ପୂର୍ବ ଶତ୍ରୁତାରୁ ଗଳା କାଟି ହତ୍ୟା

କପ୍ତିପଦା : ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ମଝିଗଡିଆ ପଞ୍ଚାୟତ ବାରୁଖଣ୍ଡା ଗ୍ରାମରେ ଜଣେ ବ୍ୟକ୍ତିଙ୍କୁ ପୂର୍ବ ଶତ୍ରୁତାକୁ ନେଇ ଗଳା କାଟି ହତ୍ୟା କରାଯାଇଥିବା ଜଣାପଡିଛି। ବାରୁଖଣ୍ଡା ଗ୍ରାମର ମାଧବ ମିରିଡ଼ିଆଙ୍କ ପୁଅ ଜଗବନ୍ଧୁ ସୋମବାର ପୂର୍ବାହ୍ଣ ୧୦ଟାରେ ତାଙ୍କ ଭଉଣୀ ଘର ବାଲେଶ୍ୱର ଅଗିରାପଦା ଯିବାକୁ ବାହାରିଥିଲେ। ସେ ବାଇକ୍‍ରେ ଯାଉଥିବା ବେଳେ ଗମ୍ଭୀରାଖୁଣ୍ଟା ଜଙ୍ଗଲ ମଝି ହରିଡାଡାହି ବାଙ୍କ ନିକଟରେ କେହି ଦୁବୃର୍ତ୍ତ ରାସ୍ତାରେ ତାଙ୍କୁ ଧାରୁଆ ଅସ୍ତ୍ରରେ ଗଳା କାଟି ହତ୍ୟା କରି ଫେରାର ହୋଇଯାଇଥିଲା। ଏସଂପର୍କରେ ପରିବାର ଲୋକେ ଖବର ପାଇ କପ୍ତିପଦା ପୁଲିସକୁ ଜଣାଇଥିଲେ। କପ୍ତିପଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ବାରିପଦାରୁ ସାଇଣ୍ଟିଫିକ୍‍ ଟିିମ ଓ ସନ୍ଧାନୀ କୁକୁର ଆସି ତଦନ୍ତ କରିବା ସହିତ ବିଭିନ୍ନ ନମୁନା ସଂଗ୍ରହ କରିଛନ୍ତି। ଏ ସଂକ୍ରାନ୍ତରେ ତାଙ୍କ ସ୍ତ୍ରୀ ଅମ୍ବିକା ମିରିଡିଆଙ୍କ ଲିଖିତ ଅଭିଯୋଗକୁ ଭିତ୍ତି କରି ପୁଲିସ ହତ୍ୟା ମାମଲା ରୁଜୁ କରିଛି। ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥାଇପାରେ ବୋଲି ପୁଲିସ ପ୍ରାଥମିକ ତଦନ୍ତ ପରେ ସୂଚନା ଦେଇଛି।

Comments are closed.