ଅାତ୍ମହତ୍ୟା ନୁହେଁ ବରଂ ବାପା କରିଥିଲା ହତ୍ୟା

0

ମୋହନା: ଗଜପତି ଜିଲ୍ଲା ରା.ଉଦୟଗିରି ଥାନା ଅନ୍ତର୍ଗତ ଛେଳିଗଡ ଗ୍ରାମରେ କୂଅରୁ ସନ୍ଦେହ ଜନକଭାବେ ଦୁଇ ଭଉଣୀଙ୍କ ମୃତଦେହ ଉଦ୍ଧାର ହୋଇଥିବା ଘଟଣାର ନୂଆ ମୋଡ ନେଇଛି । ସେମାନେ ଆତ୍ମହତ୍ୟା କରିନାହାନ୍ତି ବରଂ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଜଣାପଡିଛି । ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ମୃତକଙ୍କ ବାପା ବୋଲି ପୁଲିସ କହିଛି । ଦୁଇ ଝିଅକୁ ବିଷ ଦେଇ ହତ୍ୟା କରିବା ପରେ ବାରିପଟେ ଥିବା ଏକ କୂଅକୁ ଫିଙ୍ଗି ଦେଇଥଲେ ବୋଲି ଅଭିଯୁକ୍ତ ବାପା ପ୍ରମୋଦ ଆଚାରୀ ସ୍ବୀକାର କରିଛି ।

ସୂଚନାଯୋଗ୍ୟ, ପ୍ରମୋଦ ଆଚାରୀଙ୍କ ଦୁଇ ଝିଅ ସପ୍ନା ଆଚାରୀ ଓ କିରଣ ଆଚାରୀଙ୍କ ମୃତଦେହ ତାଙ୍କ ବାରିପଟେ ଥିବା ଏକ କୂଅରୁ ଗତ ୨୯ ତାରିଖ ସକାଳେ ସନ୍ଦେହ ଜନକଭାବେ ଉଦ୍ଧାର କରାଯାଇଥିଲା । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ବିବାହ ଭାଙ୍ଗିଯିବାରୁ ଦୁଇ ଝିଅ ବିଷ ପିଇ ଆତ୍ମହତ୍ୟା କରିଥିଲେ ବୋଲି ମୃତକଙ୍କ ବାପା ପୁଲିସକୁ ଜଣାଇଥିଲେ । ହେଲେ ପୁଲିସ ଏହି ଘଟଣାକୁ ସହଜରେ ଗ୍ରହଣ କରିପାରି ନଥିଲା। ପ୍ରମୋଦଙ୍କୁ ଅଧିକ ପଚରାଉଚରା କରିବା ପରେ ପ୍ରକୃତ ଘଟଣା ସମ୍ନାକୁ ଆସିଥିଲା।

ପୁରା ଘଟଣାଟି ଏହିପରି, ପ୍ରମୋଦ ଏକ ଷ୍ଟେସନାରୀ ଦୋକାନ କରି ଗୁଜୁରାଣ ମେଣ୍ଟାଉଥିବା ବେଳେ ତାଙ୍କର ୫ଟି ଝିଅ ରହିଛନ୍ତି । ପ୍ରଥମ ତଥା ବଡ ଝିଅ ବି.ସନ୍ତୋଷୀ ଆଚାରୀ ସ୍ବାମୀଙ୍କ ନିର୍ଯାତନା ସହି ନପାରି ଆତ୍ମହତ୍ୟା କରିଛନ୍ତି ଏବଂ ଦ୍ବିତୀୟ ଝିଅ ମୀନା ଗୋଳନ୍ଥାରେ ବିବାହ କରିଛନ୍ତି । ତୃତୀୟ ଝିଅର ବିବାହ ହୋଇ ନଥିବା ବେଳେ ଚତୁର୍ଥ ଝିଅ ପ୍ରିୟା ଅନ୍ୟ ଜାତିର ପୁଅ ଗଣେଶ ସାହୁ ନାମକଙ୍କୁ ବିବାହ କରିଛନ୍ତି ।

ଇତି ମଧ୍ୟରେ ପ୍ରମୋଦ ତୃତୀୟ ଝିଅ ବି. ସ୍ୱପ୍ନାଙ୍କ ବିବାହ ଭୁବନେଶ୍ୱରର ଜଣେ ରେଳବାଇ କର୍ମଚାରୀଙ୍କ ସହିତ ଠିକ୍‌ କରିଥିଲେ । ହେଲେ ଭଉଣୀ ଜ୍ବାଇଁ ଗଣେଶ ସାହୁ ଏହି ବିବାହକୁ ବିରୋଧ କରି ସ୍ବପ୍ନାଙ୍କ ଭାବି ସ୍ବାମୀଙ୍କୁ ଫୋନ କରି ତାଙ୍କର ଅନେକ ପୁରୁଷଙ୍କ ସହ ସମ୍ପର୍କ ଥିବା ନେଇ କହିଥିଲେ ଏବଂ କିଛି ଅଶ୍ଳୀଳ ଫୋଟ ମଧ୍ୟ ପଠାଇଥିଲେ । ପରେ ସ୍ବପ୍ନାଙ୍କ ବିବାହ ସେଠାରୁ ଭାଙ୍ଗି ଯାଇଥିଲା ।

ବିବାହ ପ୍ରସ୍ତାବ ଭାଙ୍ଗି ଯିବା ପରେ ଉଭୟ ବାପା ଓ ମା’ ମାନସିକ ଭାରସ୍ୟମ ହରାଇ ବସିଥିଲେ । ଅନ୍ୟ ଯୁବକଙ୍କ ସହ ଝିଅର ସର୍ମ୍ପକଙ୍କୁ ନେଇ ବାପା ପ୍ରମୋଦ ସ୍ବପ୍ନାଙ୍କୁ ସନ୍ଦେହ କରିଥିଲେ । ଉଭୟ ବାପା ଓ ମା’ ଲୋକଲଜ୍ଜ୍ୟାକୁ ଡରି ଦୁଇ ଝିଅଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ । ଗତ ୨୮ ତାରିଖ ରାତିରେ ସେ ଦୁଇ ଝିଅକୁ ଦୁଇ ଗ୍ଲାସ ବିଷ ପିଇବାକୁ ଦେଇ କହିଥିଲେ ଯେ, ତୁମେ ଦୁଇ ଜଣ ଏହାକୁ ପିଇବ ନା ଆମେ ପିଇବୁ । ବାପା ମା’ କାହିଁକି ମରିବେ ଭାବି ଦୁଇ ଝିଅ ବିଷ ପିଇ ଦେଇଥିଲେ । ସେମାନେ ବିଷ ପିଇବା ପରେ ବାପା ଅତି ନିର୍ଦ୍ଦୟଭାବରେ ଦୁଇ ଝିଅଙ୍କୁ କୂଅରେ ପୋଫାଡ଼ି ଦେଇଥିଲା ବୋଲି ଅଭିଯୁକ୍ତ ପ୍ରମୋଦ ପୁଲିସ ଆଗରେ ସ୍ବୀକାର କରିଛି । ହେଲେ ପୁଲିସ ପ୍ରମୋଦଙ୍କ ଏହି ସ୍ବୀକାରୋକ୍ତିକୁ ସହଜରେ ଗ୍ରହଣ କରିପାରି ନାହିଁ । ଏହି ହତ୍ୟା ପଛରେ ଅନ୍ୟ କେହି ସଂପୃକ୍ତ ଥିବା ନେଇ ପୁଲିସ ସନ୍ଦେହ କରି ଅଧିକ ତଦନ୍ତ ଜାରି ରଖିଛି ।

ଅନ୍ୟପକ୍ଷରେ ଏହି ଘଟଣାରେ ଭଉଣୀ ଜ୍ବାଇଁ ଗଣେଶଙ୍କୁ ମଧ୍ୟ କିଛି ପରିମାଣରେ ପୁଲିସ ଦାୟୀ କରିଛି । ବାପା ମା’ ଓ ଜ୍ୱାଇଁଙ୍କୁ ଗତକାଲିଠାରୁ ଅଟକ ରଖି ପୁଲିସ ଅଧିକ ପଚରାଉଚରା କରୁଥିବା ଜଣାପଡିଛି ।

Leave A Reply