ଚର୍ଚ୍ଚାରେ ବର୍ଷାଙ୍କ ମ୍ୟୁଜିକ୍‌ ଭିଡିଓ; କୋରାପୁଟର ନମିତାଙ୍କ ଗୀତରେ ନାଚିଲେ ଦିବ୍ୟାଙ୍ଗ କିଶୋର-କିଶୋରୀ

ଭୁବନେଶ୍ବର: ଗୋଟିଏ ପଟେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ପାରିବାରିକ ବିବାଦକୁ ନେଇ ବିବ୍ରତ ଥିବାବେଳେ ଅନ୍ୟ ପଟେ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ନେଇ ସେ ବ୍ୟସ୍ତ ରହୁଥିବା ଦେଖିବାକୁ ମିଳିଛି। ତାଙ୍କ ଦ୍ୱାରା ପ୍ରସ୍ତୁତ ମ୍ୟୁଜିକ୍‍ ଭିଡିଓ ‘କିଛି ମାଗୁନାହିଁ ତତେ’ ମୁକ୍ତିଲାଭ କରିଛି। କୋରାପୁଟର ନମିତା ମେଲେକା ଗାଇଥିବା ଏହି ଗୀତରେ ବର୍ଷାଙ୍କ ସହ ଅଭିନୟ କରିଛନ୍ତି ଏସିଡ ପୀଡ଼ିତା ପ୍ରମୋଦିନୀ ଏବଂ ଦୃଷ୍ଟିବାଧିତ ଓ ଦିବ୍ୟାଙ୍ଗ। କିଛି ଦିନ ତଳେ ନମିତାଙ୍କ କଣ୍ଠରେ ରେକର୍ଡ ହୋଇ ଏ ଗୀତଟି ବେଶ୍‍ ଚର୍ଚ୍ଚାକୁ ଆସିଥିଲା। ଏବେ ଏହାର ମ୍ୟୁଜିକ ଭିଡିଓ ମୁକ୍ତିଲାଭ କରିଛି। ଯାହାକୁ ସବୁ ବର୍ଗର ଶ୍ରୋତା ଓ ଦର୍ଶକ ପସନ୍ଦ କରିଛନ୍ତି।

ପ୍ରଥମେ ନମିତାଙ୍କୁ ଗାଇବାର ସୁଯୋଗ ଦେଇଥିଲେ ଅଭିନେତ୍ରୀ ବର୍ଷା। ସାମାଜିକ ଗଣମାଧ୍ୟମରେ ନମିତାଙ୍କ କଣ୍ଠସ୍ୱର ଶୁଣି ବେଶ୍‍ ପ୍ରଭାବିତ ହୋଇଥିଲେ ଏବଂ ତାଙ୍କୁ ଭଜନ ତଥା ଚଳଚ୍ଚିତ୍ରରେ ଗାଇବାର ସୁଯୋଗ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପ୍ରତିଶ୍ରୁତି ରଖିବାକୁ ଯାଇ ପ୍ରାଥମିକ ପର୍ଯ୍ୟାୟରେ ନମିତାଙ୍କ କଣ୍ଠରେ ଏହି ଭଜନଟି ରେକର୍ଡ କରାଯାଇଥିଲା ଏବଂ ଏହା ବେଶ୍‍ ଲୋକପ୍ରିୟତା ହାସଲ କରିଥିଲା। ସ୍ବର ସଂଯୋଜନା କରିଥିଲେ ପ୍ରେମ ଆନନ୍ଦ। ଗୀତ ରଚନା କରିଥିଲେ ବିଜୟ ମଲ୍ଲ। ଏହାର ଷ୍ଟୁଡିଓ ଭର୍ସନକୁ ଯେପରି ଆଶାତୀତ ଭଲପାଇବା ମିଳିଥିଲା ତାକୁ ନଜରରେ ରଖି ଓଡିବାବା ମ୍ୟୁଜିକ୍‍ ଷ୍ଟୁଡିଓଜ୍‍ ଏହାର ଏକ ନିଆରା ଭିଡିଓ ପ୍ରସ୍ତୁତ କରିଛି ଯେଉଁଥିରେ ଆକର୍ଷଣ ସାଜିଛନ୍ତି କଟକସ୍ଥିତ ଆଶ୍ରୟ ସ୍କୁଲର ଦୃଷ୍ଟିବାଧିତ ତଥା ଦିବ୍ୟାଙ୍ଗ କିଶୋର କିଶୋରୀ। ସେମାନେ ହେଲେ ସନ୍ଧ୍ୟାରାଣୀ, ଆଶା ବାହାଦୁର, ପୂର୍ଣ୍ଣିମା ରାଉତ, ପ୍ରମୋଦିନୀ ରାଉଳ, ଦୀପା ସହାୟ ଓ ଭାସ୍କର ସହାୟ। ଏହି ଦିବ୍ୟାଙ୍ଗ କିଶୋର କିଶୋରୀଙ୍କ ସହ ନଜର ଆସିଛନ୍ତି ଓଲିଉଡ କୁଇନ୍‍ ବର୍ଷା।

Comments are closed.