ପତ୍ନୀଙ୍କୁ ଅସଦାଚରଣ ଉଦ୍ୟମକୁ ବିରୋଧ କରିବାରୁ ସ୍ବାମୀକୁ ହତ୍ୟା

0

ସୁନ୍ଦରଗଡ଼: ସୋମବାର ସକାଳେ ସୁନ୍ଦରଗଡ଼ ଜିଲା କିଞ୍ଜିରିକେଲା ଥାନା ଅନ୍ତର୍ଗତ କୁଲବା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ପତ୍ନୀଙ୍କୁ ସମ୍ପର୍କୀୟ ଭାଇଙ୍କ ଅସଦାଚରଣ ଉଦ୍ୟମକୁ ବିରୋଧ କରିବାରୁ ଠେଙ୍ଗା ପ୍ରହାରରେ ସ୍ବାମୀଙ୍କର ମୃତ୍ୟୁ ହୋଇଛି। ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।
ସୂଚନାଯୋଗ୍ୟ ଯେ, ସ୍ବାମୀ ସହଦେବ ମହାନନ୍ଦିଆ (୬୨) ଙ୍କ ପତ୍ନୀଙ୍କୁ ନିଜ ସମ୍ପର୍କୀୟ ଭାଇ ତ୍ରିବାସୀ ଅସଦାଚରଣ କରିଥିଲେ। ଏହି ବିଷୟରେ ପତ୍ନୀ ଆସି ସହଦେବଙ୍କୁ ଜଣାଇଥିଲେ। ସହଦେବ ତାଙ୍କ ଭାଇ ତ୍ରିବାସୀକୁ ଏହି ଘଟଣା ସମ୍ପର୍କରେ ପଚାରିବାରୁ ସେ ଉଭୟ ସହଦେବ ଓ ତାଙ୍କ ପତ୍ନୀଙ୍କୁ ଠେଙ୍ଗାରେ ପିଟିଥିଲେ। ଠେଙ୍ଗାମାଡରେ ସହଦେବ ତଳେ ପଡିଯାଇଥିଲେ। ଖବର ପାଇ ଗ୍ରାମବାସୀମାନେ ଘଟଣାସ୍ଥଳରେ ପହଞ୍ଚି ସହଦେବଙ୍କୁ ଉଦ୍ଧାର କରି ସୁନ୍ଦରଗଡ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ହତ୍ୟା ପରେ ତ୍ରିବାସୀ ଫେରାର ହୋଇଥିବା ଜଣା ପଡିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply