ମୋ ସ୍ୱାମୀଙ୍କ ହତ୍ୟାକାରୀଙ୍କୁ ଫାଶୀ ଦିଆଯାଉ – କହ୍ନେୟା ଲାଲଙ୍କ ପତ୍ନୀ

ଡେସ୍କ: ନିଲମ୍ବିତ ବିଜେପି ନେତା ନୁପୁର ଶର୍ମାଙ୍କ ସମର୍ଥନରେ ପୋଷ୍ଟ କରିଥିବା ଅଭିଯୋଗରେ ରାଜସ୍ଥାନର ଉଦୟପୁରରେ ଦୁଇ ଜଣ ଦରଜି କହ୍ନେୟା ଲାଲଙ୍କ ମୁଣ୍ଡ କାଟି ହତ୍ୟା କରିବା ଘଟଣାରେ ଜନ ଅସନ୍ତୋଷ ସୃଷ୍ଟି ହୋଇଛି। ସ୍ୱାମୀଙ୍କ ଭୟାନକ ଓ ନିର୍ଦ୍ଦୟ ହତ୍ୟାକାଣ୍ଡ ଉପରେ ପ୍ରତିକ୍ରିୟା ପ୍ରକାଶ କରି ତାଙ୍କ ପତ୍ନୀ ଯଶୋଦା ଦୋଷୀଙ୍କୁ ଫାଶୀ ଦିଆଯାଉ ବୋଲି ଦାବି କରିଛନ୍ତି।

ଯଶୋଦା ଦାବି କରିଛନ୍ତି ଯେ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଥିବା ଲୋକଙ୍କୁ ଫାଶୀ ଦିଆଯାଉ। ସେ କହିଛନ୍ତି ଯେ ଏହି ଭୟଙ୍କର ହତ୍ୟା ଦେଶକୁ ଚକିତ କରି ଦେଇଛି। ଆଜି ବହୁ ସଂଖ୍ୟାରେ ଲୋକଙ୍କ ଉପସ୍ଥିତିରେ ରାଜସ୍ଥାନର ଉଦୟପୁରରେ ଶବଦାହ କରାଯାଇଛି।

ପୁଲିସ ସୁରକ୍ଷା ମଧ୍ୟରେ ତାଙ୍କର ଶେଷ ରୀତିନୀତି କରାଯାଇଥିଲା। ମୃତକଙ୍କ ପତ୍ନୀ କହିଛନ୍ତି, “କହ୍ନେୟା ଲାଲଙ୍କ ଜୀବନ ପ୍ରତି ବିପଦ ଥିଲା ଓ ସେ ହତ୍ୟା ଧମକ ପାଉଥିଲେ। ସେ ମଧ୍ୟ ଏ ନେଇ ପୁଲିସକୁ ଜଣାଇଥିଲେ କିନ୍ତୁ ପୁଲିସ କୌଣସି ସୁରକ୍ଷା ଯୋଗାଇ ଦେଇନଥିବା ସେ କହିଛନ୍ତି। ପ୍ରାୟ ୧୦-୧୫ ଦିନ ଦୋକାନ ବନ୍ଦ ରଖିବା ପରେ କହ୍ନେୟା ଦୋକାନକୁ ଯାଇଥିଲେ ଓ ବିଭତ୍ସ ହତ୍ୟାର ଶିକାର ହୋଇଥିଲେ। ଅନ୍ୟପକ୍ଷରେ ଉଭୟ ହତ୍ୟାକାରୀଙ୍କୁ ଏନକାଉଣ୍ଟର କିମ୍ବା ଫାଶୀ ଦେବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ଏହି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ପରେ ରାଷ୍ଟ୍ରୀୟ ଅନୁସନ୍ଧାନକାରି ସଂସ୍ଥା ଏନଆଇଏର ୪ ଜଣିଆ ଟିମ୍ ଗତକାଲି ରାତିରେ ଉଦୟପୁରରେ ପହଞ୍ଚିବା ପରେ ଏତଲା ଦାୟର କରି କାର୍ଯ୍ୟ ଆରମ୍ଭ କରିଛି। ଏହି ଘଟଣାରେ କୌଣସି ସଂସ୍ଥାର ସମ୍ପୃକ୍ତି ଏବଂ ଆନ୍ତର୍ଜାତୀୟ ଲିଙ୍କଗୁଡ଼ିକର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରାଯିବ।

Comments are closed.