ସରକାରୀ ଯୋଜନାରୁ ବଞ୍ଚିତ ବୃଦ୍ଧ ଦମ୍ପତି ; ବସଷ୍ଟପରେ ବିତୁଛି ଜୀବନ

ମୁରିବାହାଲ : ମୁରିବାହାଲ ବ୍ଲକ ବିଟାବନ୍ଦ ପଞ୍ଚାୟତ ପିଟାପରା ଗ୍ରାମରେ ରହୁଛନ୍ତି ବୃଦ୍ଧ ଦମ୍ପତି ଚକ୍ର ପୁଟେଲ(୮୫) ଓ ତାଙ୍କ ସ୍ତ୍ରୀ ସୁକ ନମନି ପୁଟେଲ(୭୫)। କିନ୍ତୁ ଦୁର୍ଭାଗ୍ୟର ବିଷୟ ଏହା ଯେ ଆଜି ପର୍ଯ୍ୟନ୍ତ ଉକ୍ତ ବୃଦ୍ଧ ଦମ୍ପତିଙ୍କୁ ସରକାରୀ ଯୋଜନାରେ ସାମିଲ କରି ନ ଥିବା ଅଭିଯୋଗ ହୋଇଛି।

ସୂଚନା ଅନୁସାରେ,  ଚକ୍ର ପୁଟେଲକୁ ଭତ୍ତା ମିଳୁୁଥିବା ବେଳେ ତାଙ୍କ ସ୍ତ୍ରୀଙ୍କ ବୟସ(୭୫) ବର୍ଷ ଅତିକ୍ରମ କରିଥିଲେ ମଧ୍ୟ ଭତ୍ତା ମିଳି ନାହିଁ , ରହିବା ପାଇଁ ଖଣ୍ଡେ ଭଲ ଘର ନ ଥିବରୁ ଅସରାଏ ପାଣିରେ ଘର ଭିତରେ ପାଣି ଜମା ହୋଇଯାଉଛି । ଫଳରେ ଉକ୍ତ ଦମ୍ପତି ଭୋକ ଉପାସରେ ଜୀବନ ଯାପନ କରୁଛନ୍ତି। ଏହି ବୃଦ୍ଧାବସ୍ଥାରେ ବୃଦ୍ଧ ଜଣକ ଚାଲିପାରୁ ନ ଥିବାରୁ ଅସହ୍ୟ ଯନ୍ତ୍ରଣା ଭୋଗୁଥିବା ଦେଖିବାକୁ ମିଳିଛି । ବୃଦ୍ଧ ଚକ୍ର ପୁଟେଲ ଆଜକୁ ତିନି ମାସ ହେବ ବିଟାବନ୍ଦ ଗ୍ରାମ ଦେଇ ଯାଇଥିବା ଏନ.ଏଚ(୫୯)ଛକରେ ଥିବା ବସଷ୍ଟପରେ ନିର୍ମିତ ହୋଇଥିବା ଆଶ୍ରୟ ସ୍ଥଳୀରେ ଆଶ୍ରୟ ନେଇ ଥିବା ବେଳେ ବୃଦ୍ଧା ଜଣକ ବୃଦ୍ଧ ପାଇଁ ଭଙ୍ଗା ଦଦରା ଘରେ ରୋଷେଇ କରି ଆଣି ଆଣିଦେଇଥାନ୍ତି। ବୃଦ୍ଧ ଦମ୍ପତି ନିସନ୍ତାନ ଥିବା ବେଳେ ବହୁ ଦୁଃଖ କଷ୍ଟରେ ରହୁଛନ୍ତି। ଅନ୍ୟପକ୍ଷରେ ମାଳମାଳ ସରକାରୀ ଯୋଜନାର ଲାଭ ଅଯୋଗ୍ୟ ହିତାଧିକରୀଙ୍କୁ ମିଳୁଥିବା ବେଳେ ଏହି ଗରିବ ଅସହାୟ ଦମ୍ପତିଙ୍କୁ ଘର ଖଣ୍ଡିଏ ଓ ଭତା କେବେ ମିଳିବ ବୋଲି ଜନସାଧାରଣଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଉଛି। ଏବିଷୟରେ ସରପଂଚ ଅଗସ୍ତି ବାଗଙ୍କୁ ପଚାରିବାରୁ ମୁଁ ଏହି ବିଷୟରେ ଅବଗତ ଅଛି ଭତ୍ତା ପାଇଁ ବ୍ଲକକୁ ପଠାଯାଇଛି ହେଲେ ଘର ଆଉ ସରପଞ୍ଚଙ୍କ ହାତରେ ନାହିଁ ତାହା ବ୍ଲକରେ ହୋଇ ପାରିବ ବୋଲି ପ୍ରକାଶ କରିଥିଲେ। ଏବିଷୟରେ ପିଇଓ ସୁଭ୍ରାଶୁ ଶେଖର ପଟ୍ଟନାୟକଙ୍କୁ ପଚାରିବାରୁ ତାଙ୍କୁ ଚାଉଳ ମିଳୁଛି ଏବଂ ଚକ୍ର ପୁଟେଲଙ୍କୁ ଭତ୍ତା ଦିଆଯାଉଛି , ତାଙ୍କ ସ୍ତ୍ରୀଙ୍କ ଭତ୍ତା ପାଇଁ ବ୍ଲକକୁ ପଠେଇ ଦିଆ ଯାଇଛି ଓ ଘର ପାଇଁ ବିଜୁ ପକ୍କାଘରର ପ୍ରସ୍ତାୂ ଦିଆଯିିବ ବୋଲି ପ୍ରକାଶ କରିଥିଲେ। ଏବାବଦରେ ତହସିଦାର ନାରାୟଣ ସାହୁଙ୍କୁ ପଚାରିବାରୁ ପ୍ରଥମେ ପଲିଥିନର ବ୍ୟବସ୍ଥା କରାଯିବା ସହିତ ମୁଁ ଯାଇ ଦେଖିଆସିବି ବୋଲି କହିିଛନ୍ତି।

Comments are closed.