୯ ସୁଦ୍ଧା ୱାର୍ଡ ସୀମା ନିର୍ଦ୍ଧାରଣ, ସଂରକ୍ଷଣ କାର୍ଯ୍ୟ ସାର

ପୌର ନିର୍ବାଚନ ପ୍ରକ୍ରିୟା ଆରମ୍ଭ: ଜିଲାପାଳଙ୍କୁ ନିର୍ଦେଶ

ଭୁବନେଶ୍ୱର :  ସଂରକ୍ଷଣ ହାର ୫୦ ପ୍ରତିଶତ ମଧ୍ୟରେ ସୀମିତ ରହିବା ନେଇ ଆଇନରେ ବ୍ୟବସ୍ଥା ହେବା ପରେ ପୌର ନିର୍ବାଚନ ପାଇଁ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ନଗର ଉନ୍ନୟନ ବିଭାଗ ପକ୍ଷରୁ ଏ ନେଇ ପଦକ୍ଷେପ ନିଆଯାଇଛି ।
ଆସନ୍ତା ନଭେମ୍ବର ୯ ତାରିଖ ସୁଦ୍ଧା ୱାର୍ଡ ସୀମା ନିର୍ଦ୍ଧାରଣ ଓ ସ୍ଥାନ ସଂରକ୍ଷଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଜିଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଛି। ଏହା ଉପରେ ନଭେମ୍ବର ୧୮ ତାରିଖ ପର୍ଯ୍ୟନ୍ତ ଜିଲାପାଳଙ୍କ ନିକଟରେ ଆପତ୍ତି ଅଭିଯୋଗ ଦାଖଲ କରାଯାଇପାରିବ। ଜିଲାପାଳ ୨୯ ତାରିଖରେ ସୀମା ନିର୍ଦ୍ଧାରଣ ଓ ସ୍ଥାନ ସଂରକ୍ଷଣ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ କରିବେ। ନଗର ଉନ୍ନୟନ ବିଭାଗ ପକ୍ଷରୁ ସୋମବାର ଜିଲାପାଳ ମାନଙ୍କୁ ଏ ସଂକ୍ରାନ୍ତ ପତ୍ର ପଠାଯାଇଥିବା ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି।
ଜିଲାପାଳ ମାନଙ୍କ ଦ୍ୱାରା ପ୍ରକାଶିତ ବିଜ୍ଞପ୍ତି ଉପରେ ନଭେମ୍ବର ୨୯ରୁ ଡିସେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ନଗର ଉନ୍ନୟନ ବିଭାଗ ନିକଟରେ ଆପତ୍ତି କରାଯାଇପାରିବ। ଏ ସଂକ୍ରାନ୍ତ ଅନ୍ୟାନ୍ୟ ପଦକ୍ଷେପ ସମ୍ପର୍କରେ ପରବର୍ତ୍ତୀ ସମୟରେ ସୂଚନା ପ୍ରଦାନ କରାଯିବ ବୋଲି ବିଭାଗ ପକ୍ଷରୁ ଦିଆଯାଇଥିବା ପତ୍ରରେ ଉଲ୍ଲେଖ କରାଯାଇଛି।
ରାଜ୍ୟର ୫ଟି ମହାନଗର ନିଗମ ମଧ୍ୟରୁ କଟକ, ଭୁବନେଶ୍ୱର ଓ ବ୍ରହ୍ମପୁର ମହାନଗର ନିଗମରେ ୱାର୍ଡ ସୀମା ନିର୍ଦ୍ଧାରଣ ଓ ସ୍ଥାନ ସଂରକ୍ଷଣ ସମ୍ପର୍କିତ ତଥ୍ୟ ଆସନ୍ତା ନଭେମ୍ବର ୧୫ ତାରିଖ ସୁଦ୍ଧା ନଗର ଉନ୍ନୟନ ବିଭାଗରେ ଦାଖଲ କରିବାକୁ ସଂପୃକ୍ତ ମହାନଗର ନିଗମ ଆୟୁକ୍ତଙ୍କୁ କୁହାଯାଇଛି। ବିଭାଗ ପକ୍ଷରୁ ଡିସେମ୍ବର ୧୦ ତାରିଖରେ ଏ ସଂକ୍ରାନ୍ତ ଚିଠା ତାଲିକା ପ୍ରକାଶ ପାଇବ। ପ୍ରକାଶିତ ଚିଠା ତାଲିକା ଉପରେ ଡିସେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ଆପତ୍ତି ଅଭିଯୋଗ ଗ୍ରହଣ କରାଯିବ। ୨୦୨୨ ଜାନୁଆରୀ ୨୦ ତାରିଖ ପୂର୍ବରୁ ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବ। ଏ ନେଇ ଉପରୋକ୍ତ ତିନିଟି ମହାନଗର ନିଗମ ଆୟୁକ୍ତଙ୍କୁ ନିର୍ଦେଶ ଦିଆଯାଇଥିବା ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି।
ରାଜ୍ୟରେ ୫ଟି ମହାନଗର ନିଗମ ମଧ୍ୟରୁ ଅଦାଲତରେ ମାମଲା ଯୋଗୁଁ ସମ୍ବଲପୁର ଓ ରାଉରକେଲା ମହାନଗର ନିଗମରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରାଯାଇନାହିଁ। ସେହିପରି ମାମଲା ଯୋଗୁଁଁ କେନ୍ଦ୍ରାପଡ଼ା ପୌରପାଳିକା, ଓଡ଼ଗାଁ ଓ ନୂଆପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦରେ ନିର୍ବାଚନ ପାଇଁ ସମସ୍ୟା ରହିଛି। ଏହାବ୍ୟତୀତ ହିନ୍ଦୋଳ ଓ ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟକାଳ ସରିନାହିଁ।
ସୂଚନାଯୋଗ୍ୟ ଯେ ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ହାର ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶନ ପରେ ଆସନ୍ତା ୩୦ ତାରିଖ ସୁଦ୍ଧା ସରକାର ସଂରକ୍ଷଣ ସଂକ୍ରାନ୍ତ ଚୂଡ଼ାନ୍ତ ତାଲିକା ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ପ୍ରଦାନ କରିବେ। ଏହାପରେ ରାଜ୍ୟ ନିର୍ବାଚନ ଆୟୋଗ ଭୋଟର ତାଲିକା ପ୍ରସ୍ତୁତ କରିବେ। ଏଥିପାଇଁ ପ୍ରାୟ ଦୁଇମାସ ସମୟ ଲାଗିବ। ଏହାପରେ ଆୟୋଗ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ ଗ୍ରହଣ କାର୍ଯ୍ୟକ୍ରମ ଆରମ୍ଭ କରିବେ।
ସେହିପରି ପୌର ନିର୍ବାଚନ ପାଇଁ ନଗର ଉନ୍ନୟନ ବିଭାଗ ୱାର୍ଡ ପୁନର୍ଗଠନ ସହ ସଂରକ୍ଷଣ ବ୍ୟବସ୍ଥା ନେଇ ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ଏଥିପାଇଁ ପ୍ରାୟ ତିନି ମାସ ସମୟ ଲାଗିବ। ଏହାପରେ ନିର୍ବାଚନ ଆୟୋଗ ଭୋଟର ତାଲିକା ପ୍ରସ୍ତୁତ କରି ନିର୍ବାଚନ ପାଇଁ ପଦକ୍ଷେପ ନେବେ ବୋଲି ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ ଯେ ୨୦୧୮ ସେପ୍ଟେମ୍ବରରୁ ପର୍ଯ୍ୟାୟ କ୍ରମେ ପୌରାଞ୍ଚଳରେ ନିର୍ବାଚିତ ପ୍ରତିନିଧିଙ୍କ କାର୍ଯ୍ୟକାଳ ସରିଥିବାରୁ ସେ ସମସ୍ତ ସ୍ଥାନରେ ପ୍ରଶାସକଙ୍କୁ ନିଯୁକ୍ତି ଦିଆଯାଇଛି।

Comments are closed.