ଗର୍ଭବତୀ ପତ୍ନୀଙ୍କ ପେଟକୁ ଗୋଇଠା ମାରି ହତ୍ୟା

ଭୁବନେଶ୍ବର : ଗର୍ଭବତୀ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଖଣ୍ଡଗିରି ପୁଲିସ ବୁବୁ ସୁବୁଦ୍ଧି(୩୨)କୁ ଗିରଫ କରି କୋର୍ଟ ଚାଲାଣ କରିଛି। ବୁବୁର ଘର ନୟାଗଡ଼ ଜିଲା ମାଛିପଡ଼ା। ମୃତ ଗର୍ଭବତୀ ମହିଳା ଶ୍ରଦ୍ଧାଞ୍ଜଳି ସୁବୁଦ୍ଧିଙ୍କ ଘର ନୟାଗଡ଼ ବଲାଙ୍ଗିରବନ୍ଧ। ଅଭିଯୁକ୍ତ ବୁବୁ ତାଙ୍କ ଗର୍ଭବତୀ ପତ୍ନୀଙ୍କ ପେଟକୁ ଗୋଇଠା ମାରିବା ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା ନେଇ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ପୁଲିସ ପରିବାର ଲୋକଙ୍କ ଅଭିଯୋଗକୁ ଆଧାର କରି ବୁବୁକୁ ଗିରଫ କରିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇଯିବ ବୋଲି ଥାନା ଅଧିକାରୀ କହିଛନ୍ତି।
ବୁବୁ ବର୍ଷକ ତଳେ ଶ୍ରଦ୍ଧାଞ୍ଜଳିଙ୍କୁ ପ୍ରେମ ବିବାହ କରିଥିଲା। ବିବାହ ପରେ ଦୁହିଁଙ୍କ ମଧ୍ୟରେ ବହୁ ସମୟରେ କଳିଝଗଡ଼ା ଲାଗି ରହୁଥିଲା। ଶ୍ରଦ୍ଧାଞ୍ଜଳି ଗର୍ବଭତୀ ଥିବାରୁ ଗତ କିଛି ଦିନ ହେବ ବାପଘରକୁ ଚାଲି ଯାଇଥିଲେ। ବୁବୁ ତାଙ୍କୁ ବୁଝାସୁଝା କରି ଘରକୁ ଆଣିଥିଲା। ୨୦ ତାରିଖ ଦିନ ବୁବୁ ଓ ଶ୍ରଦ୍ଧାଞ୍ଜଳିଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ଲାଗିଥିଲା। ଏଥିରେ ଉତ୍‌କ୍ଷିପ୍ତ ‌ହୋଇ ବୁବୁ ପେଟକୁ ଗୋଇଠା ମାରିବା ଫଳରେ ଶ୍ରଦ୍ଧାଞ୍ଜଳି ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ପରେ ଚିକିତ୍ସାଧିନ ଅବସ୍ଥାରେ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଥିଲା। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା।

Comments are closed.