ସାନ ଭାଇକୁ ହତ୍ୟା କରି ଦୁଇ ବଡ଼ ଭାଇ ପୋଡି ଦେଇଥିବା ଅଭିଯୋଗ

ବୌଦ୍ଧ : ବୌଦ୍ଧଜିଲ୍ଲା ବାଉଁଶୁଣୀ ଥାନା ଗୋଛାପଡା ଗ୍ରାମ ପଞ୍ଚାୟତ ମଲିକ ପଡା ଗ୍ରାମରେ ପାରିବାରିକ କଳହକୁ ନେଇ ଏକ ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି । ଦୁଇ ବଡ଼ ଭାଇ ମିଶି ସାନ ଭାଇକୁ ହତ୍ୟା କରିବା ପରେ ଘର ଆଗରେ ଥିବା ଏକ ବିଲରେ କିରୋସିନ ଢାଳି ପୋଡି ଦେଇଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ  ବାଉଁଶୁଣୀ ଥାନା ଗୋଛାପଡା ଗ୍ରାମ ପଞ୍ଚାୟତ ମଲିକ ପଡା ଗ୍ରାମର ସନ୍ତୋଷ ଜାନୀ (୩୨)ଙ୍କ ସହ ବଡ଼ ଭାଇ ସାର୍ତିକ ଜାନୀ (୪୦ ) ଓ ମଝିଆ ଭାଇ ପ୍ରଶାନ୍ତ ଜାନୀ (୩୬)ଙ୍କ ମଧ୍ୟରେ ରବିବାର ସନ୍ଧ୍ୟାରେ ପାରିବାରିକ କଳହକୁ କେନ୍ଦ୍ର କରି ଗଣ୍ଡଗୋଳ ଓ ବଚସା ହୋଇଥିଲା । ଉଭୟ ବଡ଼ ଭାଇ ଓ ମଝିଆ ଭାଇ ମିଶି ସାନଭାଇ ସନ୍ତୋଷକୁ ହତ୍ୟା କରିଥିଲେ । ତାପରେ ସନ୍ତୋଷର ଶବକୁ ନେଇ ଘର ସାମ୍ନାରେ ଥିବା ଏକ ବିଲରେ କିରୋସିନ ଢାଳି ପୋଡି ଦେଇଥିବା ଅଭିଯୋଗ ହୋଇଛି । ବାଉଁଶୁଣୀ ପୁଲିସ୍ ଘଟଣାସ୍ଥଳରେ ପହଂଚି ଦର ପୋଡା ମୃତଦେହ ଓ ପାଉଁଶ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି । ହତ୍ୟାକାରୀ ବୋଲି ସନ୍ଦେହ କରା ଯାଉଥିବା ବଡ଼ ଭାଇ ଓ ମଝିଆ ଭାଇ ଫେରାର ଥିବା ଜଣାପଡିଛି । ଆଜି ମୃତକଙ୍କ ଶବକୁ ବ୍ୟବଚ୍ଛେଦ କରାଯିବ । ମୃତ ସନ୍ତୋଷ ଆଦିବାସୀ ଯୁବକ ହିସାବରେ ପୁଲିସ୍ ବିଭାଗରେ ପ୍ରଥମେ ଏସ.ପି.ଓ. ଭାବେ ଭର୍ତ୍ତି ହୋଇଥିଲେ ଓ ପରେ କନେଷ୍ଟବଳ ପଦବୀକୁ ପଦୋନ୍ନତି ପାଇ ବୌଦ୍ଧ ରିଜର୍ଭ ପୁଲିସରେ କାର୍ୟ୍ୟରତ ଥିଲେ ।

Comments are closed.