ହିନ୍ଦୁଙ୍କ କାବଡ ଯାତ୍ରାରେ ମୁସଲମାନ କାବଡିଆ

0

ଗୋରଖପୁର : ସମ୍ପ୍ରତି ଗୋସୁରକ୍ଷାକୁ କେନ୍ଦ୍ର କରି ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟ ମୁହାଁମୁହିଁ ହୋଇଥିବା ବେଳେ ଉତ୍ତରପ୍ରଦେଶ କିଛି ହିନ୍ଦୁ ଓ ମୁସଲମାନ ଲୋକ ସର୍ବଧର୍ମ ସମନ୍ୱୟ ତଥା ଏକତାର ଭିନ୍ନ ଏକ ନିଦର୍ଶନ ଉପସ୍ଥାପନ କରିଛନ୍ତି। ଉତ୍ତରପ୍ରଦେଶର ଦେଓାରିଆ ଜିଲା ଅନ୍ତର୍ଗତ କୁଶାହାରି ଗ୍ରାମର ପ୍ରାୟ ୭୦ ଜଣ ଲୋକ ଝାଡ଼ଖଣ୍ଡର ଦେଓଘର ଅନ୍ତର୍ଗତ ବାବା ଧାମ ସ୍ଥିତ ଶୈବପୀଠରେ ପାଣି ଢାଳିବାକୁ କାବଡ ଯାତ୍ରା ଆରମ୍ଭ କରିଛନ୍ତି। ଏହି ୭୦ ଜଣ କାବଡିଆଙ୍କ ମଧ୍ୟରୁ ୧୫ ଜଣ ମୁସଲମାନ। ବିଶ୍ୱାସ ନ ହେଲେ ମଧ୍ୟ ସତ୍ୟ। ଗ୍ରାମର ମୁଖିଆ ନଜିମ ଅନସାରୀ ହିଁ ଏହି ସ୍ୱତନ୍ତ୍ର ଯାତ୍ରାର ଶୁଭାରମ୍ଭ କରିଛନ୍ତି। ଆଶ୍ଚର୍ଯ୍ୟର ବିଷୟ ହେଲା କାବଡ ଯାତ୍ରାରେ ସାମିଲ ହେବା ନିମନ୍ତେ ଏହି ମୁସଲମାନ ଲୋକମାନେ ନିଜକୁ ସମ୍ପୂର୍ଣ୍ଣ କାବଡ଼ିଆ ବେଶରେ ସଜ୍ଜିତ କରିବାକୁ ତିଳେ ହେଲେ କୁଣ୍ଠା ପ୍ରକାଶ କରିନାହାନ୍ତି। ସ୍ୱଇଚ୍ଛାରେ ଏବଂ ନିଜସ୍ୱ ଖର୍ଚ୍ଚରେ ସେମାନେ ସମ୍ପୂର୍ଣ୍ଣ ଗେରୁଆ ବସ୍ତ୍ର ପରିଧାନ ପୂର୍ବକ ନିଜକୁ କାବଡିଆ ବେଶରେ ସଜାଇ ବାବାଧାମ ଆଡକୁ ଆଗେଇ ଚାଲିଛନ୍ତି। ଏମାନେ ବିହାରର କୁଶହାରୀ ଗାଙ୍ଗାଘାଟରୁ ପାଣି ସଂଗ୍ରହ କରିବେ। ପ୍ରାୟ ୧୦୪ କିଲୋମିଟର ପାଦରେ ଚାଲି ଚାଲି ବାବା ଧାମରେ ପହଞ୍ଚି ବୈଦ୍ୟନାଥ ଜ୍ୟୋତିର୍ଲିଙ୍ଗ ମନ୍ଦିରରେ ଜଳ ଅର୍ପଣ କରିବେ। ଶୁକ୍ରବାର ଏହି କାବଡ ଯାତ୍ରାର ଶୁଭାରମ୍ଭ କରି ସ୍ଥାନୀୟ ସମାଜିକ କର୍ମୀ ସଞ୍ଜୀବ ଶୁକ୍ଳା କହିଛନ୍ତି, ଭାରତୀୟ ସଂସ୍କୃତିର ଏହା ବାସ୍ତବ ଚିତ୍ର। ଏହି ଯାତ୍ରରୁ ଦେଶବାସୀଙ୍କୁ ଶାନ୍ତି ଏବଂ ମୈତ୍ରୀର ବାର୍ତ୍ତା ମିଳିବ।

Leave A Reply