ପ୍ରେମିକାର ମୁଣ୍ଡଗଣ୍ଡି ଅଲଗା କଲା ପ୍ରେମିକ

0

ଚନ୍ଦକା : ପ୍ରେମ ଓ ପ୍ରତାରଣାକୁ ନେଇ ଅନ୍ତ ଘଟିଥିବା ଏକ ସତ୍ୟ ଘଟଣାର କରୁଣ ପରିଣତି ଦେଖିବାକୁ ମିଳିଛି ଚନ୍ଦକାଥାନା ଅନ୍ତର୍ଗତ ମଳିପଡା ପଞ୍ଚାୟତର କ୍ରିଷ୍ଣାପୁରୀ ଅଞ୍ଚଳରେ । ଏହି ଗାଁ ରାସ୍ତାରେ ଜଣେ ଯୁବତୀର ମୁଣ୍ଡ ବିହୀନ ଶରୀର ଗୋଟିଏ ସ୍ଥାନରେ ପଡିଥିବା ବେଳେ ଅନ୍ୟ ସ୍ଥାନରେ ମୁଣ୍ଡଟି ପଡିଥବା ପୁଲିସ ଠାବ କରିବା ପରେ ଏହା ପ୍ରେମ ଓ ପ୍ରତାରଣାର କାହାଣୀ ବୋଲି ଜଣାପଡ଼ିଛି । ଯାହାକି ମୁଖ୍ୟ ଆଲୋଚନାର ବିଷୟ ହୋଇଛି। ବିଶେଷକରି ପ୍ରେମ ଓ ପ୍ରତାରଣାକୁ ନେଇ ଘଟିଥିବା ହତ୍ୟାକାଣ୍ଡ ସମ୍ପର୍କରେ ଅଭିଯୁକ୍ତ ପୁଲିସ ନିକଟରେ ବର୍ଣ୍ଣନା କରିବା ପରେ ଘଟଣାଟି ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରିଦେଇଛି ।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମୃତ ଯୁବତୀ ସସ୍ମିତା ବିଶ୍ୱାଳ (୨୫) ସତ୍ୟବାଦୀ ଥାନା ବିଞ୍ଝେଇପଡ଼ାର କିଶୋର ବିଶ୍ୱାଳଙ୍କ ଝିଅ। ଦୀର୍ଘ ବର୍ଷେ ହେବ ଡେଲାଙ୍ଗ ଥାନାର କୁଞ୍ଜର ଗ୍ରାମର ଯୁଧିଷ୍ଠିର ସ୍ୱାଇଁଙ୍କ (୨୭) ସହ ତାଙ୍କର ପ୍ରେମ ସଂପର୍କ ଗଢିଉଠିଥିଲା। ଏହି ବିଷୟରେ ସସ୍ମିତାଙ୍କ ପରିବାର ଲୋକଙ୍କ ପାଖରେ କୌଣସି ଖବର ନଥିଲା। ୧୩ତାରିଖରେ କିଶୋରଙ୍କ ପରିବାରରେ ଏକ ଘରୋଇ ପୂଜା ପାଇଁ ସମସ୍ତେ ବ୍ୟସ୍ତଥିବା ବେଳେ ଏହାର ସୁଯୋଗରେ ସସ୍ମିତା ଯୁଧିଷ୍ଠିରଙ୍କ ସହ ପଳାଇ ଯାଇଥିଲେ। ଘର ଲୋକେ ପୂଜା ଭିତରେ ସସ୍ମିତାଙ୍କୁ ନପାଇ ସତ୍ୟବାଦୀ ଥାନାରେ ଝିଅ ନିଖୋଜ ଥିବା ସମ୍ପକର୍ରେ ଅଭିଯୋଗ କରିଥିଲେ। କୌଣସି ସୂତ୍ରରୁ ଯୁଧିଷ୍ଠିରଙ୍କ ସହ ସସ୍ମିତା ପଳାଇ ଯାଇଥିବାର ଖବର ପାଇ ସସ୍ମିତାଙ୍କ ପିତା ପୁଲିସକୁ ସୂଚନା ଦେଇଥିଲେ। ଏହା ଜାଣି ଯୁଧିଷ୍ଠିର ଫେରାର ହୋଇ ଯାଇଥିଲା । ତେବେ ପୁଲିସ ଯୁଧିଷ୍ଠିର ମା’କୁ ଅଟକ ରଖିବାରୁ ୧୯ ତାରିଖରେ ଯୁଧିଷ୍ଠିର ସତ୍ୟବାଦୀ ଥାନାରେ ବାଧ୍ୟହୋଇ ଅାତ୍ମସମର୍ପଣ କରି ସସ୍ମିତାକୁ ହତ୍ୟା କରିଛି ବୋଲି ସ୍ୱୀକାର କରିଥିଲା । ଏହା ପରେ ପୁଲିସ ଚନ୍ଦକା ଥାନା ସହାୟତାରେ ହତ୍ୟାକାଣ୍ଡସ୍ଥଳ ମଳିପଡା ପଞ୍ଚାୟତର କ୍ରିଷ୍ଣାପୁରୀକୁ ଯାଇ ସେଠାରେ ଯାଞ୍ଚ କରିଥିଲା । ଅଭିଯୁକ୍ତ ଯୁଧିଷ୍ଠିର ପୁଲିସ ନିକଟରେ ପ୍ରକାଶ କରିଥିଲା ଯେ ସେ ସସ୍ମିତାକୁ ୧୩ତାରିଖରୁ ନେଇ ଆସିବା ପରେ ବିଭିନ୍ନ ସ୍ଥାନ ବୁଲାବୁଲି କରି ରେଜିଷ୍ଟ୍ରି ବିବାହ କରିଥିଲା। ସେ ଭୁବନେଶ୍ୱର ଆସି ବଜାରରୁ ଏକ ଛୁରି କିଣିଥିଲା କ୍ରିଷ୍ଣାପୁରୀର ଏକ ନିଛାଟିଆ ରାସ୍ତାରେ ସସ୍ମିତାର ତଣ୍ଟିକାଟି ହତ୍ୟା କରିଥିଲା। ଏପରିକି ମୁଣ୍ଡକୁ ଅନ୍ୟ ଜାଗାରେ କାଟି ଫିଙ୍ଗିବା ସହ ତା’ର ମୁଣ୍ଡବିହୀନ ଶରୀରକୁ ଅନ୍ୟତ୍ର ପକାଇ ଦେଇଥିଲା। ଯୁଧିଷ୍ଠିର ଜଣେ ଗାଡି ଚାଳକ ଭାବେ କାମ କରୁଥିଲା। ସେ ମଧ୍ୟ ଏହି ଅଞ୍ଚଳକୁ ଭଡାରେ ଅନେକ ଥର ଆସିଥିବା ଜଣାଯାଇଛି। ହତ୍ୟାକାଣ୍ଡର ପ୍ରକୃତ ରହସ୍ୟ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ। ତେବେ ଦୁଇଟି ସ୍ୱଂୟ ସହାୟକ ଗୋଷ୍ଠୀରୁ ସସ୍ମିତା ୫୦ହଜାର ଟଙ୍କା ଋଣ ନେବା ସହ ତା’ର ପାସବୁକରେ କିଛି ଟଙ୍କା ଥିବା ଘର ଲୋକେ କହିଛନ୍ତି । କେଉଁ କାରଣରୁ ସସ୍ମିତାକୁ ଯୁଧିଷ୍ଠିର ହତ୍ୟା କରିଛି ଓ ଏଥିରେ ଅନ୍ୟ କେହି ସଂପୃକ୍ତ ଅଛି କି ନାହିଁ ତାହା ପୁଲିସ ଖୋଳତାଡ କରୁଛି ବୋଲି ଥାନା ଅଧିକାରୀ କହିଛନ୍ତି ା

Leave A Reply