ମମତା ଓ ଟିଏମସି ପ୍ରାର୍ଥୀଙ୍କୁ ସମାଲୋଚନା କରିବାରୁ ମୁସଲମାନ ଧର୍ମଯାଜକଙ୍କୁ ଆକ୍ରମଣ

କୋଲକାତା: ପଶ୍ଚିମବଙ୍ଗର ବାସିରହାଟରେ ମୁସଲମାନ ଧର୍ମଯାଜକ ଶରିଫ ପିର୍‌ଜାଦା ମହମ୍ମଦ ଖୋବାୟେବ ଅମିନଙ୍କୁ ଆକ୍ରମଣ କରାଯାଇଛି। ବାସିରହାଟ ଆସନରେ ଟିଏମସିରୁ ପ୍ରାର୍ଥୀ ହୋଇଥିବା ନୁସରତ ଜାହାଁ ହିନ୍ଦୁ ମନ୍ଦିରରେ ଠାକୁରଙ୍କୁ ଦର୍ଶନ କରିବା ସହ ପ୍ରାର୍ଥନା କରିଥିଲେ। ଏଥିପାଇଁ ଟିଏମ୍‌ସି ମୁଖ୍ୟ ମମତା ବାନାର୍ଜୀ ଏବଂ ତାଙ୍କ ପ୍ରାର୍ଥୀ ନୁସରତଙ୍କୁ ସେ ସମାଲୋଚନା କରିବାରୁ ତାଙ୍କୁ ଟିଏମସି କର୍ମୀମାନେ ଆକ୍ରମଣ କରିଥିବା ପିର୍‌ଜାଦା ଅଭିଯୋଗ କରିଛନ୍ତି।

ନୁସରତ ଜାହାଁ ନିକଟରେ ନିର୍ବାଚନୀ ପ୍ରଚାର କରିବା ସମୟରେ ବିଭିନ୍ନ ହିନ୍ଦୁ ମନ୍ଦିରକୁ ଯାଇ ଠାକୁରଙ୍କୁ ଦର୍ଶନ କରିବା ସହ ପ୍ରାର୍ଥନା କରୁଥିବା ଦେଖିବାକୁ ମିଳିଥିଲା। ସେ ଜଣେ ମୁସଲମାନ ହୋଇଥିବାରୁ ମନ୍ଦିରରେ କିପରି ପ୍ରାର୍ଥନା କଲେ ବୋଲି ପିରଜାଦା ପ୍ରଶ୍ନ କରିଥିଲେ। ନିଜକୁ ଧର୍ମନିରପେକ୍ଷ ପ୍ରମାଣିତ କରିବା ଲାଗି ଜଣେ ମୁସଲମାନ ମନ୍ଦିରରେ ପ୍ରାର୍ଥନା କରିବା କ’ଣ ଦରକାର ? ବିଜେପିର ଧମକ ପରେ ମମତା ନୁସରତଙ୍କୁ ମନ୍ଦିରରେ ଏପରି ଅଭିନୟ କରିବାକୁ କହିଥିବା ପରିଜାଦା କହିଥିଲେ। ଏପରି ସମାଲୋଚନା ପରେ ତାଙ୍କୁ ଆକ୍ରମଣ କରାଯାଇଛି।

ପିରଜାଦା କହିଛନ୍ତି, ନୁସରତ ରାଜନୈତିକ ଫାଇଦା ପାଇଁ ହିନ୍ଦୁ ଏବଂ ମୁସଲମାନଙ୍କ ସହିତ ଏଭଳି ଛଳନା କରୁଛନ୍ତି। ହିନ୍ଦୁମାନଙ୍କୁ ବୋକା ବନାଇବା ଲାଗି ତାଙ୍କୁ ମନ୍ଦିରରେ ଏପରି ଅଭିନୟ କରିବାକୁ କୁହାଯାଇଛି। ବାସିରହାଟ ନିର୍ବାଚନମଣ୍ଡଳୀରେ ମୋଟ ଭୋଟରଙ୍କ ମଧ୍ୟରୁ ୫୬ ପ୍ରତିଶତ ମୁସଲମାନ ଭୋଟର। ସେମାନଙ୍କ ସମର୍ଥନ ବଳରେ ଟିଏମସି କ୍ଷମତାକୁ ଆସିଛି। କିନ୍ତୁ ଧର୍ମଯାଜକ ପିରଜାଦା ଏଥର ନିର୍ବାଚନରେ ଟିଏମସି ପ୍ରାର୍ଥୀଙ୍କୁ ଭୋଟ ନ ଦେବାକୁ ପରାମର୍ଶ ଦେବା ସହିତ ମମତା ମୁସଲମାନ ସମୁଦାୟକୁ ଠକିଥିବା କହିଛନ୍ତି।

Comments are closed.