ବାଜିଲା ପୌର ନିର୍ବାଚନ ତୂରୀ : ୨୭ ସୁଦ୍ଧା ଦିଅ ସୀମା ପୁନଃ ନିର୍ଦ୍ଧାରଣ ଓ ସଂରକ୍ଷଣ ତାଲିକା

ସବୁ ଜିଲାପାଳ ଓ ୩ ମହାନଗର ନିଗମ ଆୟୁକ୍ତଙ୍କୁ ନିର୍ଦେଶ, ପଛୁଆବର୍ଗଙ୍କ ପାଇଁ ରହିବନି ସଂରକ୍ଷଣ !

ଭୁବନେଶ୍ୱର : ଦୀର୍ଘଦିନର କଳ୍ପନାଜଳ୍ପନା ପରେ ପୌର ନିର୍ବାଚନ ପାଇଁ ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ନଗର ଉନ୍ନୟନ ବିଭାଗ ପକ୍ଷରୁ ସବୁ ଜିଲାପାଳ ଓ ତିନି ମହାନଗର ନିଗମ ଆୟୁକ୍ତଙ୍କୁ ସୋମବାର ପୌର ପ୍ରଶାସନ ନିର୍ଦେଶକ ସଂଗ୍ରାମଜିତ ନାୟକ ପତ୍ର ଲେଖି ନିର୍ଦିଷ୍ଟ ସମୟ ସୀମା ମଧ୍ୟରେ ପ୍ରକ୍ରିୟା ଶେଷ କରିବାକୁ ଅବଗତ କରାଇଛନ୍ତି। ତେବେ ଅନୁସୂଚିତ ଜାତି, ଜନଜାତି ଓ ମହିଳା ବର୍ଗଙ୍କ ଲାଗି ଜନସଂଖ୍ୟା ହାରରେ ଆସନ ସଂରକ୍ଷଣ ରହିବାକୁ ଚିଠିରେ ଉଲ୍ଲେଖ କରାଯାଇଥିବାବେଳେ ଅନ୍ୟାନ୍ୟ ପଛୁଆବର୍ଗ(ଓବିସି)ଙ୍କ ପାଇଁ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ସଂପର୍କରେ କୌଣସି ସୂଚନା ଦିଆଯାଇନି। ପଞ୍ଚାୟତ ଭଳି ପୌର ନିର୍ବାଚନ କ୍ଷେତ୍ରରେ ମଧ୍ୟ ପଛୁଆବର୍ଗ ଆସନ ସଂରକ୍ଷଣ ହୋଇ ନପାରେ ବୋଲି ସୂଚନା ମିଳୁଛି।
ଶ୍ରୀ ନାୟକ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ୨୦୧୧ ଜନଗଣନା ଅନୁଯାୟୀ ୱାର୍ଡ ସୀମା ପୁନଃ ନିର୍ଦ୍ଧାରଣ ଓ ସଂରକ୍ଷଣ କରାଯିବ। ଓଡ଼ିଶା ପୌରପାଳିକା ନିୟମ ୧୯୫୦ ଅନୁଯାୟୀ, ଜିଲାପାଳ ୱାର୍ଡ ପୁନର୍ଗଠନ ତଥା ସୀମା ନିର୍ଦ୍ଧାରଣ କରିବେ। ତଦନୁସାରେ ଭୁବନେଶ୍ବର, କଟକ ଓ ବ୍ରହ୍ମପୁର ଭଳି ୩ ମହାନଗର ନିଗମ ସହ ୧୦୭ ପୌରାଞ୍ଚଳର ସୀମା ପୁନଃ ନିର୍ଦ୍ଧାରଣ ହେବ। ୧୦୭ ପୌରାଞ୍ଚଳରେ ଆଜିଠାରୁ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ଆରମ୍ଭ କରିବାକୁ ଶ୍ରୀ ନାୟକ ଅବଗତ କରାଇଛନ୍ତି। ନିର୍ଦେଶନାମା ଅନୁଯାୟୀ ଆଜିଠାରୁ ପୌରାଞ୍ଚଳରେ ୱାର୍ଡ଼ ସୀମା ସଂରକ୍ଷଣର ଚିଠା ବିଜ୍ଞପ୍ତି ଜାରି ହେବ। ଏଥିରେ ଯଦି କାହାର କିଛି ଆପତ୍ତି ଥାଏ, ତେବେ ୧୨ ତାରିଖ ସୁଦ୍ଧା ଅଭିଯୋଗ କରିବେ ଏବଂ ତା’ର ଶୁଣାଣି ହେବ। ୧୩ ତାରିଖରେ କେଉଁ ୱାର୍ଡର ସୀମା ପୁନଃ ନିର୍ଦ୍ଧାରଣ ହେଲା ଓ ସଂରକ୍ଷଣ ରହିଲା ତାହା ଜିଲା ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ଜରିଆରେ ଅବଗତ କରାଯିବ। ୨୭ ତାରିଖ ସୁଦ୍ଧା ସମସ୍ତ ପ୍ରକ୍ରିୟା ଶେଷ କରି ନଗର ଉନ୍ନୟନ ବିଭାଗକୁ ଅବଗତ କରାଇବେ। ୨୮ତାରିଖରେ ଏହାର ଶୁଣାଣି କରାଯିବ। ତେବେ ଅଣଅନୁସୂଚିତ ଅଞ୍ଚଳରେ ପଛୁଆବର୍ଗଙ୍କ ପାଇଁ ସଂରକ୍ଷଣ ଦିଗରେ ନିର୍ଦେଶନାମାରେ କିଛି ସ୍ପଷ୍ଟ କରାଯାଇନାହିଁ।
ଅନ୍ୟପକ୍ଷରେ ଭୁବନେଶ୍ବର, କଟକ ଓ ବ୍ରହ୍ମପୁର ମହାନଗର ନିଗମ ଆୟୁକ୍ତଙ୍କୁ ଜାନୁଆରୀ ୫ତାରିଖ ସୁଦ୍ଧା ମହାନଗର ନିଗମର ସୀମା ପୁନଃ ନିର୍ଦ୍ଧାରଣ ଓ ସଂରକ୍ଷଣ ତାଲିକା ପ୍ରକାଶ କରିବାକୁ କୁହାଯାଇଛି। ୭ତାରିଖରେ ଏହାର ଚିଠା ତାଲିକା ବିଜ୍ଞପ୍ତି ଜାରି କରାଯିବ। ଯଦି ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ ନେଇ କାହାର କିଛି ଆପତ୍ତି ଥାଏ ତେବେ ତା’ର ଅଭିଯୋଗ ଓ ଶୁଣାଣି ସହିତ ଏହାର ଚୂଡାନ୍ତ ପ୍ରକ୍ରିୟା ୧୬ତାରିଖ ସୁଦ୍ଧା ଶେଷ କରି ବିଭାଗକୁ ଅବଗତ କରାଇବାକୁ ବିଜ୍ଞପ୍ତିରେ ଉଲ୍ଲେଖ ଅଛି। ନଗର ଉନ୍ନୟନ ବିଭାଗ ପକ୍ଷରୁ ୧୯ ଜିଲାପାଳଙ୍କୁ ୮୦ଟି ପୌରାଞ୍ଚଳ ତାଲିକା ସଂଲଗ୍ନ ରହିଥିବାବେଳେ ଅବଶିଷ୍ଟ ଅଣଅନୁସୂଚିତ ପୌରାଞ୍ଚଳ ସୀମା ନିର୍ଦ୍ଧାରଣ ସମ୍ପର୍କରେ କୌଣସି ଉଲ୍ଲେଖ କରାଯାଇନାହିଁ।

Comments are closed.