ସଙ୍ଗୀତ ନିର୍ଦ୍ଦେଶକ ବାସୁଦେବ ରଥଙ୍କର ୬୮ ବର୍ଷ ବୟସରେ ପରଲୋକ

କଟକ: ପ୍ରସିଦ୍ଧ ଗାୟକ ତଥା ସଙ୍ଗୀତ ନିର୍ଦ୍ଦେଶକ ବାସୁଦେବ ରଥଙ୍କର ୬୮ ବର୍ଷ ବୟସରେ ପରଲୋକ ଘଟିଛି। କଟକ ବଡ଼ ମେଡିକାଲରେ ରବିବାର ରାତି ୯ଟା ୧୫ମିନିଟରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି। ସୂଚନା ଅନୁଯାୟୀ, ବାସୁଦେବ ରଥ ପ୍ରାୟ ୧୮ ଦିନ ଧରି ଅସୁସ୍ଥ ଥିଲେ ଏବଂ ସେ କଟକ ଏସସିବିରେ ଆଇସିୟୁରେ ଚିକିତ୍ସାଧୀନ ଥିଲେ। ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଥିଲେ ହେଁ ହଠାତ ଅବସ୍ଥା ଗୁରୁତର ହୋଇପଡ଼ିଥିବା ପରିବାର ସଦସ୍ୟ କହିଛନ୍ତି। ମାର୍ଚ୍ଚ ୮ରେ ଗାଧୋଉଥିବା ସମୟରେ ପଡ଼ିଯାଇ ତାଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା।

ସ୍ୱର୍ଗତ ରଥ ଅନେକ ଲୋକପ୍ରିୟ ଓଡ଼ିଆ ସିନେମାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ସଉତୁଣୀ, ଚିହ୍ନା ଅଚିହ୍ନା, ସାକ୍ଷୀ ଗୋପୀନାଥ ଭଳି ସିନେମାର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ଚିହ୍ନା ଅଚିହ୍ନା ଚଳଚିତ୍ରର ‘ଝୁମକା ଟିକେ ତୁ ତ ହଲେଇ ଦେ’ ଗୀତ ତାଙ୍କୁ ଲୋକପ୍ରିୟତାର ଶୀର୍ଷରେ ପହଞ୍ଚାଇ ଥିଲା। ତାଙ୍କର ଏକ ମାତ୍ର କନ୍ୟା ବିଦିଶା ମୃତ୍ୟୁ ଶଯ୍ୟା ନିକଟରେ ଉପସ୍ଥିତ ଥିଲେ।

Comments are closed.