ପତ୍ନୀହନ୍ତାକୁ ଆଜୀବନ କାରାଦଣ୍ଡ

କେନ୍ଦୁଝରଗଡ : ଘରୋଇ ଝଗଡାକୁ କେନ୍ଦ୍ର କରି ଅତି ନିର୍ମମ ଭାବେ ପତ୍ନୀକୁ ହତ୍ୟା କରିଥିବା ସ୍ୱାମୀକୁ କେନ୍ଦୁଝର ଜିଲା ଓ ଦୌରାଜଜ୍ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ତେଲକୋଇ ଥାନା ବଡଖମଣ ଗ୍ରାମର ବାବୁଲି ମଲାର ୪ ଜୁଲାଇ ୨୦୧୭ ସନ୍ଧ୍ୟା ପ୍ରାୟ ୭ଟା ସମୟରେ ସାମାନ୍ୟ ଘରୋଇ ଝଗଡାକୁ କେନ୍ଦ୍ର କରି ପତ୍ନୀ ବର୍ଷା (୨୫)ର ମୁଣ୍ଡକୁ ପଥର ସାହାଯ୍ୟରେ ଛେଚି ହତ୍ୟା କରିଥିବା ନେଇ ହତ୍ୟାର ଶୀକାର ମହିଳାଙ୍କ ଭାଇ ଚିନ୍ତା ମଲାର ନିକଟସ୍ଥ ତେଲକୋଇ ଥାନାରେ ଅଭିଯୋଗ କରିଥିଲା। ପୁଲିସ ପକ୍ଷରୁ ତଦନ୍ତ କରାଯାଇ ଅଭିଯୁକ୍ତ ବାବୁଲିକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ଏହି ମାମଲାରେ ମୋଟ ୧୫ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଜିଲା ଓ ଦୌରାଜଜ୍ ଚିତ୍ତରଞ୍ଜନ ମହାପାତ୍ର ସୋମବାର ଚୂଡାନ୍ତ ଶୁଣାଣୀ କରି ଅଭିଯୁକ୍ତ ବାବୁଲି ମଲାରକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ସହ ୫୦ହଜାର ଟଙ୍କା ଜରିମାନା ଏବଂ ଜରିମାନା ଅନାଦେୟ ଅଧିକ ୧ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଏଥିସହ ଆଦାୟ ଜରିମାନା ରାଶି ମୃତ ବର୍ଷାଙ୍କ ପରିବାର ସଦସ୍ୟଙ୍କୁ ପ୍ରଦାନ ସହ ପୀଡିତାଙ୍କୁ କ୍ଷତିପୂରଣ ପ୍ରଦାନ ନିମନ୍ତେ ଜିଲା ଆଇନ ସେବା ପ୍ରାଧିକରଣକୁ ନିର୍ଦେଶ ହୋଇଥିବା ପୀଡିତାଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ପବ୍ଲିକ୍ ପ୍ରୋସିକ୍ୟୁଟର ପ୍ରଦୀପ କୁମାର ଦାସ କହିଛନ୍ତି ।
Comments are closed.