ସ୍ବତନ୍ତ୍ର ଅଦାଲତର ଐତିହାସିକ ଦଣ୍ଡ ; ମୁଶରଫଙ୍କୁ ୫ଥର ଫାଶୀ ଦିଆଯିବ

ଇସଲାମାବାଦ : ଇସ୍‌ଲାମାବାଦ ସ୍ବତନ୍ତ୍ର ଅଦାଲତର ଚୂଡ଼ାନ୍ତ ନିର୍ଦେଶାନାମା ଗୁରୁବାର ପ୍ରକାଶ ପାଇଛି। ଏଥିରେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ତଥା ସେନାଧ୍ୟକ୍ଷ ପରଭେଜ ମୁଶାରଫ(୭୬)ଙ୍କୁ ୫ଟି ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇ ୫ ଥର ଫାଶୀ ଦିଆଯିବା ପାଇଁ ନିର୍ଦେଶ ଦିଆଯାଇଛି। ଫାଶୀ ପାଇବା ପୂର୍ବରୁ ଯଦି ଅସୁସ୍ଥତା ଅଥବା ତାଙ୍କର ସ୍ବାଭାବିକ ମୃତ୍ୟୁ ଘଟେ ତେବେ ତାଙ୍କ ଶବକୁ ସର୍ବସାଧାରଣ ସ୍ଥାନରେ ବେକରେ ରଶି ଲଗାଇ ଓହଳା ଯିବାକୁ ଅଦାଲତ ନିର୍ଦେଶ ଦେଇଛନ୍ତି। ଗତ ୧୭ ତାରିଖ (ମଙ୍ଗଳବାର)ରେ ମୁଶରଫଙ୍କ ବିରୋଧରେ ଥିବା ଦେଶଦ୍ରୋହ ମାମଲାର ବିଚାର କରି ସ୍ବତନ୍ତ୍ର ଅଦାଲତର ତିନି ଜଣିଆ ପୀଠ ୨-୧ ମତରେ ତାଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ।

ତିନିଦିନ ତଳେ ସ୍ବତନ୍ତ୍ର ଅଦାଲତ ମୁଶରଫଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇ ଥିଲେ ହେଁ ୧୬୯ ପୃଷ୍ଠା ସମ୍ବଳିତ ରାୟର ବିସ୍ତୃତ ରିପୋର୍ଟ ଆଜି ହସ୍ତଗତ ହୋଇଛି। ମୁଶରଫଙ୍କୁ ସମୁଦାୟ ୫ଟି ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି ଓ ସମସ୍ତ ମାମଲାରେ ଫାଶୀ ଦଣ୍ଡାଦେଶ ହୋଇଛି। ମୁଶରଫ ଦେଶ​ରେ ଜରୁରୀ ପରିସ୍ଥିତି ଜାରି କରିବା ପରେ ଯେଉଁମାନେ ତାଙ୍କ ନିର୍ଦେଶ ମାନିଛନ୍ତି ଅଥବା ତାଙ୍କୁ ସମର୍ଥନ କରିଛନ୍ତି ସେମାନଙ୍କ ବିରୋଧରେ ମାମଲା ଚାଲିବ ବୋଲି ସ୍ବତନ୍ତ୍ର ଅଦାଲତ ରାୟରେ ଉଲ୍ଲେଖ କରିଛନ୍ତି। ଅଦଲାତର ନିଷ୍ପତ୍ତି ଲାଗୁ କରିବା ପୂର୍ବରୁ କୌଣସି କାରଣରୁ ଯଦି ମୁଶରଫଙ୍କ ମୃତ୍ୟୁ ଘଟେ ତାଙ୍କ ଶବକୁ ପାକିସ୍ତାନ ଅଣାଯାଇ ଇସଲାମାବାଦସ୍ଥିତ ଡିଚୌକ ସ୍ଥାନରେ ୩ଦିନ ପାଇଁ ଓହଳା ଯିବ ବୋଲି ଅଦାଲତ ଆଦେଶ ଦେଇଛନ୍ତି। ମୁଶରଫକୁ ଅଦାଲତ ପାକିସ୍ତାନର ପ୍ରଥମ ଦେଶଦ୍ରୋହୀ ସେନାଧ୍ୟକ୍ଷ ଭାବେ ଅଭିହିତ କରିଛନ୍ତି। ସ୍ବତନ୍ତ୍ର ଅଦାଲତରେ ଏହି ମାମଲା ପ୍ରାୟ ୬ ବର୍ଷ ଚାଲିଥିଲା। ୧୨୫ ଥର ଶୁଣାଣି ମଧ୍ୟରୁ ମୁଶରଫ ମାତ୍ର ଥରୁଟେ କୋର୍ଟରେ ହାଜର ହୋଇଥିଲେ।

୧୯୯୯ରେ କାର୍ଗିଲ ଯୁଦ୍ଧ ହାରିବା ପରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ଗାଦିଚ୍ୟୁତ କରି ସେନାଧ୍ୟକ୍ଷ ମୁଶରଫ ବିନା ରକ୍ତପାତ ମାଧ୍ୟମରେ କ୍ଷମତା ଦଖଲ କରିଥିଲେ। ୨ ନଭେମ୍ବର ୨୦୦୭ରେ ସାମ୍ବିଧାନିକ ବିଧି ବ୍ୟବସ୍ଥାକୁ ଉଲ୍ଲଙ୍ଘନ କରି ମୁଶରଫ ଦେଶରେ ଜରୁରୀ ପରିସ୍ଥିତି ଜାରି କରିଥିଲେ। ପରେ ସମସ୍ତ ସାମ୍ବିଧାନିକ ଅନୁଷ୍ଠାନକୁ ନିଜ ଅକ୍ତିଆରକୁ ନେଇ ଏକଛତ୍ରବାଦ ଶାସକ ପାଲଟିଥିଲେ ମୁଶରଫ। ଡିସେମ୍ବର ୨୦୧୩ରେ ପାକିସ୍ତାନ ମୁସ୍‌ଲିମ ଲିଗ୍‌ର ଅଧ୍ୟକ୍ଷ ତଥା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ଦାଏର କରିଥିଲେ। ସମ୍ବିଧାନର ଧାରା-୬ ତଥା ଦେଶଦ୍ରୋହ ଆଇନ-୧୯୭୩ ଅନୁଯାୟୀ ତାଙ୍କୁ ସ୍ବତନ୍ତ୍ର ଅଦାଲତ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ। ଏବେ ମୁଶରଫ ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ର ଦୁବାଇସ୍ଥିତ ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସେ ନିଜକୁ ନିର୍ଦୋଷ କହିବା ସହ ବିରୋଧୀଙ୍କ ଷଡ଼ଯନ୍ତ୍ରର ଶିକାର ହୋଇଥିବା ମତ ଦେଇଛନ୍ତି। ଯଦି ଶୀର୍ଷ ଅଦାଲତ ସ୍ବତନ୍ତ୍ର ଅଦାଲତର ରାୟକୁ ବଳବତ୍ତର ରଖନ୍ତି ତେବେ ପାକିସ୍ତାନ ସମ୍ବିଧାନର ଧାରା-୪୫ ଅନୁଯାୟୀ ଦେଶର ରାଷ୍ଟ୍ରପତି ତାଙ୍କୁ କ୍ଷମା ପ୍ରଦାନ କରି ପାରିବେ।

ସ୍ବତନ୍ତ୍ର ଅଦାଲତର ଏହି ରାୟ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରାଯିବ ବୋଲି ମୁଶରଫଙ୍କ ଓକିଲ କହିଛନ୍ତି। ଏହା ବ୍ୟତୀତ ଏହି ରାୟର ସମୀକ୍ଷା କରାଯିବ ବୋଲି ପାକିସ୍ତାନ ସରକାର ମଧ୍ୟ ଘୋଷଣା କରିଛନ୍ତି। ରାୟ ପ୍ରକାଶ ପାଇବା ପରେ ସବୁଠାରୁ ନିରାଶ କୋଇଛି ପାକିସ୍ତାନୀ ସେନା। ଜଣେ ସେନାଧ୍ୟକ୍ଷଙ୍କୁ ଦେଶଦ୍ରୋହୀ ଭାବେ ଅଭିହିତ କରାଯାଇ ଫାଶୀ ଦଣ୍ଡାଦେଶ ହେବା ସମଗ୍ର ପାକିସ୍ତାନ ସେନାକୁ ଲଜ୍ଜିତ କରିଛି ବୋଲି ସେନା ପ୍ରବକ୍ତା ଆଶିଫ ଗଫୁର କହିଛନ୍ତି। ଏହାଦ୍ବାରା ସେନାର ମନୋବଳ ହ୍ରାସ ପାଇବ। ମୁଶରଫଙ୍କ ପରି ରାଷ୍ଟ୍ରଭକ୍ତ ପାକିସ୍ତାନରେ ଜନ୍ମ ହୋଇ ନାହାନ୍ତି। ସେନାର ଧୈର୍ଯ୍ୟକୁ ଦୁର୍ବଳତା ଭାବିବା ଭୁଲ୍‌। ପୂର୍ବତନ ସେନାଧ୍ୟକ୍ଷ ମୁଶରଫଙ୍କୁ ନିର୍ଦୋଷ ସାବ୍ୟସ୍ତ କରିବା ପାଇଁ ଆମେ ସବୁମତେ ଉଦ୍ୟମ କରିବୁ ବୋଲି ଗଫୁର କହିଛନ୍ତି।

Comments are closed.