ଦୋକାନ ସହ ଦୋକାନୀ ଜଳିଯିବା ଘଟଣାର ପର୍ଦ୍ଦାଫାସ,୨ ଗିରଫ

0

ବଲାଙ୍ଗୀର : ବଲାଙ୍ଗୀର ଟାଉନ ଥାନା ପୁଲିସ ଗତ ୨୬ ତାରିଖ ବିଳମ୍ବିତ ରାତିରେ ଦୋକାନ ସହ ଜଣେ ଦୋକାନୀ ପୋଡି ହୋଇ ମୃତ୍ୟୁ ବରଣ କରିଥିବା ଘଟଣାର ବୁଧବାର ପର୍ଦ୍ଦାଫାସ ହୋଇଛି। ନିଶାକାରବାରକୁ ନେଇ ଉକ୍ତ ଦୋକାନୀଙ୍କୁ ହତ୍ୟା କରାଯାଇଥିବା ପୁଲିସ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଦୋକାନୀଙ୍କୁ ଦୋକାନ ମଧ୍ୟରେ ପୋଡି ଦେବା ଘଟଣାରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି। ମୃତ୍ୟୁ ବରଣ କରିଥିବା ଦୋକାନୀ ହେଉଛନ୍ତି ସୂରଜ କ୍ଷେତି (୨୫)। ଅଭିଯୁକ୍ତ ହେଲେ ଅଶୋକ କୁମାର ମେହେର ଓ ଅରୁଣ କୁମାର ନାୟକ।
ସୂଚନାଯୋଗ୍ୟ ଯେ, ନିଶାକାରବାରରେ ସଂପୃକ୍ତ ଥିବା ଅଶୋକ କୁମାର ମେହେରଙ୍କୁ ସୂରଜ ପୂର୍ବରୁ ପୁଲିସ ହାତରେ ଧରାଇ ଦେଇଥିବା ନେଇ ସେମାନେ ସନ୍ଦେହ କରିଥିଲେ। ଅଶୋକ ପ୍ରତିଶୋଧ ପରାୟଣ ହୋଇ ସୂରଜଙ୍କୁ ହତ୍ୟା କରିଥିଲା। ସୂରଜ ରାତିରେ ଦୋକାନରେ ଶୋଇଥିବା ବେଳେ ଅଭିଯୁକ୍ତମାନେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଫଳରେ ଦୋକାନ ପୋଡିଯିବା ସହ ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ସୂରଜର ପରିବାର ଲୋକେ ତାଙ୍କୁ କେହି ହତ୍ୟା କରିଥିବା ନେଇ ପୁଲିସରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ସମୟରେ ପୁଲିସ ଅଭିଯୁକ୍ତ ଅଶୋକ ଉପରେ ସନ୍ଦେହ କରି ଘଟଣାସ୍ଥଳକୁ ଯାଇ କିଛି ପ୍ରମାଣ ପାଇଥିଲା। ତାପରେ ପୁଲିସ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିଛି।

Leave A Reply