ଭିଜିଲାନ୍ସ ଜାଲରେ ଏବିଇଓ

ବଲାଙ୍ଗୀର: ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ମୁରିବାହାଲ ଏବିଇଓ। ଜଣେ ଶିକ୍ଷକଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକର ଏବିଇଓ ଦେବରାଜ ଦାସଙ୍କୁ ସମ୍ବଲପୁର ଭିଜିଲାନ୍ସ ଗିରଫ କରିଛି।

ସୂଚନା ଅନୁଯାୟୀ, ୨୦୧୯ ମସିହାରେ ମେଡିକାଲ୍‌ ଛୁଟିରେ ଥିବା ଚାଉଲଫୁଫୁଡ଼ା ସ୍କୁଲର ଶିକ୍ଷକ ବଇଦ୍ରୁତ ସାହୁ ସ୍ୱାଧୀନତା ଦିବସରେ ଅନୁପସ୍ଥିତ ଥିବା ଯୋଗୁ ମୁରିବାହାଲର ତତ୍‌କାଳୀନ ବିଇଓ ତାଙ୍କୁ ନିଲମ୍ବନ କରିଥିଲେ। ଏହି ଘଟଣାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା ଏବଂ ତଦନ୍ତ ଅଧିକାରୀ ଥିଲେ ଏବିଇଓ ଦେବରାଜ ଦାସ। ବିଇଓଙ୍କ ନିକଟରେ ଶୀଘ୍ର ରିପୋର୍ଟ ଦାଖଲ କରିବାକୁ ଶିକ୍ଷକ ବଇଦ୍ରୁତ ସାହୁ ଏବିଇଓଙ୍କୁ ଅନୁରୋଧ କରିଥିଲେ। ଏହାପରେ ଏବିଇଓ ତାଙ୍କ ସପକ୍ଷରେ ରିପୋର୍ଟ ଦେବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଶେଷରେ ୫ ହଜାର ଟଙ୍କାରେ ଡିଲ୍‌ ହୋଇଥିଲା। ବଇଦ୍ରୁତ ଏନେଇ ସମ୍ବଲପୁର ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ। ଭିଜିଲାନ୍ସ ତରଫରୁ ଶିକ୍ଷକଙ୍କୁ କେମିକାଲ ଲଗା ଟଙ୍କା ଦିଆଯାଇଥିଲା। ନିଜ ଅଫିସରେ ଶିକ୍ଷକଙ୍କଠାରୁ ଏବିଇଓ ସେହି ଟଙ୍କା ଗ୍ରହଣ କରୁଥିବା ବେଳେ ପୂର୍ବ ଯୋଜନା ମୁତାବକ ଭିଜିଲାନ୍ସ ଚଢାଉ କରି ଏବିଇଓ ଦେବରାଜ ଦାସଙ୍କୁ ଗିରଫ କରିଥିଲା।

Comments are closed.