍ବପର୍ବାଣୀକୁ ଅତି ଉତ୍ସାହର ସହିତ ପାଳନ କରିଥାଏ।

Leave A Reply