ରାଜଧାନୀର ବିଚ୍ ରାସ୍ତାରେ ଗୋଡାଇ ଗୋଡାଇ ସାନ ଭାଇକୁ ହାଣିଲା ବଡ ଭାଇ

ଭୁବନେଶ୍ୱର : ବାଲିଅନ୍ତା ଥାନା ଅନ୍ତର୍ଗତ ସୁରେଖା ଆପାର୍ଟମେଣ୍ଟ୍‌ ନିକଟରେ ବିଚ୍‌ ରାସ୍ତାରେ ଜଣେ ଯୁବକଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି। ମୃତକ ଜଣଙ୍କ ଲକ୍ଷ୍ମୀସାଗର ଶବରସାହିର ପ୍ରିତମ ରାଉତରାୟ ବୋଲି ଜଣାପଡିଛି । ପ୍ରିତମଙ୍କୁ ତାଙ୍କ ବଡ ଭାଇ ସର୍ବ ସମ୍ମୁଖରେ ଖଣ୍ଡାରେ ହାଣି ହତ୍ୟା କରିଛନ୍ତି । ପାରିବାରିକ ବିବାଦରୁ ପ୍ରିତମଙ୍କୁ ତାଙ୍କ ବଡ ଭାଇ ହତ୍ୟା କରିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ।

ଏହି ହତ୍ୟାକାଣ୍ଡର ସମସ୍ତ ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ୍‌ ହୋଇଛି । ସିସିଟିଭି ଫୁଟେଜ୍‌ ଅନୁଯାୟୀ, ପ୍ରିତମଙ୍କୁ ତାଙ୍କ ବଡ ଭାଇ ଗୋଡାଇ ଗୋଡାଇ ଖଣ୍ଡାରେ ହାଣି ହତ୍ୟା କରିବା ପରେ ସୁରେଖା ଆପାର୍ଟମେଣ୍ଟ୍‌ ର ପାଇଖାନା ଟାଙ୍କି ପାଇଁ ଖୋଳା ଯାଇଥିବା ଗାତରେ ପକାଇ ସେଠାରୁ ଫେରାର ହୋଇ ଯାଇଥିଲା। ସର୍ବ ସମ୍ମୁଖରେ ଏହି ବିଭତ୍ସ ହତ୍ୟାକାଣ୍ଡ ଘଟିଥିଲେ ମଧ୍ୟ ସେଠାରେ ଉପସ୍ଥିତ ଥିବା ଲୋକେ ଦେଖଣାହାରୀ ସାଜିଥିବା ବେଳେ କେହି ଅଟକାଇବାକୁ ସାହାସ କରି ପାରିନଥିଲେ । ଜୋନ୍‌-୪ ଏସିପି ଓ ବାଲିଅନ୍ତା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗାତ ଭିତରୁ ପ୍ରିତମଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍‌ସରେ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପଠାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Comments are closed.