ଛତୁଚାଷ ତାଲିମ ଶିବିର

ଚୌଦ୍ୱାର: ଗ୍ରାମାଞ୍ଚଳର ମହିଳା ମାନଙ୍କୁ ସ୍ୱାବଲମ୍ବି କରିବା ଲକ୍ଷରେ ଇମ୍ଫା ଶିଳ୍ପଗୋଷ୍ଠିର ସାମାଜିକ ଦାୟିତ୍ୱବୋଧ ଶାଖା ବଂଶୀଧର ଇଲାପଣ୍ଡା ଫାଉଣ୍ଡେସନ୍ ତରଫରୁ ନାବାର୍ଡ଼ ସହାୟତାରେ ବାଣୀପଦା ପଞ୍ଚାୟତରେ ଏକ ଛତୁଚାଷ ତାଲିମ୍ ଶିବିର ଆୟୋଜିତ ହୋଇ ଯାଇଛି । ପଞ୍ଚାୟତର ଚାଙ୍ଗୁଡ଼ିଆ ଓ ବନ୍ଦାଳୋ ଗ୍ରାମର ମହଳା ସ୍ୱୟଂ ସହାୟିକା ଗୋଷ୍ଠିର ସଦସ୍ୟା ମାନଙ୍କୁ ବ୍ୟବସାୟ ଭିତ୍ତିକ ଛତୁଚାଷ ସମ୍ପର୍କିତ ଏହି ତାଲିମ୍ ଶିବିରକୁ ନାବାର୍ଡ଼ କଟକ ଜିଲା ଉପ ପରିଚାଳକ ଏସ୍.ଏସ୍. ପଣ୍ଡା ଉଦଘାଟନ କରିଥିଲେ। ଇମ୍ଫାର ମାନବ ସମ୍ବଳ ଓ ପ୍ରଶାସନିକ ଅଧିକାରୀ ଜି.ଶାରଦା ପ୍ରସାଦ ରାଓ, ସିନିୟର ମ୍ୟାନେଜର ମାନସ ରଞ୍ଜନ ପରିଡ଼ା, ଫାଉଣ୍ଡେସନର ଡିଜିଏମ୍, ନିର୍ଲ୍ଲେନ୍ଦୁ ଚାଟାର୍ଜୀ ପ୍ରମୁଖ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ ଗ୍ରମାଞ୍ଚଳର ମହିଳା ମାନେ ସଂଗଠିତ ଭାବେ ବ୍ୟବସାୟ ଭିତ୍ତିକ କୃଷି କରିବା ପାଇଁ ଆଗ୍ରହୀ ହେଲେ ନିଜେ ସ୍ୱାବଲମ୍ବି ହେବା ସହିତ ନିଜ ନିଜର ପରିବାରର ଆଥିକ ସ୍ଥିତି ସୁଧାରି ପାରିବେ ବୋଲି ପରାମର୍ଶ ଦେଇଥିଲେ । ଫାଉଣ୍ଡେସନ୍ ସହାୟତାରେ ସ୍ୱୟଂ ସହାୟିକା ଗୋଷ୍ଠି ଗୁଡ଼ିକ କରିଥିବା ଛତୁଚାଷ କେନ୍ଦ୍ରକୁ ଅତିଥି ମାନେ ବୁଲି ଦେଖିବା ସହିତ ମହିଳା ମାନଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ । ଫାଉଣ୍ଡେସନ୍ ସହାୟତାରେ ଅଞ୍ଚଳରେ ୩୦ଟି ସ୍ୱୟଂ ସହାୟିକା ଗୋଷ୍ଠି ବିଗତ ୨ବର୍ଷ ଧରି ଚଳାଇଥିବା ଫିନାଇଲ, ଧୂପକାଠି, ଗୋପାଳନ, ବିଭିନ୍ନ କୃଷି ଉଦ୍ୟୋଗ ଗୁଡ଼ିକ ସୁଚାରୂ ରୂପେ କାର୍ଯ୍ୟକାରୀ ହେଉଥିବାରୁ ଫାଉଣ୍ଡେସନ୍ ତରଫରୁ ମହିଳା ମାନଙ୍କୁ ଧନ୍ୟବାଦ ପ୍ରଦାନ କରି ଏଭଳି କାର୍ଯ୍ୟକୁ ଆଗାମୀ ଦିନରେ ଅଧିକ ପ୍ରୋତ୍ସ।।ହନ ଯୋଗାଇଦିଆ ଯିବା ଶ୍ରୀ ରାଓ ପ୍ରତିଶ୍ରୁତି ଦେଇଥିଲେ। ଏହି ଅବସରରେ ସଫଳତାର ସହ ତାଲିମ୍ ଗ୍ରହଣକରିଥିବା ୬୦ଜଣ ଶିବିରାର୍ଥୀଙ୍କୁ ଅତିଥି ମାନେ ତାଲିମ୍ ପ୍ରମାଣପତ୍ର ପ୍ରଦାନ କରିଥିଲେ । ତୀର୍ଥାନନ୍ଦ ସୁବୁଦ୍ଧିରାୟ ଓ ଲକ୍ଷ୍ମଣ ରାଉତଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କର୍ମଶାଳାରେ କଟକ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଡ. ସୁଜାତା ସେଠୀ, ଇଂ. ସତ୍ୟବ୍ରତ ବାଇ, ମାନସ ଦାସ, ଇଣ୍ଡିଆନ୍ ବ୍ୟାଙ୍କ ଚୌଦ୍ୱାର ଶାଖା ପରିଚାଳିକା ମୃଣାଳିନୀ ନାଥ, ଆଗ୍ରାହାଟ ୟୁକୋ ବ୍ୟାଙ୍କର ଶାଖା ପରିଚାଳକ ଧର୍ଯ୍ୟଧର ସାହୁ ପ୍ରମୁଖ ବ୍ୟବସାୟ ଭିତ୍ତିକ ବିଭିନ୍ନ କୃଷି ଓ କୁଟିର ଶିଳ୍ପ ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ। ଇମ୍ଫାର ବରିଷ୍ଠ ଲୋକ ସମ୍ପର୍କ ଅଧିକାରୀ ଧୃବ ଚରଣ ରାଉତ, ଫାଉଣ୍ଡେସନର ବରିଷ୍ଠ କାର୍ଯ୍ୟାଧିକାରୀ ଆଶୀଷ ଦାସ, ଶୁଭଶ୍ରୀ ନାଏକ, ଜ୍ଞାନ ରଞ୍ଜନ ବେହେରା, ଚନ୍ଦ୍ର ଶେଖର ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Comments are closed.