ବୋମା ମାଡ଼ ପରେ ପଥରରେ ଛେଚି ହତ୍ୟା

ବାଙ୍କୀ : ବାଙ୍କୀ ଥାନା ଅନ୍ତର୍ଗତ ଘୋଳପୁର ଗ୍ରାମରେ ଶନିବାର ସକାଳେ ଘଟିଯାଇଛି ଏକ ଲୋମହର୍ଷଣକାରୀ ଘଟଣା। ଖବର ଅନୁଯାୟୀ, ଘୋଳପୁର ଗ୍ରାମର ଗୋବିନ୍ଦ ବେହେରା(୨୮) ନାମକ ଜଣେ ଯୁବକ ବାଇକ୍ ନେଇ ଦୋକାନକୁ ସଉଦା କରିବାକୁ ଯାଉଥିଲାବେଳେ ଘୋଳପୁର ଗ୍ରାମ ଆନନ୍ଦନାଥ ପାଟଣା ଦୋଳମଣ୍ଡପ ନିକଟରେ କିଛି ଦୁର୍ବୃତ୍ତ ଗୋବିନ୍ଦ ବେହେରାଙ୍କ ଉପରକୁ ବୋମା ଫୋପାଡିଥିଲେ। ଯୁବକ ତଳେ ପଡିଯିବା ପରେ ଦୁର୍ବୃତ୍ତମାନେ ପଥରରେ ଛେଚି ଯୁବକକୁ ନିର୍ମମ ଭାବେ ହତ୍ୟା କରି ଛାଡି ପଳାଇଥିଲେ। ସଙ୍ଗେ ସଙ୍ଗେ ସ୍ଥାନୀୟ ଅଞ୍ଚଳର ଦୋକାନ ବଜାର ଭୟରେ ବନ୍ଦ ହୋଇଯାଇଥିଲା। ଖବର ପାଇ ସୁବର୍ଣ୍ଣପୁର ଫାଣ୍ଡି ଅଧିକାରୀ ଏବଂ ପରେ ପରେ ବାଙ୍କୀ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପଚରା ଉଚରା କରିବା ସହ ଘଟଣାର ଅନୁସନ୍ଧାନ ଆରମ୍ଭ କରିଛନ୍ତି। ପୂର୍ବ ଶତୃତାକୁ ନେଇ ଏଭଳି ଘଟଣା ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି। ଏଭଳି ବିଭତ୍ସ ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଘଟଣା ପରେ ଅଞ୍ଚଳ ଜନଶୂନ୍ୟ ହୋଇଯାଇଛି।

Comments are closed.